ଅପହରଣ ଯୋଜନା ପଣ୍ଡ : କୁଖ୍ୟାତ ଅପରାଧୀ ଜାଭେଦ୍ ଗିରଫ

ଜୟପୁର : ଜୟପୁର ସହରରେ ପୁଣି ଅପରାଧୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଇରିଗେସନ କଲୋନି କେନାଲ ରୋଡରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ଘଟଣା ସ୍ଥଳରୁ ପୁଲିସ କୁଖ୍ୟାତ ଅପରାଧୀ ଜାଭେଦକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷରୁ କେହି ଆହତ ହୋଇନଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ୭ ଏମ୍ଏମ ଦେଶୀ ପିସ୍ତଲ୍, ଦୁଇଟି ଖୋକା ସହ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ସ୍ଥାନୀୟ ଇରିଗେସନ୍ କଲୋନି ପଛପଟ କେନାଲ ରୋଡର ଗୋଟିଏ ପରିତ୍ୟକ୍ତ ଘରେ ୩ଜଣ ଅପରାଧୀ ରହିଥିବା ଟାଉନ୍ ପୁଲିସ ସୂଚନା ପାଇଥିଲା। ଖବର ପାଇ ଥାନା ଅଧିକାରୀ ବାଲେଶ୍ବର ଗିଧି, ଏସଆଇ ଶିବ ଶଙ୍କର ସାହୁଙ୍କ ସହ ଗୋଟିଏ ଟିମ୍ ଅଚାନକ ଭାବେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖିବା ମାତ୍ରକେ ଅପରାଧୀ ଗ୍ୟାଙ୍ଗ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ ବି ପାଲଟା ଜବାବ ଦେଇ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଅଭିଯୁକ୍ତ ସେକ୍ ଜାଭେଦ୍ ଅକ୍ତାର ଗୁଳି ଚାଳନା କରିଥିବା ବେଳେ ଅନ୍ୟ ଦୁଇ ଅପରାଧୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ପ୍ରକାଶ କରିଛି। ପୁଲିସ ଘଟଣାସ୍ଥଳରୁ ଅପରାଧୀ ସେକ୍ ଜାଭେଦ୍ ଅକ୍ତାରକୁ କାବୁ କରିଥିବା ବେଳେ ଗୋଟିଏ ଦେଶୀ ପିସ୍ତଲ, ଖୋକା ସହ ମୋବାଇଲ୍ ଫୋନ ଜବତ କରିଛି। ଅଭିଯୁକ୍ତ ସେକ୍ ଜାଭେଦ୍ ନାଁରେ ପୂର୍ବରୁ ହତ୍ୟା, ଡକାୟତି ଓ ଡକାୟତି ସମୟରେ ହତ୍ୟା ଏବଂ ଅବିଭକ୍ତ କୋରାପୁଟର ବିଭିନ୍ନ ଅଞ୍ଚଳରୁ ଦାଦା ବଟି ଆଦାୟ ସହ ଗଂଜେଇ ଚୋରା ଚାଲାଣ ଆଦି ମାମଲାରେ ରହିଥିବା ଥାନା ଅଧିକାରୀ ଶ୍ରୀ ଗିଧି ପ୍ରକାଶ କରିଛନ୍ତି।

ଏହି ଘଟଣାରେ ଅଭିଯୁକ୍ତ ଜାଭେଦ ସହ କେଉଁ ଦୁଇ ଜଣ ଅପରାଧୀ ରହିଥିଲେ ସେମାନଙ୍କ ପରିଚୟ ଜଣାପଡିଥିବା କହିଛନ୍ତି। ଅପରାଧୀ ଓ ଅପରାଧକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ ବୋଲି ଡିଆଇଜି ଆଶିଷ କୁମାର ସିଂ, ଏସପି କନୱର ବିଶାଲ ସିଂ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର