ବୈପାରିଗୁଡ଼ା:୪ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ବୈପାରିଗୁଡ଼ା ଥାନା ଅନ୍ତର୍ଗତ କୋଟା ଛକ ନିକଟର ତିନି ବାଙ୍କ ଘାଟିରେ। ସୂଚନା ଅନୁଯାୟୀ, ଜୟପୁର ବଙ୍ଗଳାବାଡ଼ ସାହିର କୃଷ୍ଣ ଚନ୍ଦ୍ର ସାହୁ ନିଜ ସାଥୀରେ ଭଟାଛିଞ୍ଚି ଗ୍ରାମର ଆଉ ଜଣେ ଡ୍ରାଇଭର ସଦା ବାରିକଙ୍କ ସହ ଆନ୍ଧ୍ରପ୍ରଦେଶର କାକିନାଡା ମାଛ ଆଣିବା ପାଇଁ ବାହାରିଥିଲେ। (ଓଡି ୧୦ ଏସ୍ ୫୫୮୩) ନମ୍ବର ବିଶିଷ୍ଟ ଏକ ଭ୍ୟାନରେ ଦୁହେଁ ଲମତାପୁଟ ରାସ୍ତା ଦେଇ ଯାଉଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତିନି ବାଙ୍କ ଘାଟି ନିକଟରେ ଦୁର୍ବୃତ୍ତମାନେ ଜଙ୍ଗଲ ଭିତରେ ଲୁଚି ରହି ଗାଡ଼ି ଉପରକୁ ପଥର ଫିଙ୍ଗି ଥିଲେ। ଗାଡ଼ିର ସାମ୍ନା ପଟ କାଚ ଭାଙ୍ଗି ଯିବାରୁ ଚାଳକ କୃଷ୍ଣ ବାଧ୍ୟ ହୋଇ ଗାଡ଼ିର ବେଗ କମେଇ ଦେଇଥିଲେ। ଏହି ସୁଯୋଗରେ ଜଙ୍ଗଲ ଭିତରୁ ଜଣେ ଦୈାଡି ଆସି କୃଷ୍ଣଙ୍କ ଆଖିରେ ଲଙ୍କାଗୁଣ୍ଡ ପକେଇଥିଲେ ଏବଂ ଗାଡ଼ିର ଚାବି ନେଇଯାଇଥିଲେ।
ପରେ ଜଙ୍ଗଲ ଭିତରୁ ୫ ଜଣ ବାହାରି ଆସି କୃଷ୍ଣ ଏବଂ ସଦାଙ୍କୁ ଜବରଦସ୍ତ ବାହାରକୁ ଟାଣି ଆଣିବା ସହ କୃଷ୍ଣଙ୍କ ମୁହଁରେ ଦୁଇ ମୁଥ ମାରିଥିଲେ। ଟଙ୍କା କେଉଁଠି ଅଛି ପଚାରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ସମସ୍ତେ ଗାଡ଼ି ଭିତରେ ପଶି ଖୋଜିବା ସହ ଅଲଗା ଅଲଗା ଟଙ୍କା ବିଡ଼ା ନେଇଯାଇଥିଲେ। ଗୋଟିଏ ବିଡ଼ାରେ ୪ ଲକ୍ଷ ୭୦ ହଜାର ଟଙ୍କା ଏବଂ ଅନ୍ୟ ବିଡ଼ାରେ ୨୭ ହଜାର ଟଙ୍କା ରହିଥିବା ପ୍ରକାଶ। ଟଙ୍କା ଲୁଟ କରିବା ପରେ ଦୁର୍ବୃତ୍ତମାନେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। କୃଷ୍ଣ ଚନ୍ଦ୍ର ସାହୁ ବୈପାରିଗୁଡ଼ା ଥାନାରେ ଏତଲା ଦେଇଛନ୍ତି। କିଛି ଦିନ ପରେ କୋଟା ଛକରେ ଡକାୟତି ଘଟଣା ଘଟିଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।