ଜୟପୁର: ପ୍ରଶାସନ ପକ୍ଷରୁ ଜମି ଏବଂ ଅସ୍ଥାୟୀ ବିଦ୍ୟାଳୟ ନିମନ୍ତେ କୋଠା ଦେବା ପରେ ମଧ୍ୟ କାହିଁକି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଦକ୍ଷିଣ ଓଡିଶାର ଦ୍ବିତୀୟ ବୃହତ୍ତମ ସହରରେ ୨୦ରୁ ଉର୍ଦ୍ଧ୍ବ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ , ବ୍ୟାଙ୍କ ଆଦି ରହିଛି। ୫ମ ଅଧିସୂଚିତ ଅଂଚଳ ଭାବେ ପରିଚିତ କୋରାପୁଟ ଜିଲ୍ଲା । ଏଠାକାର ପିଲାମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବାର ଅଧିକାର ନାହିଁ କି ବୋଲି କହିଛନ୍ତି ବିଧାୟକ।
ସେ ନିଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ସହ ଲିଖିତ ଅନୁରୋଧ ପତ୍ର ବି ଦେଇକି ଆସିଥିଲେ। ସେ ମଧ୍ୟ ଏହା ଏଠାରେ ଆରମ୍ଭ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ। ତେବେ ସେହି ପ୍ରତିଶ୍ରୃତି ପାଣିର ଗାର ସାଜିଛି। ରାଜନୈତିକ ଅଭିସନ୍ଧି ଓ ଲକ୍ଷ୍ୟ ରଖି ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଚାହୁଁନି। ଗତ ୩ବର୍ଷ ହେବ ପ୍ରଶାସନ ସଂପୁର୍ଣ୍ଣ ସହଯୋଗ କରି ୮ଏକର ଜମି ଦେବା ସହ ଜମିରେ ଥିବା ବିଦ୍ୟୁତ ଖୁଣ୍ଟ ହଟାଇବା ସାଙ୍ଗକୁ ସରକାରୀ ଉଚ୍ଚବିଦ୍ୟାଳୟ ପାର୍ଶ୍ବରେ ଅସ୍ଥାୟୀ କୋଠା ବି ଦେବା ପାଇଁ ପୁରା ପ୍ରସ୍ତୁତ କରି ରଖିଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ବି ପ୍ରତିନିଧିଙ୍କୁ ପଠାଇ ବିଦ୍ୟାଳୟ ସ୍ଥାପନ ପାଇଁ ପୁରା ପ୍ରସ୍ତୁତ ରହିଛି। ଏହା ବାଦେ ବି କେନ୍ଦ୍ର ସରକାର ତଥା ଓଡ଼ିଶା ମାଟିର ଓଡ଼ିଆ ଶିକ୍ଷାମନ୍ତ୍ରୀ ଏଭଳି କୋରାପୁଟ ମାଟିକୁ ଅଣଦେଖା କରିବା ଠିକ୍ ନୁହେଁ।
କୋଟିଆ କେବଳ ରାଜନୈତିକ ଉଦେଶ୍ୟ ନେଇ ଶିକ୍ଷାମନ୍ତ୍ରୀ ଆସିଥିଲେ। ଯଦି ତାଙ୍କର କୋରାପୁଟଜିଲ୍ଲା ପ୍ରତି ଏତେ ଦରଦ ରହିଛି ତେବେ ତୁରନ୍ତ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରନ୍ତୁ। ଜୟପୁର ବିଧାୟକ ବାହାବା ନେବେ ବୋଲି ଭାବନ୍ତୁ ନାହିଁ। ମୁଁ ସବୁ ସ୍ଥାନରେ ବିଜେପିର ଶିକ୍ଷାମନ୍ତ୍ରୀଙ୍କ ଯୋଗୁଁ ହିଁ ଏହି ବିଦ୍ୟାଳୟ ସ୍ଥାପନ ହୋଇଛି ବୋଲି କହିବି। ଏବଂ ହୃଦୟର ଗଭୀରତମ ପ୍ରଦେଶରୁ ମୋ ଜୟପୁରବାସୀଙ୍କ ତରଫରୁ କୃତଞତା ଜ୍ଞାପନ କରିବି। ଆସନ୍ତା ମେ’ମାସ ପ୍ରଥମ ସପ୍ତାହ ସୁଦ୍ଧା ଏହା ସ୍ଥାପନ କରାନ ଗଲେ କଂଗ୍ରେସ ପକ୍ଷରୁ ସଂପୁର୍ଣ୍ଣ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରାଯିବ। ସମସ୍ତ ଅଖଚକ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ । ସମସ୍ତ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ସହ ସବୁ ବନ୍ଦ କରି ଦିଆଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ଏସବୁ ପାଇଁ ନିଜେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦାୟୀ ରହିବେ ବୋଲି କହିଛନ୍ତି ବିଧାୟକ।