ଢାବା ମାଲିକଙ୍କ ମାଡ଼ରେ ୨ସିଆର୍‌ପିଏଫ୍‌ କନେଷ୍ଟବଳ ଆହତ

୪୧ ହଜାର ଲୁଟ୍‌ ନେଇ ପାଲଟା ଅଭିଯୋଗ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ସ୍ଥାନୀୟ ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରେ ଥିବା ଜୟ ମାତାଦି ଢ଼ାବା ମାଲିକଙ୍କ ଆକ୍ରମଣରେ ୨ ସିଆର୍‌ପିଏଫ୍‌ କନେଷ୍ଟବଳ ଆହତ ହୋଇଛନ୍ତି। ଆହତ କନଷ୍ଟେବଳଙ୍କୁ କୋରାପୁଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ କନଷ୍ଟେବଳ ୨ ଜଣ ହେଲେ ସ୍ଥାନୀୟ ସଉରାଗୁଡା ଅଞ୍ଚଳର ଧର୍ମା ସଉରା (ମୁନିଗୁଡା ସିଆରପିଏଫ୍‌ କନେଷ୍ଟବଳ) ଓ ଲକ୍ଷ୍ମଣ ନାୟକ (ରାୟଗଡା ସିଆର୍‌ପିଏଫ୍‌ କନଷ୍ଟେବଳ)। ଅପର ପକ୍ଷରେ ଢ଼ାବା ମାଲିକ ଚନ୍ଦନ ସ୍ୱାଇଁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରିୟଷ ରଞ୍ଜନ ଛୋଟରାୟ କହିଛନ୍ତି।
ସୂଚନାଅନୁଯାୟୀ, ଆଜି ଭୋର ୩’ଟାରେ ସ୍ଥାନୀୟ ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରେ ଥିବା ଜୟ ମାତାଦି ଢ଼ାବାର ସଟରକୁ ତାଡି ସଉରାଗୁଡା ଅଞ୍ଚଳର ୩ଜଣ ଯୁବକ ଭିତରେ ପଶିଥିଲେ। ଢ଼ାବା ମାଲିକ ଚନ୍ଦନ ସ୍ୱାଇଁଙ୍କୁ ଟଙ୍କା ମାଗିବାରୁ ନଦେବାରୁ ମାଡ ମାରିଥିଲେ। ଟଙ୍କା ନଦେଲେ ଧରିଥିବା ଲୁହାରଡରେ ମାରିଦେବା ପାଇଁ ଧମକ ଦେଇଥିଲେ। ଏଥିସହ ଡ୍ରକୁ ଭାଙ୍ଗି ସେଠାରେ ଥିବା ୪୧ ହଜାର ଟଙ୍କା ଲୁଟି ନେଇଥିଲେ। ସେମାନଙ୍କ କବଳରୁ ଚନ୍ଦନଙ୍କୁ ବଞ୍ଚାଇବା ପାଇଁ ନିକଟରେ ଶୋଇଥିବା ଲିକୁ ସ୍ୱାଇଁ, ଗୋପାଳ ଜେନା, ନରେଶ ବେହେରା, ବିଶ୍ୱଜିତ ଆକ୍ରମଣ କରିଥିଲେ। ଯାହାଫଳରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ବୋଲି ଢ଼ାବା ମାଲିକ ଚନ୍ଦନ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଏନେଇ ଥାନାରେ ୪୦/୧୮ ନମ୍ବର ମାମଲା ରୁଜୁ ହୋଇଛି। ଅପରପକ୍ଷରେ ସିଆରପିଏଫ୍‌ କନେଷ୍ଟବଳଙ୍କ ଅଭିଯୋଗ ଅନୁଯାୟୀ, ଧର୍ମା ଓ ଲକ୍ଷ୍ମଣ ଦୁହେଁ ଖାଇବାକୁ ଢ଼ାବା ମାଲିକଙ୍କୁ ଡାକିଥିଲେ। କିନ୍ତୁ ଢ଼ାବାର କର୍ମଚାରୀମାନେ ମିଳିତ ଭାବେ ଲୁହା ରଡରେ ଦୁହିଁକୁ ଆକ୍ରମଣ କରିଥିଲେ। ଫଳରେ ଧର୍ମା ଓ ଲକ୍ଷ୍ମଣଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ରକ୍ତାକ୍ତ ଅବସ୍ଥାରେ ଧର୍ମା ଓ ଲକ୍ଷ୍ମଣଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ପରେ ଦୁହିଁଙ୍କୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଧର୍ମାଙ୍କ ଅଭିଯୋଗ କ୍ରମେ ଥାନାରେ ୪୨/୧୮ ନମ୍ବର ମାମଲାରେ ରୁଜୁ ହୋଇଛି। ଉଭୟପକ୍ଷରୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର