ଜୟପୁର : ଜୟପୁର ଜୟନଗର ଅଞ୍ଚଳରେ ଡବଲ ମର୍ଡର। ଅବସରପ୍ରାପ୍ତ ପୁଲିସ ଏସ୍‌ଆଇ ଏମ. କେ‌ ରେହମାନ ଓ ତାଙ୍କ ପତ୍ନୀ ହାଫିଜା ବିବିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସଂପତ୍ତି ବିବାଦକୁ କେନ୍ଦ୍ର କରି ପୁଅ ଏମ୍.କେ ଲତିଫ ରେହମାନ ହିଁ ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ କରିଛି। ଟାଙ୍ଗିଆରେ ଉଭୟଙ୍କୁ ହତ୍ୟା କରିବା ପରେ ମୁହଁକୁ ବାରମ୍ବାର ଆଘାତ ଦେଇ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ପୁଅ ଏମ୍.କେ ଲତିଫ ରେହମାନ, ବୋହୂ ଏବଂ ଅନ୍ୟ ଜଣଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଛି। ଘଟଣା ସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ମଧ୍ୟ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ବ୍ରହ୍ମପୁରରୁ ବି ସାଇଣ୍ଟିଫିକ୍ ଟିମ୍ ଆସି ଛାନଭିନ୍ କରିବ ବୋଲି ସୂଚନା ମିଳିଛି।

Advertisment

ଘଟଣା ଅନୁଯାୟୀ, ଆଜି ସକାଳେ ମୃତ ରେହମାନ ରହୁଥିବା ଜୟନଗର ମୁଖ୍ୟ ଛକ ସ୍ଥିତ ଘରକୁ ପୁଅ ଲତିଫ ଆସିଥିଲା। ବାରମ୍ବାର କବାଟ ବାଡ଼େଇବା ସତ୍ତ୍ବେ କେହି କବାଟ ଖୋଲି ନଥିଲେ। ତେଣୁ ଲତିଫ ବାରିପଟ କବାଟ ଯାଇ ବାଡ଼େଇଥିଲେ। ତଥାପି କୌଣସି ଉତ୍ତର ଘରୁ ମିଳି ନଥିଲା। ତେଣୁ ଜୟନଗର ଛକରେ ଦୋକାନ କରିଥିବା ଆକବର ଏବଂ ନିଜ ଶଳାଙ୍କୁ ଡକାଇଥିଲେ ଲତିଫ। ୩ଜଣ ମିଶି ବହୁ ସମୟ ଧରି ଡାକିବା ପରେ ଆକବର କାନ୍ଥ ଡେଇଁ ଘର ଭିତରେ ପଶିଥିଲେ। ତଳେ ଚିତ ହୋଇ ହାଫିଜା ଓ ଖଟ ଉପରେ ରେହମାନ ପଡ଼ିଥିବା ଦେଖି ଘର ବାହାରକୁ ଆସି ଏନେଇ ଜଣାଇଥିଲେ। ପରବର୍ତୀ ସମୟରେ ସ୍ଥାନୀୟ ପୂର୍ବତନ କାଉନସିଲରଙ୍କ ସ୍ବାମୀଙ୍କୁ ଏନେଇ ସେମାନେ ଜଣାଇଥିଲେ।

ଖବର ପାଇ ଜୟପୁର ଏସଡିପିଓ ସାଗରିକା ନାଥ, ଟାଉନଥାନା ଆଇଆଇସି ବାଲେଶ୍ବର ଗିଧି, ଏସଆଇ ଶିବ ଶଙ୍କର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲା। କବାଟ ଭାଙ୍ଗି ଭିତରେ ପଶିବା ବେଳକୁ ବୃଦ୍ଧ ଦଂପତି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ଚିତ୍ ହୋଇ ପଡ଼ିଥିଲେ। ଏସପିଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାଶ ଘଟଣା ସ୍ଥଳକୁ ଆସି ଛାନିଭନ୍ କରିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସକୁ କୌଣସି ସୁରାକ ମିଳି ନଥିଲା। ତେଣୁ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ବାଡ୍ ଆସି ଯାଞ୍ଚ କରିଥିଲେ। ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମକୁ ମଧ୍ୟ ତଦନ୍ତ ପାଇଁ ଯୋଗାଯୋଗ କରାଯାଇଛି। ଘଟଣାର ଖିଅ ଖୋଜିବାକୁ  ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ଏବଂ ଜୟପୁର ଏସଡିପିଓ ସାଗରିକା ନାଥଙ୍କ ନେତୃତ୍ବରେ ୨ଟି ଟିମ୍ ଗଠନ କରାଯାଇଛି। ଏନେଇ ଜୟପୁର ଏସଡିପିଓ ସାଗରିକା ନାଥଙ୍କୁ ପଚାରିବାରୁ ବୃଦ୍ଧ ଦଂପତିଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସଂପତ୍ତି ଲୋଭରେ ହିଁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ପରେ ସ୍ପଷ୍ଟ ହୋଇଯାଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ମୃତକଙ୍କ ପୁଅ, ବୋହୂ ଏବଂ ଜଣେ ସଂପର୍କୀୟଙ୍କୁ ଥାନାକୁ ନେଇ ପଚରା ଉଚୁରା ଚାଲିଛି ବୋଲି ସେ କହିଛନ୍ତି। ଖବର ଲେଖା ଯିବା ସୁଦ୍ଧା ପୁଲିସ ଶବ ଜବତ କରି ନଥିଲା। ଆସନ୍ତାକାଲି ସକାଳେ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ସୂଚନା ମିଳିଛି।

ଆଜି ସକାଳେ ଏହି ଘଟଣା ସହରରେ ପ୍ରଚାର ହେବା ପରେ ଅଂଜୁମନ ମୁସଲିମ କମିଟି ସଭ୍ୟଙ୍କ ସହ ସଂପର୍କୀୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତ ରେହମାନ ଅଳ୍ପ ଦିନ ତଳେ ନିଜ ୱିଲ୍ କରିଥିଲେ। ସେଥିରେ ନିଜ ସଂପତ୍ତିର ସଂପୂର୍ଣ୍ଣ ବିବରଣୀ ଏବଂ ତାଙ୍କ ପରେ ଉକ୍ତ ସଂପତ୍ତିର ମାଲିକାନା କାହାକୁ ମିଳିବ ସେନେଇ ଉଲ୍ଲେଖ କରିଥିଲେ। ସେହିପରି ପୁଅର ବାରଣ ସତ୍ତ୍ବେ ଗୋଟିଏ ଜମିକୁ ରେହମାନ ବିକ୍ରି ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ବାପା, ମା’ଙ୍କୁ ରାସ୍ତାରୁ ହଟାଇବା ପାଇଁ ଲତିଫ ଯୋଜନା କରିଥିଲା। ଗତକାଲି ରାତିରେ ହତ୍ୟା କରିବା ପରେ ଲତିଫ ଜୟନଗର ସ୍ବାଇଁ କଲୋନି ସ୍ଥିତ ଭଡ଼ା ଘରକୁ ଚାଲି ଆସିଥିଲା। ଆଜି ସକାଳେ ସେ ହିଁ ପ୍ରଥମେ ଘଟଣା ସ୍ଥଳକୁ ଯାଇଥିଲା। ଯାହାକି ପୁଲିସର ସନ୍ଦେହକୁ ବଢ଼ାଇ ଦେଇଥିଲା। ପଚରା ଉଚୁରା ସମୟରେ ଲତିଫର ହାବଭାବ ଓ ବୟାନରେ ତାଳମେଳ ରହୁନଥିବାରୁ ପୁଲିସ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା ଯେ, ସେ ହିଁ ବାପା, ମା’ଙ୍କୁ ହତ୍ୟା କରିଛି। ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣାରେ ଲତିଫ ଏକୁଟିଆ ସଂପୃକ୍ତ ନା’ ଆଉ କିଏ ଅଛନ୍ତି ତାହା ଜାଣିବାକୁ ପୁଲିସ ପ୍ରୟାସ ଚଳାଇଛି।