ଘଣ୍ଟାଏ ବର୍ଷାରେ ଘରେ ପଶିଲା ଡ୍ରେନ ପାଣି

ଅନେକ ଗଛ ଭାଙ୍ଗିଲା, ୧୦ରୁ ଊର୍ଧ୍ବ ଘରର ଛପର ଉଡ଼ିଲା

ଜୟପୁର: ଗୋଟିଏ ଘଣ୍ଟାର ପ୍ରବଳ ବର୍ଷାରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ଅନେକ ଗଛ ଭାଙ୍ଗି ଯାଇଛି। ସେହିପରି ପ୍ରବଳ ପବନ ଯୋଗୁଁ ୧୦ରୁ ଊର୍ଧ୍ବ ଘରର ଛପର ଉଡ଼ି ଯିବା ସହ ଅନେକ ଘରେ ବର୍ଷା ପାଣି ପଶି ଯାଇଛି। ଗଛ ପଡ଼ି କିଛି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଖବର ଲେଖା ହେବା ସୁଦ୍ଧା ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଲୋକେ ବହୁ ହଇରାଣ ହୋଇଥିଲେ।
ଆଜି ସକାଳେ ଜୟପୁର ସହରରେ ପାଗ ଅନୁକୂଳ ରହିଥିଲା। ତେବେ ଅପରାହ୍ନ ପ୍ରାୟ ୪ଟାରେ ପ୍ରବଳ ପବନ ଓ ବର୍ଷା ହୋଇଥିଲା। ଜୋରରେ ପବନ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଏପରିକି କିଛି ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ପଡ଼ିବାରୁ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା। ସହରର ମୁଖ୍ୟ ରାସ୍ତା, ୱେଲକମ୍ ଛକରୁ ଏମଜି ରୋଡ , ମଧୁମତି ହୋଟେଲ ଛକରେ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହୋଇଥିଲା। ଏଥିଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ ସମୟରେ ଲୋକେ ବହୁ ହଇରାଣ ହୋଇଥିଲେ। ପ୍ରବଳ ପବନରେ ହାଟପଦା, ଡଙ୍ଗାଗୁଡା, ମହାରାଣୀ ପେଟା, ଭିଆଇପି ଲାଇନ୍‌, ପୁରୁଣା ମେଡିକାଲ , ଭିଜିଲାନ୍‌ସ କାର୍ଯ୍ୟାଳୟ, ପୁରୁଣା ମେଡିକାଲ ପରିସର, ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଗଛ ଡାଳ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ପବନ ଯୋଗୁଁ ଡଙ୍ଗାଗୁଡାର ଶିବ ପ୍ରସାଦ ନାୟକ, ବୁଦୁରାମ ବାରିକ, ଆକବର ଖାନ୍‌, ରବିନ୍ଦ୍ର ମହାନ୍ତି, ମୀନ ବୁରୁଡିଙ୍କର ଟିଣ ଘରର ଛପର ଉଡ଼ି ଯାଇଥିଲା। ଭିଆଇପି ଲାଇନ୍‌ରେ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ଅନ୍ୟପଟେ ନିୟମିତ ଡ୍ରେନ୍‌ ସଫେଇ ହେଉନଥିବାରୁ ଡ୍ରେନ୍‌ର ଆବର୍ଜନା ପାଣି ସିନେମା ସାହି ସହ ସହରର କିଛି ବସ୍ତି ଅଞ୍ଚଳର ଘର ଭିତରେ ପଶିଥିବା ଅଭିଯୋଗ ହୋଇଛି। ସେଭଳି ସହରର ମୁଖ୍ୟ ରାସ୍ତାରେ ଡ୍ରେନ୍‌ର ଆବର୍ଜନା ପାଣି ଭାସୁଥିବା ଦେଖିବାକୁ ମିଳିଥିଲା। ସହରର ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ନଥିବା ସହ ନିୟମିତ ଡ୍ରେନ୍‌ ସଫେଇ କରାଯାଉନଥିବାରୁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଦେଖାଦେଉଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି। ସହର ବୃଦ୍ଧି ପାଇବା ପରେ ପରିମଳ ବ୍ୟବସ୍ଥା ପ୍ରତି ପୌରପାଳିକା ଦୃଷ୍ଟି ଦେବା କଥା କିନ୍ତୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏଭଳି ସମସ୍ୟା ଦେଖାଦେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସାମାନ୍ୟ ବର୍ଷାରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ଦ୍ବାରା ପାଣି ନିଷ୍କାସନ ହୋଇପାରୁନଥିବାରୁ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ତେଣୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଥିବା ସହରବାସୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର