କୋରାପୁଟ: କୋରାପୁଟ ପୁଲିସ ପ୍ୟାରେଡ ପଡ଼ିଆଠାରେ ଜିଲାସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। କୋରାପୁଟର ପ୍ୟାରେଡ ସମାରୋହ ରାଜ୍ୟସ୍ତରର ଭଳି ଅନୁଭୂତ ହେଉଛି କହିବା ସହ କୋରାପୁଟକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ଯେଉଁ ପ୍ରୋତ୍ସାହନ ସବୁ ଦିଆଯାଉଛି ତାହାକୁ ଆଗେଇ ନେବାକୁ କୃଷି ମନ୍ତ୍ରୀ ଶ୍ରୀ ସ୍ବାଇଁ ଆହ୍ବାନ ଦେଇଥିଲେ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହା ବିକାଶର ପର୍ବ ଆରମ୍ଭ ହୋଇଯାଇଛି। ତେଣୁ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସେ ନିବେଦନ କରିଥିଲେ।
ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ଶାରୀରିକ କ୍ରୀଡ଼ା ଓ କୌତୁକ ପୋଷାକ ପ୍ରଦର୍ଶନ କରଯାଇଥିଲା। ଜିଲ୍ଲାର ଶ୍ରେଷ୍ଠ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଜିଲାର ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ୟାରେଡର ଶ୍ରେଷ୍ଠ ଦଳ, ଶାରୀରିକ କ୍ରୀଡ଼ା ଓ କୌତୁକ ପୋଷାକ ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପ୍ୟାରେଡରେ ୨୪ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୁଲିସ ଆର୍ଆଇ ଏ.ବିଘ୍ନେଶ୍ୱର ରାଓ ପ୍ୟାରେଡ ପରିଚାଳନା କରିଥିଲେ। କୋରାପୁଟ ଜିଲ୍ଲାପାଳ ଅବଦ୍ଦୁଲ ଏମ୍ ଅଖତର ଓ ଏସ୍ପି ଅଭିନବ ସୋନକର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିନା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ ହିକକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ବରାଜ୍ୟ ସୀସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରବି ଶତପଥୀ, କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ, ଏ.କେ.ବେହେରା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।
ପ୍ୟାରେଡ ପଡ଼ିଆରେ କୌତୁକ ପୋଷାକ ପ୍ରତିଯୋଗୀତାରେ ଭାଗ ନେଇଥିବା ଜଣେ କୁନି ଛାତ୍ରୀ କୋରାପୁଟର ମାଣ୍ଡିଆକୁ ନେଇ ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହାକୁ ଦେଖି ମନ୍ତ୍ରୀ ଶ୍ରୀ ସ୍ବାଇଁ ଖୁସି ହୋଇଥିଲେ। ଛାତ୍ରୀ ଆଣିଥିବା ମାଣ୍ଡିଆ ପିଇବା ସହ ଛାତ୍ରୀଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥିଲେ। କୋରାପୁଟ ଦୃଷ୍ଟିବାଧିତ ସ୍କୁଲକୁ ଯାଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ।