ପଣସପୁଟ ଗାଁରେ ପାନୀୟ ଜଳ ସଙ୍କଟ

କୋରାପୁଟ: ନଳକୂଅଟି ଭଲ ଥିଲା। ଲୋକେ ହାତରେ ମାରି ଘରକୁ ପାଣି ନେଉଥିଲେ। ବିଶେଷ ସମସ୍ୟା ନ ଥିଲା। କିନ୍ତୁ ସେହି ନଳକୂଅକୁ ସୌରଶକ୍ତି ଚାଳିତ କରାଇବା ପାଇଁ ଉଦ୍ୟମ କରାଯିବା ପରେ ଦେଖା ଦେଇଛି ଜଳ ଯନ୍ତ୍ରଣା। ନଳକୂପରୁ ଆଉ ପାଣି ବାହାରୁ ନ ଥିବାରୁ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ବ୍ଲକ ଅନ୍ତର୍ଗତ ପଣସପୁଟ ଗ୍ରାମରେ। ପଣସପୁଟ ଗାଁରେ ଥିବା ୩ଟି ନଳକୂଅ ଥିଲା ବେଳେ ସବୁଠାରୁ ଭଲ ନଳକୂପକୁ ସୌରଶକ୍ତି ଚାଳିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ ଏକ ତାଲିମପ୍ରାପ୍ତ ଦଳ ଗତ ବର୍ଷ ଆସିଥିଲେ। ତେବେ ସୌର ପ୍ୟାନେଲ ବସାଇ ନଳକୂଅ ଭିତରେ ମୋଟର ବସାଇବା ବେଳକୁ ମୋଟରଟି ନଳକୂଅ ମଧ୍ୟକୁ ଖସିଯାଇଥିଲା। ସେହିଦିନ ଠାରୁ ଗାଁର ପ୍ରାଣ କୁହାଉଥିବା ଏହି ନଳକୂଅଟି ଅଚଳ ହୋଇପଡିଛି। ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ପମ୍ପଟିକୁ କାଢ଼ିବା ପାଇଁ କୌଣସି ପ୍ରଚେଷ୍ଟା କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ରେ ଅନ୍ୟ ନଳକୂଅ ଗୁଡିକ ଶୁଖି ଯାଇଥିବା ବେଳେ ଏହି ନଳକୂପର ମରାମତିରେ ହେଉଥିବା ଅହେତୁକ ବିକମ୍ବ ଗ୍ରାମବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି। ଖରା ଦିନ ଆସୁ ଆସୁ ଗ୍ରାମରେ ଜଳକଷ୍ଟ ଦେଖା ଦେଲାଣି। ଲୋକମାନେ ପିଇବା ପାଣି ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି। କିନ୍ତୁ ପ୍ରଶାସନ ଯେତିକି ଗୁରୁତ୍ବ ଦେଇ ଏହି ସମସ୍ୟାର ସମାଧାନ କରିବା କଥା କରୁନି। ଫଳରେ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକା‌ଶ ପାଇଛି। ଏ ସମ୍ପର୍କରେ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକଙ୍କୁ ପଚାରିବାରୁ ସୌରଚାଳିତ ପମ୍ପ ସ୍ଥାପନା କରୁଥିବା ସଂସ୍ଥା ସହ ଯୋଗାଯୋଗ କରାଯାଇଛି ଓ ଖୁବଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର