ପଦାବାଗ୍ରୀ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ ଘଟଣା :୨ଆନ୍ଥ୍ରାକ୍ସ ଆକ୍ରାନ୍ତ ଚିହ୍ନଟ

ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତର ପଦାବାଗ୍ରୀ ଗ୍ରାମରେ ପ୍ରାୟ ୧ସପ୍ତାହ ହେଲା ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଗତ ଶୁକ୍ରବାର ଦିନ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସପ୍ତାହକ ମଧ୍ୟରେ ୧୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା କରିଛନ୍ତି। ଗ୍ରାମର ଧିରମନ ପରଜା ଓ କିରିଲୁ ପରଜା ଆନ୍ଥ୍ରାକ୍ସରେ ଆତଙ୍କ ଥିବା ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ଜଣାପଡିଥିବା ଏହି ଟିମ୍ ସୂଚନା ଦେଇଛି। ଅନ୍ୟପଟେ ଅଜଣା ରୋଗରେ ମୃତ୍ୟୁବରଣ କରିଥିବା ଗୋରୁଙ୍କ ମାଂସ ଖାଇବା ଯୋଗୁଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ପଦାବାଗ୍ରୀ ଗ୍ରାମର ବାଧିରମନ ପରଜାଙ୍କ ୫ଟି ଗାଈ, ଚନ୍ଦ୍ର ଜାନୀଙ୍କ ଗୋଟିଏ ମଇଁଷି, ସାଧବ ପରଜାଙ୍କ ୩ଟି ଗାଈ, ଡମ ପରଜାଙ୍କ ଗୋଟିଏ ଗାଈ, ମୋହନ ପରଜାଙ୍କ ଗୋଟିଏ ଗାଈ ଅଜଣା ରୋଗରେ ମୃତ୍ୟୁବରଣ କରିଥିଲେ। ଏହି ମୃତ ଗୋରୁ ଗୁଡିକୁର ମାଂସ ଗ୍ରାମର କିଛି ଲୋକ ଖାଇଥିଲେ। ମଲା ଗୋରୁର ମାଂସ ଖାଇଥିବା କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗତ ଶୁକ୍ରବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଏହି ଗ୍ରାମର ଅଭି ମୁଦୁଲି ଓ ଭାସ୍କର ଖୋସ୍ଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିଲା। ସେହିପରି ସପ୍ତାହକ ମଧ୍ୟରେ ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଏହି ଖବର ପାଇ ଆଜି କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ଧିରମନ ପରଜା ଓ କିରିଲୁ ପରଜା ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏମାନଙ୍କୁ ଡାକ୍ତରୀ ଦଳ ପଚାରିବା ପରେ ମଲା ଗୋରୁର ମାଂସ ଖାଇଥିବା ଉଭୟେ ସ୍ବୀକାର କରିଥିଲେ। ଏହା ଜାଣିବା ପରେ ମୃତ ଗୋରୁ ମାଂସ ନଖାଇବାକୁ ଏହି ଟିମ୍ ଗ୍ରାମବାସୀଙ୍କୁ ସଚେତନ କରାଇଥିଲା। ଝାଡ଼ାବାନ୍ତି ହେବା ସହ ମୁଣ୍ଡ ବୁଲାଇଲେ ଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଏହି ଟିମ୍ ମଧ୍ୟ କହିଥିଲା। ଏହି ଟିମ୍‌ରେ ଦଶମନ୍ତପୁର ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଅହଲ୍ୟା କୁମାରୀ ମୁଦୁଲି, ମନୋଜ କୁମାର ନାୟକ, କୋରାପୁଟରୁ ରଂଜିତ କୁମାର ଖଟୁଆ, ଏଲଟି ଜ୍ଞାନେଶ୍ବରୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପଟେ ଗ୍ରାମର ୨ଜଣ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହେବା ପରେ ଶୀଘ୍ର ପ୍ରାଣୀ ବିଶେଷଜ୍ଞ ଗାଁରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବାକୁ ଦାବି ହୋଇଛି। ଏନେଇ ପ୍ରାଣୀ ବିଶେଷଜ୍ଞ ତନ୍ମୟ କୁମାର ସାହୁଙ୍କୁ ପଚାରିବାରୁ ଶୀଘ୍ର ଗାଁରେ ପହଞ୍ଚି ଗୃହପାଳିତ ପଶୁଙ୍କୁ ପ୍ରତିଷେଧକ ଟୀକା ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର