ରାସ୍ତା ମଝିରେ ମୃତ୍ୟୁର ଖୁଣ୍ଟ

ଜୟପୁର: ରାସ୍ତା ମଝିରେ ମୁଣ୍ଡ ଟେକି ଠିଆ ହୋଇଛି ମୃତ୍ୟୁର ଖୁଣ୍ଟ। ଗୋଟିଏ ଯୋଡିଏ ନୁହଁ ବହୁ ସଂଖ୍ୟାରେ ବିଦ୍ୟୁତ ଖୁଣ୍ଟ ଏମିତି ବିପଦ ସଂକୁଳ ଅବସ୍ଥାରେ ରହିଛି। ଏଥିପାଇଁ କୌଣସି ମୁହୂର୍ତରେ ବି ଦୁର୍ଘଟଣା ଘଟିପାରେ ବୋଲି ଆଶଂକା କରାଯାଉଛି। ତଥାପି ଏଥିପ୍ରତି କାହାର ନିଘା ନଥିବା ଦେଖିବାକୁ ମିଳିଛି। ଜନ ଗହଳିପୂର୍ଣ୍ଣ ରାସ୍ତାରେ ଏମିତି ଖୁଣ୍ଟକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ରାସ୍ତା ନିର୍ମାଣ ସମୟରେ ସମସ୍ୟା ସୃଷ୍ଟି ହେଉଛି। ଠିକାଦାର ମଧ୍ୟ ବିନା ପ୍ରତିବାଦରେ ଖୁଣ୍ଟ ଦୁଇ ପଟେ ରାସ୍ତା ନିର୍ମାଣ କରି ଚାଲିଛନ୍ତି। ଉଭୟ ସାଉଥକୋ ଓ ରାସ୍ତା ନିର୍ମାଣ କରୁଥିବା ବିଭାଗର ମଧ୍ୟରେ ତାଳମେଳ ଅଭାବରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ କର୍ତ୍ତୃପକ୍ଷ ପରସ୍ପର ଉପରକୁ ଦୋଷ ଲଦୁଥିବା ବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।
ସହର ଜନଗହଳିପୂର୍ଣ୍ଣ ସ୍ଥାନ ରୂପେ ପାରାବେଡା ଅଞ୍ଚଳ ପରିଚିତ। ଏହି ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ସାଙ୍ଗକୁ ବହୁ କୋଠା ରହିଛି। ଗତ ଦିନରେ ଆର ଆଣ୍ଡ ବି ପକ୍ଷରୁ ଏହି ରାସ୍ତାର ସଂପ୍ରସାରଣ କରାଯାଇଥିବା ବେଳେ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ସ୍ଥାନାନ୍ତର କରାଯାଇ ନଥିଲା। ତେଣୁ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଗୁଡିକ ରହିଛି। ପରିସ୍ଥିତି ଏପରି ଉପୁଜିଛି ଯେ ସାମାନ୍ୟ ଅନ୍ୟମନସ୍କ ହେଲେ ଅଘଟଣ ସୁନିଶ୍ଚିନ୍ତ। ୫୦୦ମିଟର ବିଶିଷ୍ଟ ଏହି ରାସ୍ତାରେ ପ୍ରାୟ ୨୩ଟି ୧୧କେଭି ଓ ୪୪୦ ଭୋଲ୍ଟର ବିଦ୍ୟୁତ ଖୁଣ୍ଟ ରହିଛି। ଏହାକୁ ଯଦି ବ୍ୟବସ୍ଥିତ ଭାବେ କର୍ତ୍ତୃପକ୍ଷ ବ୍ୟବହାର କରିଥାନ୍ତେ ତେବେ ଏଭିଳି ସ୍ଥିତି ଉପୁଜି ନ ଥାନ୍ତା ବୋଲି ମତପ୍ରକାଶ ପାଇଛି। ଖାଲି ଯେ ବିଦ୍ୟୁତ ଖୁଣ୍ଟ ଅଛି ତାହା ନୁହେଁ ରାସ୍ତ ମଝିରେ ନଳକୂପ ମଧ୍ୟ ରହିଛି।
ସେହିପରି କୁମ୍ଭାର ସାହି ରାସ୍ତା ସଂପ୍ରସାରଣ ହେବାପରେ ୩୦ରୁ ଅଧିକ ଲୁହା ଓ କଙ୍କ୍ରିଟ ବିଦ୍ୟୁତ ଖୁଣ୍ଟ ଏବେ ମଝି ରାସ୍ତାରେ ରହିଛି। ଖାଲି ଯେ ବିଦ୍ୟୁତ ଖୁଣ୍ଟ ରହିଛି ତାହା ନୁହଁ କୁମ୍ଭାର ସାହି ରାସ୍ତାର ଠିକ ମଝିରେ ଏକ ନଳକୂପ ମଧ୍ୟ ରହିଥିବା ଦେଖିବାକୁ ମିଳିଛି। ଦିନରେ ଯେମିତି ସେମିତି ଚଳିଯାଉଥିବା ବେଳେ ସନ୍ଧ୍ୟା ନଇଁଲେ ଷ୍ଟ୍ରିଟ ଲାଇଟ ଅଭାବରୁ ଏହି ଖୁଣ୍ଟ ଓ ଟ୍ୟୁବେଓ୍ଵଲ ଦୂଶ୍ୟମାନ ହେଉ ନ ଥିବା ଜଣାପଡିଛି। ସେହିପରି ହନାଗୁଡାରେ ମଧ୍ୟ ସମାନ ସ୍ଥିତି। ରାସ୍ଥା ସମ୍ପ୍ରସାରଣ ପୂର୍ବରୁ ବିଦ୍ୟୁତ ଖୁଣ୍ଟକୁ ଉଠା ନ ଯିବାରୁ ରାସ୍ତାର ଠିକ ମଝିରେ ବିଦ୍ୟୁତ ଖୁଣ୍ଟ ଠିଆ ହୋଇଥିବା ଦେଖିବାକୁ ମିଳିଛି।
ଏନେଇ ସାଉଥକୋ ଏସସି ନେତାଜୀ ସୁବୁଦ୍ଧି କହିଛନ୍ତି ଯେ ଯେଉଁ ବିଭାଗ ସହର ମଧ୍ୟରେ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଉଛି ତାହା ପୂର୍ବରୁ ସାଉଥକୋ ପକ୍ଷରୁ ଅନୁମତି ନେବା ଉଚିତ। ଏହାସହ କେତୋଟି ବିଦ୍ୟୁତ ଖୁଣ୍ଟ ଉଠାଯିବ ସେନେଇ ଆଲୋଚନା କରିବା କଥା। କର୍ତ୍ତୃପକ୍ଷ ଏହି ଖୁଣ୍ଟ ଉଠାଇ ରାସ୍ତା କଡରେ ବସାଇବା ଖର୍ଚ୍ଚ ବହନ କରିବାକୁ ରାଜି ହେଲେ ସେମାନେ ନିଜେ ଏହାକୁ କରିପାରିବେ। ଯଦି ନ କରିପାରିବେ ତେବେ ଏନେଇ ଆମକୁ ବିଦ୍ୟୁତ ଖୁଣ୍ଟର ସଂପ୍ରସାରଣ ନେଇ ବ୍ୟୟ ବରାଦ ଖର୍ଚ୍ଚ ବହନ କଲେ ସାଉଥକୋ ପକ୍ଷରୁ ଏହାକୁ କିଛି ଦିନ ମଧ୍ୟରେ କରି ଦିଆଯିବ।

କିନ୍ତୁ କେହି ଚିଠି କରି ଅବଗତ ନ କରୁନାହାନ୍ତି। ଫଳରେ ଏପରି ସ୍ଥିତି ଉପୁଜିଛି। କୁମ୍ଭାର ସାହିରେ ଥିବା ବିଦ୍ୟୁତ ଖୁଣ୍ଟର ସ୍ତାନାନ୍ତରଣ ପାଇଁ ୩୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ରାସ୍ତା ଉପରେ ଥିବା ଖୁଣ୍ଟକୁ ସ୍ଥାନାନ୍ତର କରିବାକୁ କୌଣସି ବିଭାଗ ପକ୍ଷରୁ ସୂଚନା ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗ ଏସସି ନବୀନ ଚନ୍ଦ୍ର ଦୋରା କହିଛନ୍ତି ଯେ ସତ୍ୟ ଅଧିକାରୀ ଛକରୁ ଝାଙ୍କଡଦେଇ ମନ୍ଦିର ଯାଏଁ ଥିବା ରାସ୍ଥାର ସଂପ୍ରସାରଣ ହେବା ପରେ ବିଦ୍ୟୁତ ଖୁଣ୍ଟ ଗୁଡିକର ସ୍ଥାନାନ୍ତର ପାଇଁ ସାଉଥକୋ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ସାଉଥକୋ କର୍ତ୍ତୃପକ୍ଷ ଏନେଇ ୨୭ ଲକ୍ଷ ଟଙ୍କାର ବ୍ୟୟବରାଦ ହେବା ସହ ଟେଣ୍ଡର ପକ୍ରିୟା ଶେଷ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର