ବିଦ୍ୟୁତ କାଟ୍‌କୁ ନେଇ ପାଟିତୁଣ୍ଡ:ପରସ୍ପର ବିରୋଧରେ ଏତଲା ଦେଲେ ଯନ୍ତ୍ରୀ ଓ ବ୍ୟବସାୟୀ

ଲକ୍ଷ୍ମୀପୁର: ବିଦ୍ୟୁତ ବିଲ୍‌ ନଦେଇ ସଂଯୋଗ କାଟିଲା ସାଉଥକୋ। ଏନେଇ ଅଭିଯୋଗ କରିବାରୁ କାର୍ଯ୍ୟାଳୟରେ ସୃଷ୍ଟି ହେଲା ଉତ୍ତେଜନା। ଶେଷରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି ଲକ୍ଷ୍ମୀପୁର ଅଞ୍ଚଳର ଜଣେ ବ୍ୟବସାୟୀ ଓ ସାଉଥକୋ ଯନ୍ତ୍ରୀ। ଲକ୍ଷ୍ମୀପୁର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ୨ବର୍ଷ ତଳେ ଲକ୍ଷ୍ମୀପୁରର ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ନିଜ ଦୋକାନ ପାଇଁ ବିଦ୍ୟୁତ ସଂଯୋଗ ନେଇଥିଲେ। ଆବଶ୍ୟକ ଟଙ୍କା ଦାଖଲ କରିବା ପରେ ଦୋକାନରେ ମିଟର ଲାଗିଥିଲା। କିନ୍ତୁ ମିଟର ଲାଗିବା ପରଠାରୁ ଏପର୍ଯ୍ୟନ୍ତ ତାଙ୍କୁ ଗୋଟିଏ ବି ବିଦ୍ୟୁତ ବିଲ୍‌ ଦିଆଯାଇ ନଥିଲା। ତେବେ ମାର୍ଚ୍ଚ ମାସ ସୁଦ୍ଧା ବିଦ୍ୟୁତ ବିଲ୍‌ ପୈଠ କରିବାକୁ ପୂର୍ବରୁ ଘୋଷଣା କରିଥିବା ସାଉଥକୋ ବିନା ସୂଚନାରେ ପ୍ରଫୁଲ୍ଲଙ୍କ ଦୋକାନର ବିଦ୍ୟୁତ ସଂଯୋଗ କାଟି ଦେଇଥିଲା। ବିଦ୍ୟୁତ ସଂଯୋଗ କାଟିବା ସମୟରେ ବ୍ୟବସାୟୀ ଜଣକ ଲକ୍ଷ୍ମୀପୁରରେ ନଥିଲେ। ସେ ଫେରିବା ପରେ ଏନେଇ ଜାଣିଥିଲେ। ତେଣୁ ଅଭିଯୋଗ ନେଇ ବିଭାଗୀୟ କାର୍ଯ୍ୟାଳୟକୁ ଯାଇଥିଲେ। ବକେୟା ପୈଠ କରି ନଥିବାରୁ ଯନ୍ତ୍ରୀ ଗୋପବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଦୋକାନରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଏହାକୁ ନେଇ କାର୍ଯ୍ୟାଳୟରେ ବ୍ୟବସାୟୀ ଜଣକ ପ୍ରତିବାଦ କରିଥିଲେ। ଯାହାଫଳରେ କାର୍ଯ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପାଟିତୁଣ୍ଡ କାର୍ଯ୍ୟାଳୟ ମଧ୍ୟରେ ସୀମିତ ନରହି ଥାନାରେ ଯାଇ ପହଞ୍ଚିଛି। ଉଭୟ ପକ୍ଷ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ସଂପର୍କରେ ଯନ୍ତ୍ରୀ ଗୋପବନ୍ଧୁ ନାୟକଙ୍କୁ ପଚାରିବାରୁ ଭୁଲ ବଶତଃ ବ୍ୟବସାୟୀଙ୍କୁ ବିଦ୍ୟୁତ ବିଲ୍‌ ଦିଆଯାଇନଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଯେଉଁମାନେ ବିଦ୍ୟୁତ ବିଲ୍‌ ପାଇନାହାନ୍ତି, ସେମାନଙ୍କୁ ଅଫିସକୁ ଯାଇ ବିଲ ସଂପର୍କରେ ଜାଣିବାକୁ କୁହାଯାଇଥିଲା। କିନ୍ତୁ ବ୍ୟବସାୟୀ ଏହା ନକରି ବିଦ୍ୟୁତ କାଟ କରାଗଲା ପରେ ଏଭଳି ଗାଳି ଗୁଲଜ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତିି। ଅପରପକ୍ଷରେ ସାଉଥ୍‌କୋ ପକ୍ଷରୁ ବିଲ ପ୍ରଦାନ ନକରି ନିଜ ଇଛା ମୁତାବକ ବିଦ୍ୟୁତ ସଂଯୋଗ କାଟିବା ପରେ ଏଠାରେ ଉପୁଜିଥିବା ବିବାଦ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଛି।

ସମ୍ବନ୍ଧିତ ଖବର