ଜୟପୁର: ଭାଲୁ କାମୁଡ଼ାରେ ଜଣେ ଚାଷୀ ବୁଧବାର ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ପଞ୍ଚାୟତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଛତିଡ଼ିଫୁଟ ଗାଁର ଯୁଧିଷ୍ଠି ପେଣ୍ଠିଆ (୫୦) ନିଜ ବିଲରେ କାମ କରୁଥିବା ବେଳେ ବୁଦା ଭିତରୁ ଏକ ଭାଲୁ ବାହାରି ପଡ଼ିଥିଲା ଓ ଆକ୍ରମଣ କରିଥିଲା। ଭାଲୁ ଯୁଧିଷ୍ଠିର ମୁଣ୍ଡ, ପିଠି ଓ ଜଙ୍ଘକୁ ଆକ୍ରମଣ କରିଛି। ଭାଲୁଟି ଆକ୍ରମଣ କରୁଥିବା ବେଳେ ଯୁଧିଷ୍ଠି ଜୋରରେ ଚିତ୍କାର କରୁଥିଲେ। ଏହି ସମୟରେ ନିକଟ ବିଲରେ କାମ କରୁଥିବା ଲୋକେ ଯୁଧିଷ୍ଠିଙ୍କୁ ବଞ୍ଚାଇବା ପାଇଁ ବାଡ଼ି-ଠେଙ୍ଗା ଧରି ପହଞ୍ଚିଥିଲେ।
ଭୟରେ ଭାଲୁଟି ଜଙ୍ଗଲ ଭିତରକୁ ପଶି ଯାଇଥିଲା। ପରେ ସ୍ଥାନୟୀ ଲୋକେ ଯୁଧିଷ୍ଠିଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।