ଚାଷୀଙ୍କ ପ୍ରଶ୍ନ କେତେ ଦିନ ପରେ ଧାନ ଉଠିବ? ମଣ୍ଡିରେ ଆଉ କେତେ ଦିନ ଧାନ ରଖି ଜଗିବୁ

ଜୟପୁର : କୋରାପୁଟ ଜିଲ୍ଲାର ଚାଷୀଙ୍କ ପ୍ରଶ୍ନ ଆଉ କେତେ ଦିନ ମଣ୍ଡିରେ ଧାନକୁ ରଖି ଜଗିବୁ । କେବେ ପ୍ରଶାସନ ଧାନ ଉଠାଇବ। ସରକାର କଣ ଆଗରୁ ହୋଇଥିବା ପଂଜିକରଣ ଓ ଧାନ ଅମଳର ବିବରଣୀ ଜାଣି ନଥିଲେ କି? ଏବର୍ଷ ଏ କି ଡ୍ରାମା ଚାଲିଛି। ଖରା , ବର୍ଷା, ଶୀତରେ ଚାଷ କରିଥିଲୁ। ଧାନ ଅମଳ କରି ମଣ୍ଡିରେ ବିକ୍ରି କରି ଧାର ଉଧାର ସୁଝିବୁ ବୋଲି ଭାବିବା ସମୟରେ ଏଭଳି ଅବସ୍ଥା । ଆମ ଚାଷୀଙ୍କୁ କେବେ ବି ସୁଖ ମିଳିବ ନାହିଁ କି । ଗତ ୭ଦିନ ହେବ ମଣ୍ଡିରେ ପଡ଼ି ରହିଛୁ । ଆଉ କେତେ ଦିନ ପଡ଼ି ରହିବୁ ବୋଲି କହିଛନ୍ତି କାମରା ମଣ୍ଡିରେ ଚାଷୀ ଭଗବାନ ଭତରା, ଅଙ୍କୁର ହରିଜନ, ଶୁଭେନ୍ଦୁ ପଣ୍ଡା, କେଦାର ଅମନାତ୍ୟ, ଇଶାନ୍ ସିଂ, ଏମକେ ସିଂ । ଏବେ ଚାଷୀ ମାନେ ମଣ୍ଡିରେ ଘର କରିଛନ୍ତି । ପରିବାରର ଜଣେ ଜଣେ ସଦସ୍ୟ ମାନେ ଦିନ ରାତି ପାଳି କରି ଧାନକୁ ଜଗି ବସୁଛନ୍ତି। କାମରା ମଣ୍ଡିରେ ହିଁ ନୁହେଁ କୁମୁଲିପୁଟ, ଜୟନ୍ତଗିରୀ, ଉମୁରୀ ଆରଏମସି ମଣ୍ଡି ଆଦିରେ ଚାଷୀ ମାନେ ଧାନ ଆଣି ଜମା କରି ନିଜ ନିଜ ଧାନ ନିକଟରେ ଜଗି ବସି ରହୁଥିବା ଦେଖିବାକୁ ମିଳିଛି । ଏପରିକି ଏତେ ଧାନ ଜମା ହୋଇଥିବା ମଣ୍ଡି ଗୁଡିକରେ ସ୍ଥାନ ଅଭାବ ଥିବାରୁ ମଣ୍ଡି ପାଇଁ ଚିହ୍ନଟ ସ୍ଥାନର ଚାରି ପାର୍ଶ୍ବରେ ଧାନ ବସ୍ତା ଜମା କରି ରଖିଥି‌ବା ଦେଖିବାକୁ ମିଳିଛି। ଚୋରି, ଲୁଟର ସମ୍ଭାବନା ସହ କେତେ ବେଳେ ନିଆଁ ଲାଗିବା କିମ୍ବା କିଛି ଅଘଟଣକୁ ବି ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ଚାଷୀ ଗୁପ୍ତ ପୁଜାରୀ, ଭଦ୍ର ପୁଜାରୀ, ନରେନ୍ଦ୍ର ବିନ୍ଧାଣୀ, ବୈଦ୍ୟନାଥ ପେଣ୍ଟିଆ। ପ୍ରଶାସନର ନିର୍ଦେଶରେ ଆମେ ମଣ୍ଡିରେ ଆଣି ଧାନ ଜମା କରି ରଖିଲୁ। ସ୍ବତନ୍ତ୍ର ଦଳର ଯାଂଚ ବି ସରିଲା। ଏବେ କେତେ ଦିନରେ ଧାନ ଉଠାଇବ ପ୍ରଶାସନ ବୋଲି ଚାଷୀ ସୁଶାନ୍ତ ପାଣିଗ୍ରାହୀ, ରବି ଭତରା, କେଶବ ବଡ଼ନାୟକ ପ୍ରଶ୍ନ କରିଛନ୍ତି।

ସେଭଳି ଆରଏମସି ପରିଚାଳନା କମିଟିର ଉପସଭାପତି ବାଲାରାୟ, ସଭ୍ୟ ଅରୁଣ ଭଟ୍ଟମିଶ୍ର, ଦେବେନ୍ଦ୍ର ବାହିନୀପତି, ନବୀନ ନାୟକ ପ୍ରମୁଖ ବି କାମତା , କୁମିଲି,ରତାଲି, ବେଣାଗାଁ,ତାରାଭଟ୍ଟା, ହର୍ଦ୍ଦଳି, ବୋରିଗୁମ୍ମା, ନୂଆଗାଁ, କୁସିମି, ଖଟଲାପଦର, କୁନ୍ଦ୍ରା, ବୈପାରୀଗୁଡା, ଦୋରାଗୁଡା,  କୁମିଲିପୁଟ, ଡଙ୍ଗରଚିଂଛି ଆଦି ବିଭିନ୍ନ ମଣ୍ଡି ବୁଲି ଧାନ ଜମା ହୋଇ ରହିଥିବା ଦେଖିଥିବା କହିଛନ୍ତି ଉପସଭାପତି ଶ୍ରୀ ରାୟ। ତୁରନ୍ତ ପ୍ରଶାସନ ଧାନ ଉଠାଇବା ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ଶ୍ରୀରାୟ।  ସରକାରଙ୍କୁ ସ୍ବତନ୍ତ୍ର ଦଳର ରିପୋର୍ଟ ପଠାଯିବ। ଟାର୍ଗେଟ ଆସିଲେ ତୁରନ୍ତ କ୍ରୟକାରୀ ସଂସ୍ଥା ଓ ମିଲରସଙ୍କ ସହ ଟ୍ୟାଗିଂ କରି ସବୁ ମଣ୍ଡିରୁ ଧାନ ଯୁଦ୍ଧକାଳୀନ ଭିତ୍ତିରେ ଉଠାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ।

ସମ୍ବନ୍ଧିତ ଖବର