ଧାନ ଗଦାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ

ବୈପାରିଗୁଡା : ବୈପାରିଗୁଡା ବ୍ଲକ ଅଧିନସ୍ଥ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ମହୁଲପୁଟ ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଅନୁଯାୟୀ ମହୁଲପୁଟ ଗ୍ରାମର ୧୦ ଜଣ ଚାଷୀ ଖଳାରେ ନିଜ ନିଜର ଧାନ ଜମିରୁ କାଟି ଆଣି ଗଦା କରିଥିଲେ। ଆଜି ଅପରାହ୍ନ ୪.୩୦ ସମୟରେ ଖଳା ନିକଟରେ ପାଞ୍ଚ ଜଣ ପିଲା ଖେଳୁଥିଲେ।

ତେବେ ଖଳାରେ ଲାଗିଥିବା ନିଆଁ ସେମାନଙ୍କ ଅଜାଣତରେ ଛିଟିକି ଗୋଟିଏ ଗଦାରେ ପଡ଼ି ନିଆଁ ଲାଗିଯାଇଥିଲା।ଦେଖୁ ଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିବାକୁ ଲାଗିଲା। ଗ୍ରାମବାସୀ ବୈପାରିଗୁଡା ଦମକଳ କେନ୍ଦ୍ର କୁ ଫୋନ୍ କରିବାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ କିନ୍ତୁ ୫ଟି ଧାନ ଗଦାରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ଫଳରେ ଅନ୍ୟ ପାଞ୍ଚଟି ଧାନଗଦା ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ସାଧୁ ମାଳିଙ୍କର ଦୁଇ ଏକର, ବାସୁ ମାଳିଙ୍କର ଦୁଇ ଏକର, କେଶବ ମାଳିଙ୍କର ତିନି ଏକର, ମୋହନ ମାଳି ଏବଂ ମୁକୁନ୍ଦ ମାଳିଙ୍କର ତିନି ଏକର ଜମିର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ରେ ସହଯୋଗ କରିଥିଲେ। ଏଥିରେ ଅନ୍ୟମାନଙ୍କ ଲକ୍ଷାଧିକ ଟଙ୍କାର ଧାନ ବଞ୍ଚିବାରେ ସହାୟ ହେଲା।

ସମ୍ବନ୍ଧିତ ଖବର