ଜୟପୁର: ନାମକୁ ମାତ୍ର ସଟ୍‌ଡାଉନ୍‌, ବେଧଡକ ଭାବେ ଚାଲିଛି ଆମିଷ ବିକ୍ରି

ଜୟପୁର: ବାଇକ ନହେଲେ ସାଇକେଲ ଚଢ଼ୁଛନ୍ତି। କିଛି ନ ହେଲେ ଚାଲି ଚାଲି ବୁଲୁଛନ୍ତି। ପ୍ରଶାସନର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। କିନ୍ତୁ ଲୋକେ ଏହାକୁ ଖାତିର କରୁନାହାନ୍ତି। ମଧ୍ୟାହ୍ନ ବେଳେ ନିୟମ କିଛିଟା ମାନୁଥିବା ବେଳେ ସକାଳୁ ଓ ସନ୍ଧ୍ୟାରେ ଉଂଲଘନ କରୁଛନ୍ତି। ଯୁବକମାନେ ସାହିକୁ ସାହି ବୁଲୁଥିବା ବ‌େଳେ ବୃଦ୍ଧାମାନେ ବିଭିନ୍ନ ସ୍ଥାନରେ ବସି ଖଟି କରୁଛନ୍ତି। ଅମାନିଆକୁ ରାସ୍ତାରେ ଅଟକାଇ ପୁଲିସ ତାଗିତ କରୁଛି, କିନ୍ତୁ ଘଡିଏ ପରେ ତାହାକୁ ଲୋକେ ଭୁଲଯାଉଛନ୍ତି। ଯାହାଫଳରେ ଲକ୍‌ଡାଉନ୍ ପରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌କୁ କେହି ଖାତିର କରୁ ନାହାନ୍ତି। ଜୟପୁର ସହରରେ ସଟଡାଉନ୍ କେବଳ ନାମକୁ ମାତ୍ର ହୋଇଥିବା ଭଳି ମ‌ନ‌େ ହେଉଛି। କାହିଁକି ନା ସାହି ସାହିରେ ଜଳଖିଆ ଦୋକାନ ଖୋଲା ରହୁଥିବା ବେଳେ ରାସ୍ତା କଡରେ ଆମିଷ ବଜାର ଖୋଲା ରହୁଥିବାର ଆଜି ଦେଖିବାକୁ ମିଳିଛି।

          ପୁଲିସ ଓ ପ୍ରଶାସନର ନିର୍ଦ୍ଦେଶ ଆମନିଆଙ୍କୁ କାଟୁ କରୁ ନାହିଁ। ପୁଲିସ ସହରର ବିଭିନ୍ନ ଛକ ଓ ସାହିରେ ପଇଁତରା ମାରୁଛି। ଏପରିକି ବହୁ ସ୍ଥାନରେ ଚେକିଂ କରି ଜରିମାନା ମଧ୍ୟ ଆଦାୟ କରୁଛି। କରୋନା ଦ୍ବିତୀୟ ଲହର ଆସିବା ପରେ ପୁଣି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ କଟକଣା ଫେରିଛି। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହୁଥିବା ବେଳେ ପରବର୍ତ୍ତୀ ସମୟରେ ତାହା ସବୁ ବନ୍ଦ ରହୁଛି। ଏଥିସହ ୧୨ଟା ପରେ ଘରୁ ବାହାରକୁ ଯିବାକୁ ବାରଣ ମଧ୍ୟ କରାଯାଇଛି। ସେହିପରି ଶନିବାର ଓ ରବିବାର ଦୁଇ ଦିନିଆ ସଟ୍‌ଡାଉନ୍‌ରେ ଅତ୍ୟାଆବଶ୍ୟକ ନଥିଲେ ଘରୁ ଅଦୌ ନ ବାହାରିବା ପାଇଁ ନିର୍ଦ୍ଦେଶ ହୋଇଛି। ଏଥିସହ ସମସ୍ତ ଦେକାନ ବଜାର ବନ୍ଦ ପାଇଁ ଘୋଷଣା ହୋଇଛି। କିନ୍ତୁ ଏହି ସମୟରେ ଜୟପୁର ସହରର ବିଭିନ୍ନ ସାହିରେ ଜଳଖିଆ ଦେକାନ ଖୋଲା ରହୁଛି। ଲୋକେ ସକାଳୁ ସକାଳୁ ଜଳଖିଆ ଖାଇବା ସହ ପାର୍ସାଲ ନେବା ପାଇଁ ଦୋକାନ ସମ୍ମୁଖରେ ପହଞ୍ଚି ଯାଉଛନ୍ତି। ଏଥିସହ ଦୋକାନ ଭିତରେ ଲୁଚିକି ବସି ମଧ୍ୟ ବହୁ ବ୍ୟକ୍ତି ମଧ୍ୟ ଖାଉଛନ୍ତି। ଏଥିସହ ଆଜି ରବିବାର ଭଲ ବାର ପଡିଥିବାରୁ ଲୋକ‌େ ଆମିଷ ଖାଇବା ପାଇଁ ଆଗ୍ରହୀ ହୋଇଛନ୍ତି। ଏଥିପାଇଁ ସହରର କେତେକ ଦୋକନୀ ସକାଳୁ ଚିକେନ୍ କାଟି ତାକୁ ଓଜନ କରି ପ୍ରସ୍ତୁତ କରି ରଖିଥାନ୍ତି ଗ୍ରାହାକ ଯିବା ମାତ୍ରକରେ ପଲିଥିନ ବଢ଼ାଇ ଦେଇ ଟଙ୍କା ନେଇ ଯାଆନ୍ତି। ଏଭଳି ଭାବ‌େ ମାଂସ ବେପାର ଚାଲିଥିବା ବେଳେ ମାଛ ବେପାର ଖୁଲମ୍‌ଖୁଲା ଭାବେ ଚାଲିଛି। ସ୍ଥାନୀୟ ଇକ୍ଷ୍ମୀପଣ୍ଡା ଛକ ଠାରୁ ଜୟନଗର ଛକ ମଧ୍ୟରେ କିଏ ରାସ୍ତା କଡରେ ତ ଆଉ କିଏ ଗଛ ମୂଳରେ ମାଛ ପସରା ପକାଇଛନ୍ତି। ଲୋକ‌େ କିଏ ବାଇକରେ ତ ଆଉ କିଏ ସାଇକଲରେ ବ୍ୟାଗ ଧରି ମାଛ କିଣିବା ପାଇଁ ପହଞ୍ଚି ଯାଉଛନ୍ତି। ସଟ୍‌ଡାଉନ୍‌କୁ ଖାତିର ନକରି ମାଛ କିଣି ଘରକୁ ଫେରୁଛନ୍ତି।

ସଟ୍‌ଡାଉନ୍ ସକାଳୁଆ ଦୃଶ୍ୟ ଏମିତି ରହିଥିବା ବେଳେ ସନ୍ଧ୍ୟାର ଦୃଶ୍ୟ ତାଠାରୁ କିଛି ଅଲଗା ରହୁଛି। ଦିନ ତମାମ୍ ଘରେ ରହିବା ପରେ ଲୋକ‌େ ସନ୍ଧ୍ୟାରେ ବୁଲିବା ପାଇଁ ଘରୁ ବ‌ାହାରି ଆସୁଛନ୍ତି। ମୁଖ୍ୟ ଛକରେ ପୁଲିସ ଜଗୁଥିବା ବେଳେ ଲୋକ‌େ ଗଳି କିମ୍ବା ସାହି ରାସ୍ତା ଦେଇ ବାଇକ ଧରି ବୁଲୁଛନ୍ତି। ଏଥିସହ ସାହିରେ ଗୋଟିଏ ସ୍ଥାନରେ ଜମା ହୋଇ ଖଟି କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଏଭଳି ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର