ନୂଆ ଟେକନିକରେ ଜୁଆଆଡ୍ଡା ପରିଚାଳନା: କୋଭିଡ୍ ମାର୍ଗଦର୍ଶିକାକୁ ଅବମାନନା କରୁଥିବା ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଜୟପୁର: ଜୟପୁର ସଦରଥାନାର ପଦ୍ମପୁର ଚାଲୁଥିଲା ଜୁଆଆଡ୍ଡା। ତାହା ପୁଣି ନୂଆ ଟେକନିକରେ। ପୁଲିସ ଠାରୁ ସୁରକ୍ଷା ଦେବା ପାଇଁ ପୁଣି ନିୟୋଜିତ ଥିଲେ ୫ଜଣ ସେଣ୍ଟ୍ରୀ। ପୁଲିସର ଗତିବିଧିକୁ ଲକ୍ଷ୍ୟରେ ରଖି ସେମାନେ ମୋବାଇଲ ଫୋନ ଯୋଗେ ଜୁଆଡ୍ଡି ଓ ଜୁଆ ଆଡ୍ଡା ଚଳାଉଥିବା ମାଲିକଙ୍କୁ ସୂଚନା ଦେଉଥିଲେ। ତେବେ ଏହାକୁ ଫସର ଫଟାଇଛି ଜୟପୁର ସଦରଥାନା ପୁଲିସ। ୪ଜଣ ସାବଳକ ଓ ଜଣେ ନାବାଳକ ସେଣ୍ଟ୍ରୀ, ୧୬ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୁଲିସ। ତେବେ ଏଠାରେ ଜୁଆ ଆଡ୍ଡା ଚଳାଉଥିବା ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି।

ଏମାନଙ୍କ ନିକଟରକୁ ୭୦ହଜାର ଟଙ୍କା, ୧୩ଟି ମୋବାଇଲ୍ ଫୋନ, ୧୨ଟି ବାଇକକୁ ଜବତ କରିଛି ପୁଲିସ। ଜୟପୁର ଏସଡିପିଓ ଅରୁଫ ଅଭିଶେଖ ବେହେରା ,ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ। କୋଭିଡ୍ ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକା ଲୋକେ ଜମା ହେବା ଉପରେ ରୋକ୍ ଲଗାଯାଇଛି। ତେବେ ଏହି ଜୁଆ ଆଡ୍ଡାରେ ୩୫ରୁ ଉର୍ଦ୍ଧ୍ବ ଜଣ ଜମା ହୋଇ ଖେଳୁଥିବା ସୂଚନା ପାଇଥିଲେ। ଏସଡିପିଓ ଓ ସଦରଥାନା ଅଧିକାରୀ , ଏଏସଆଇ ମନୋରଂଜନ ସାହୁ , ତୁଳସୀ ରାମ ପୁଜାରୀ,ସଦାଶିବ ପୁଜାରୀ, ଘେନୁ ଖେମୁଣ୍ଡୁଙ୍କ ସହ ସଦଳବଳକୁ ନେଇ ପଦମପୁର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୨୨ଜଣ ଧରା ପଡ଼ିଥିବା ବେଳେ ବଳକା ସବୁ ଦଉଡି ଚମ୍ପଟ ମାରିଥିଲେ। ଏହି ୨୨ଜଣଙ୍କ ମଧ୍ୟରୁ ୫ଜଣ ଖେଳ ପରିଚାଳନା କରୁଥିବା ମାଷ୍ଟର ମାଇଣ୍ଡଙ୍କ ନିକଟରେ ସେଣ୍ଟ୍ରୀ ଭାବେ କାମ କରୁଥିଲେ। ଏମାନଙ୍କୁ ଦିନକୁ ୩୦୦ଟଙ୍କା ଦିଆଯାଉଥିଲା। ଏହି ୫ଜଣ ପୁଲିସ କିମ୍ବା ସଂଦେହାସ୍ପଦ ଲୋକଙ୍କୁ ଦେଖିଲେ ତୁରନ୍ତ ଫୋନ କରି ଜଣାଉଥିଲେ।

ପୁଲିସ କୋଭିଡ୍ ସଂକ୍ରମଣ ସହରରେ ହୁ ହୁ ହୋଇ ବଢ଼ୁଥିବା ବେଳେ ଏତେ ଜଣ ଏକା ସ୍ଥାନରେ ଜମା ହୋଇ ଜୁଆ ଖେଳିବାକୁ ଗୁରୁତର ସହ ନେଇ ଦଫା ୨୯୪,୫୦୬,୩୫୩,୧୮୮ଆଇପିସି, ୩ ଓପିଜି ଏବଂ ସେକ୍ସନ ୫୧(ବି)ଡିଏମ୍ ଆକ୍ଟରେ ମାମଲା ରୁଜୁ କରି କୋର୍ଟକୁ ଚାଳାଣ କରିଥିଲେ। ଗିରଫ ଜୁଆଡ୍ଡି ମାନଙ୍କ ମଧ୍ୟରେ ଅଧିକାଂଶ ଜୟପୁର ସହରର ଜଣାଶୁଣା ବ୍ୟକ୍ତି ରହିଛନ୍ତି। ସାଧାରଣତଃ ପୁଲିସ ଜୁଆଡ୍ଡିଙ୍କୁ ଗିରଫ କରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇ ୩ ଓପିଜିରେ ମାମଲା ରୁଜୁ କରିଥାଏ। ତେଣୁ ଖାମଖିଆଲିରେ ଜୁଆଡ଼ିମାନେ ରହିଥିଲେ। ତେବେ ପୁଲିସର ଏତାଦୃଶ୍ୟ କାର୍ୟ୍ୟାନୁଷ୍ଠାନକୁ ନେଇ ଜୁଆଡ୍ଡୀ ମାନଙ୍କ ପରିବାରବର୍ଗ ଚିନ୍ତାରେ ପଡ଼ିଛନ୍ତି। ଏପରିକି କିଛି ଜୁଆଡ୍ଡୀଙ୍କ ପରିବାରର ସଦସ୍ୟ ମାନେ ସହରରେ ବହୁ ସ୍ଥାନରେ ଜୁଆ ଆଡ୍ଡା ଚାଳିଛି ପୁଲିସ ସବୁ ଜାଣି ଚୁପ ରହୁଛି ବୋଲି ଗଣମାଧ୍ୟମ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର