ଗଂଜେଇ ଜବତ, ୨ ଗିରଫ

କୋରାପୁଟ: ଗଂଜେଇ ଚାଲାଣ ବେଳେ ଦୁଇ ଜଣଙ୍କ ଧରିଛି କୋରାପୁଟ ଟାଉନ ଥାନା ପୁଲିସ। ତାଙ୍କ ପାଖରୁ ୩୭କେଜି ୩୦୦ଗ୍ରାମ ଗଂଜେଇ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ ଆଜି ସକାଳେ ପୁଲିସ ପକ୍ଷରୁ ଗାଡି ମୋଟର ଯାଂଚ ବେଳେ ଗୋଟିଏ ନମ୍ବର ବିହୀନ ଆପାଚି ମୋଟର ସାଇକେଲରେ ଦୁଇ ଜଣ ଯାଉଥିବା ଦେଖିବାକୁ ମିଳିଥିଲା। ହେଲେ ସେମାନେ ପୁଲିସକୁ ଦେଖି ଅଟକିବା ବଦଳରେ ଜୋରରେ ଷ୍ଟେସନ ଆଡକୁ ପଳାଇଥିଲେ। ଏହା ଦେଖି ପୁଲିସ ସେମାନଙ୍କ ପିଛା କରି ଷ୍ଟେସନ ଛକ ପାଖରେ ଧରିଥିଲା। ସେମାନଙ୍କ ଗତିବିଧି ସନ୍ଦେହ ଜନକ ହେବାରୁ ସେମାନେ ଧରିଥିବା ଦୁଇଟି ବ୍ୟାଗ ଯାଂଚ କରାଯାଇଥିଲା। ଏଥିରୁ ଗଂଜେଇ ମିଳିଥିଲା।

ଏହା ସହ ଏଟିଏମ କାର୍ଡ, ନଗଦ ୫୭୦ଟଙ୍କା ଓ କିଛି କାଗଜପତ୍ର ପୁଲିସ ଜବତ କରିଛି। ଏଥିନେଇ କୋରାପୁଟ ଟାଉନ ଥାନା ପୁଲିସ ୧୧୨/୧୮ରେ ଏକ ମାମଲା ରୁଜୁ କରି ଗଂଜେଇ ଚାଲାଣ କରୁଥିବା ଯାଜପୁର କଳିଙ୍ଗନଗର ଅଂଚଳର ସୁନୀଲ ପ୍ରଧାନ(୨୯) ଓ ଗଂଜାମ ଜିଲ୍ଲା ଆସ୍କା ଅଂଚଳର ଆଲୁ ଚକ୍ରବର୍ତ୍ତୀ (୧୮)କୁ ଗିରଫ କରାଯାଇଥିଲା। କୋରାପୁଟରୁ ଟ୍ରେନ ଯୋଗେ ସେମାନେ ଏହି ଗଂଜେଇକୁ ଜଗଦଲପୁର ଅଂଚଳକୁ ପଠାଇବାକୁ ଯୋଜନା କରୁଥିଲେ ବୋଲି ତଦନ୍ତକାରୀ ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି।

ସମ୍ବନ୍ଧିତ ଖବର