ଜଲାପୁଟରୁ ହରିଆନାକୁ ଗଞ୍ଜେଇ ଚୋରା ଚାଲାଣ:୩ ଗିରଫ, କାର ସହ ୫୦ ହଜାର ଟଙ୍କା ଜବତ

ଜୟପୁର: ଜୟପୁର ପୁଲିସ ହାତରେ ପୁଣି ଧରାପଡିଛି ଗଂଜେଇ। ଗତକାଲି ଲମତାପୁଟ ବ୍ଲକର ଜଲାପୁଟରୁ ହରିଆନାକୁ ଚୋରାରେ ଚାଲଣ ହେଉଥିବା ଗଞ୍ଜେଇକୁ ଜୟପୁର ସଦର ପୁଲିସ ପଣସପୁଟ-ବାଗ୍ରା ଛକରେ ଜବତ କରିଛି। ପୁଲିସ ଯାଞ୍ଚ କରି ଗାଡି ଭିତରୁ ୯୭ କିଲୋ ୩୫୦ ଗ୍ରାମ ଗଞ୍ଜେଇକୁ ଜବତ କରିବା ସହ ଡ୍ରାଇଭର ସମେତ ୩ ଜଣକୁ ଗିରଫ କରିଛି । ଅଭିଯୁକ୍ତ ମାନେ ହରିଆନା ରାଜ୍ୟ କିନାଲା ଗ୍ରାମର ଡ୍ରାଇଭର ସତ୍ୟନାରାୟଣ ଶର୍ମା (୩୦), ରାଜକୁମାର ସିଂ (୩୨), ବୁଦ୍ଧଲୋ ଗ୍ରାମର ସଞ୍ଜୟ ମୋଘା (୧୯) ବୋଲି ପୁଲିସ ସୂଚନା ଦେଇଛି । ଏହି ମାମଲାର ସଂପୃକ୍ତ ଥିବା କୋରାପୁଟ ଜିଲ୍ଲାର ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ପୁଲିସ ଗଂଜେଇ ଚାଲଣ ହେଉଥିବା ଟାଟା ଆରିଆନ୍‌ କାର (ଡିଏଲ୍‌ ୩ସି ବିବି ୩୫୫୪) ସହ ୫୦ ହଜାର ୩ଶହ ଟଙ୍କା ଓ ୪ଟି ମୋବାଇଲ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ଆଜି ୩ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।
ଗତକାଲି ପୂର୍ବାହ୍ନ ୧୧ଟା ବେଳେ ଡଙ୍ଗରଛିଞ୍ଝି ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ କାର୍‌ ଦ୍ରୁତ ଗତିରେ ଯାଉଥିବା ଦେଖିବାକୁ ପାଇଥିଲେ। ପାଟ୍ରୋଲିଂ ଗାଡି ଉକ୍ତ ଗାଡିର ପିଛା କରି ପଣସପୁଟ-ବାଗ୍ରା ଛକ ନିକଟରେ ଅଟକାଇଥିଲେ। ଗାଡି ଯାଞ୍ଚ ସମୟରେ ୬ଟି ବସ୍ତା ରହିଥିବା ଏବଂ ଏଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ପୁଲିସ ଡ୍ରାଇଭର ସମେତ ତିନି ଜଣକୁ ଗିରଫ କରିଥିଲେ। ଘଟଣସ୍ଥଳରୁ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ଚମ୍ପଟ ମାରିଥିଲେ। ଜବତ ଗଞ୍ଜେଇକୁ ତହସିଲଦାର ରଞ୍ଜିତା ମଲ୍ଲିକ ଉପସ୍ଥିତିରେ ଓଜନ କରାଯାଇଥିଲା। ଜଲାପୁଟ ଅଞ୍ଚଳର ମାଧବ ଓ ସୁବାଷ ହନ୍ତାଳଙ୍କ ଠାରୁ ଅଭିଯୁକ୍ତମାନେ ଗଞ୍ଜେଇ କିଣିଥିବା ବେଳେ ସେମାନେ ଫେରାର ଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ଏସ୍‌ଆଇ ନାରାୟଣ ପଟନାୟକ କରୁଥିବା ବେଳ ଜବତ ସମୟରେ ଏସଆଇ ମୁକୁନ୍ଦଦେବ ନାୟକ, ଏଏସ୍‌ଆଇ ଏସ୍‌କେ ସରକାର, ହାବିଲଦାର ଆରକେ ମିଶ୍ର, ଏସ୍‌ଆର ଦୋରା, ଡି.କେ ମାଝୀ, ଦୁର୍ଯ୍ୟୋଧନ ସାହୁ, ସୁମୀତା ଦଣ୍ଡପାଣି ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର