ସୁଧାର ଗୃହରୁ ଯୁବତୀ ଚମ୍ପଟ

ଜୟପୁର: ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ବ୍ରାଇଟ କ୍ୟାରିଅର୍‌ ଏକାଡେମୀ ପକ୍ଷରୁ ଚାଲିଥିବା ସୁଧାର ଗୃହରୁ ଜଣେ ଯୁବତୀ ଚମ୍ପଟ ମାରିଛି। ଗତ କିଛି ଦିନ ତଳେ ହିଁ ଯୁବତୀ ଜଣକ ସୁଧାର ଗୃହକୁ ଆସିଥିଲେ। ସୁଧାର ଗୃହର ସୁପରିଟେଣ୍ଡଣ୍ଟଙ୍କ କହିବାନୁଯାୟୀ ଗତକାଲି ସକାଳୁ ପୌର ପାଳିକାର ଅଳିଆ ଗାଡିରେ ଅଳିଆ ପକାଇବାକୁ ଯାଇ ଯୁବତୀ ଚମ୍ପଟ ମାରିଥିଲେ। ପରେ ସୁପରିଟେଣ୍ଡଣ୍ଟ ଖୋଜାଖୋଜି କରିବା ସମୟରେ ତାଙ୍କ ଶୋଇବା ସ୍ଥାନ ନିକଟରେ ହାତଲେଖା ଚିଠି ଦେଖିବାକୁ ମିଳିଥିଲା। ଏହି ଚିଠିରେ ପରିବାର ଲୋକ ନିର୍ଯାତନା ଦେଉଥିବା ଯୋଗୁଁ ଘର ଛାଡିଥିଲି। ଭବିଷ୍ୟତରେ ପୁଣି ବାପା, ମା’ଙ୍କ ସହ ବୁଝାସୁଝା କରି ଘରକୁ ପଠାଇ ଦେବେ। କିନ୍ତୁ ଘରକୁ ଯିବା ପାଇଁ ଚାହୁଁ ନାହିଁ। ଆଉ ଡରି ମରି ବଞ୍ଚିବାକୁ ଚାହୁଁନାହିଁ ବୋଲି ଉଲ୍ଲେଖ ହୋଇଛି। ଏନେଇ ସୁପରିଟେଣ୍ଡଣ୍ଟ ଥାନାକୁ ଅବଗତ କରାଇ ଲିଖିତ ଅଭିଯୋଗ ଦେଇଥିଲେ।

ଏନେଇ ଜୟପୁର ଟାଉନ ଥାନାରେ ଏକ ୨୭/୧୭ ନିଖୋଜ ମାମଲା ରୁଜୁ ହୋଇଛି।
ଯୁବତୀଙ୍କ ବାପା କହିଛନ୍ତି ଯେ ଯୁବତୀ ଜଣକ ୨୦୧୭ ସେପ୍ଟେମ୍ବର ମାସ ୨୪ ତାରିଖରେ କୋଲାବ ନଗରର କିଛି ଲୋକଙ୍କ ସହ ଘରୁ ଲୁଚି ବାହାରି ଯାଇଥିଲେ। କୋରାପୁଟ ସହର ନିକଟସ୍ଥ ସୁନାପୁର ଗ୍ରାମରେ ଏକ ଭଡାଘରେ ରହୁଥିବା ଜାଣିବା ପରେ ପରିବାର ଲୋକେ ସେଠାରୁ ଝିଅକୁ ଆଣିବା ପାଇଁ ଯାଇଥିଲେ। କିନ୍ତୁ ସେମାନେ ପହଞ୍ଚିବା ଆଗରୁ ଯୁବତୀ ଜଣକ ସେଠାରୁ କେଉଁଆଡେ ଚାଲି ଯାଇଥିଲେ। ଶେଷରେ ଯୁବତୀଙ୍କ ବାପା କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ। କିଛିଦିନ ପରେ ପୁଲିସ ଯୁବତୀଙ୍କୁ ଠାବ କରି ତାକୁ ଘରକୁ ନେବା ପାଇଁ ବାପାଙ୍କୁ ଖବର ଦେଇଥିଲେ। କିନ୍ତୁ ଯୁବତୀ ଜଣକ ଘରକୁ ଫେରିବାକୁ ଅରାଜି ହେବାରୁ ଜୟପୁରରେ ଥିବା ସୁଧାର ଗୃହକୁ ପଠାଇ ଦେଇଥିଲେ। ତେବେ ଆଜି ସେଠାରୁ ପୁଣି କୁଆଡେ ଚାଲିଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର