ଜୟପୁର ଗୋଷ୍ଠୀ ସଂଘର୍ଷ ଘଟଣା:ସୁମନ୍ତଙ୍କୁ ଗୁଳି ମାରିଲା କିଏ?

ଜୟପୁର: ଗାଧୁଆ ତୁଠର ବଚସା ପରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। କେବଳ ଗୋଷ୍ଠୀ ସଂଘର୍ଷ ହୋଇ ନଥିଲା ଗୁଳି ବି ଫୁଟିଥିଲା। ଆଉ ଗୁଳି ଯାଇ ବାଜିଥିଲା ସ୍ଥାନୀୟ ଢେପଗୁଡ଼ା ଅଞ୍ଚଳର ଯୁବକ ସୁମନ୍ତ ଧନଫୁଲଙ୍କୁ। ଗୁରୁତର ଅବସ୍ଥାରେ ସୁମନ୍ତ କଟକ ଏସସିବି ମେଡିକାଲରେ ଭର୍ତି ହୋଇଛନ୍ତି। କିନ୍ତୁ ଏହି ଗୁଳିଟି କାହାର ସେନେଇ ଘଟଣାର ୪୮ଘଣ୍ଟା ପରେ ବି ସୁରାକ ପାଉନି ପୁଲିସ। ଅନ୍ୟପଟେ ସେହିଦିନ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମଧ୍ୟ ୪ରାଉଣ୍ଡ ଫାୟରିଂ କରାଯାଇଥିଲା। ଏଭଳି ରହସ୍ୟ ଜନକ ତଥା ଚାଞ୍ଚଲ୍ୟକର ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟପଟେ କୁନ୍ଦାରିଗୁଡା ଏବଂ ଢେପଗୁଡ଼ା ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତେଣୁ ପୁଲିସ ପକ୍ଷରୁ ୧୪୪ଧାରା ବଳବତ୍ତର ରହିଛି। ସେହିପରି ପୁଲିସ ସହ ବିଏସଏଫ ବି ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି।
ଶୁକ୍ରବାର ଦିନ ଅପରାହ୍ନ‌ରୁ ସଂଧ୍ୟା ମଧ୍ୟରେ ସହରର କିଆବନ୍ଧ ସାହି ଏବଂ ଢେପଗୁଡ଼ା ଅଞ୍ଚଳରେ ଫୁଟିଥିଲା ୪ରାଉଣ୍ଡରୁ ଅଧିକ ଗୁଳି। ତାହା ମଧ୍ୟ ୫ଶହ ମିଟର ଅଞ୍ଚଳ ମଧ୍ୟରେ। ଏଥିରେ ଗୁରୁତର ଆହତ ହୋଇଛନ୍ତି ୨ଜଣ। ଜଣେ ଯୁବକ ଓ ଅନ୍ୟ ଜଣେ ନାବାଳିକା। ନାବାଳିକାଙ୍କୁ କିଏ ଗୁଳି ମାରିଲା ସେନେଇ କେହି କିଛି କହିପାରୁ ନାହାନ୍ତି। ସେହିପରି ଯୁବକଙ୍କୁ ଯେଉଁ ଗୁଳି ବାଜିଛି ତାହା ଗୋଷ୍ଠୀ ସଂଘର୍ଷ ମଧ୍ୟରେ ହିଁ ଫୁଟିଥିବା ସୂଚନା ମିଳିଛି। ଅନ୍ୟପଟେ ଦୁଇ ଦିନ ପରେ ବି ଏଭଳି ସମ୍ଭେଦନଶୀଳ ଘଟଣାରେ ପୁଲିସର ତଦନ୍ତ ବିଶେଷ ଆଗେଇ ପାରିନାହିଁ। କେବଳ କୁହାଯାଉଛି ତଦନ୍ତ ଚାଲିଛି ଅତିଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ। ଏପରିକି ଆଜି ଅପରାହ୍ନରେ ବି ପୁଲିସ ଉପସ୍ଥିତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ସାହିର କିଛି ଯୁବକ ଖଣ୍ଡା, ଲୁହା ଛଡ଼ ଧରି ରାସ୍ତା ଉପରକୁ ଚାଲି ଆସିଥିଲେ। ପରବର୍ତୀ ସମୟରେ ପୁଲିସ ପହଞ୍ଚି କିଛି ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା।
ଗତକାଲି ଶାନ୍ତି କମିଟିର ବୈଠକ ବସିଥିବା ବେଳେ ସମାଧାନ ପାଇଁ ଉଭୟପକ୍ଷ ରାଜି ହୋଇଥିଲେ। ତଥାପି ଦୁଇ ସାହି ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯାହାକି ପୁଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ପରିସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯିବ ତାହାର ନିଷ୍ପତ୍ତି ହେବାରେ ବିଳମ୍ବ ହେଉଥିବାରୁ ଏମିତି ସ୍ଥିତି ଜାରି ରହିଥିବା କୁହାଯାଉଛି। ଆଗକୁ ନିର୍ବାଚନ ରହିଥିବା ବେଳେ ଏମିତି ପରିସ୍ଥିତି ଲାଗି ରହିଲେ ଅଶାନ୍ତି ଆହୁରି ବଢ଼ିବ ବୋଲି ମତ ପ୍ରକାଶ ପାଇଛି।
ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ହେଲା ଘଟଣା ଦିନ ଜଣେ ଯୁବକଙ୍କୁ ଗୁଳି ବାଜିଥିବାରୁ କଟକ ଚିକିତ୍ସା ପାଇଁ ନିଆଯାଇଛି। ପୁଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି। ତେବେ ଉକ୍ତ ଗୁଳିଟି କିଏ ଫୁଟାଇଥିଲା ତାହାର ଯାଞ୍ଚ ଚାଲିଥିବା କହିଛନ୍ତି।

ସମ୍ବନ୍ଧିତ ଖବର