ଜୟପୁର: ଜୟପୁର ପୌର ପାଳିକାର ଆଜି ୨୦୧୮ ବର୍ଷର ପ୍ରଥମ ସାଧାରଣ ବୈଠକ ବସିଥିଲା। କିନ୍ତୁ ବୈଠକ ଆରମ୍ଭରୁ ହୋଇଥିଲା ହଙ୍ଗାମା। ୪ଜଣ କାଉନସିଲର ବିଭିନ୍ନ ଅଭିଯୋଗ କରି ବୈଠକ ଛାଡି ଚାଲି ଯାଇଥିଲେ। ହଟ୍ଟଗୋଳ ମଧ୍ୟରେ ବୈଠକ ଶେଷ ହୋଇଥିବା ବେଳେ ଏହାକୁ ନେଇ ଅନ୍ୟ ସଦସ୍ୟମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।
ଆଜିର ବୈଠକରେ ଅଧ୍ୟକ୍ଷା ଆର. ପଦ୍ମା ଏବଂ ଜଣେ କାଉନସିଲରଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଆଲୋଚନା ଚାଲିଥିବା ବେଳେ ହଠାତ୍ ଦୁଇ ଜଣ କାଉନସିଲର ବୈଠକ ନିମନ୍ତେ ଏଜେଣ୍ଡା ମିଳି ନଥିବା ପ୍ରକାଶ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ବୈଠକ ଛାଡି ଚାଲି ଯାଇଥିଲେ। ସେହିପରି ଅନ୍ୟ ଦୁଇ ଜଣ କାଉନସିଲର ପୌର ପ୍ରଶାସନ ଗୁରୁତ୍ୱ ଦେଉ ନଥିବା ଏବଂ କାଉନସିଲରଙ୍କ ମତାମତକୁ କେହି ଗ୍ରହଣ କରୁନଥିବା ଅଭିଯୋଗ କରି ବୈଠକରୁ ଉଠି ଯାଇଥିଲେ। ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥଙ୍କ ଅନୁରୋଧ ସତ୍ୱେ ୨ ନମ୍ବର ଓ୍ଵାର୍ଡର କାଉନସିଲର ସୁବର୍ଣ୍ଣ ଭୂମିଆ, ୧୨ ନମ୍ବର ଓ୍ଵାର୍ଡର କାଉନସିଲର ଓ୍ଵାଇଏସ ଖାନ୍ନା, ୧୪ ନମ୍ବର ଓ୍ଵାର୍ଡର କାଉନସିଲର ବି.ସୁନୀତା ଓ ୧୮ ନମ୍ବର ଓ୍ଵାର୍ଡର କାଉନସିଲର ଏ.ଶ୍ରୀନିବାସ ରାଓ ଉଠି ପଳାଇଯିବା ଘଟଣା ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି କରିଥିଲା। ସେହିପରି ବିଜେଡି ମଧ୍ୟରେ ଥିବା ଫାଟ ଆଜି ସାମ୍ନାକୁ ଆସିଲା ବୋଲି ଆଲୋଚନା ଆରମ୍ଭ ହୋଇଛି।
ବୈଠକ ଛାଡି ଚାଲି ଯାଇଥିବା କାଉନସିଲର ଏ.ଶ୍ରୀନିବାସ ରାଓ କହିଛନ୍ତି ଯେ ୧୮ ନମ୍ବର ଓ୍ଵାର୍ଡର ବିଭିନ୍ନ ଉନ୍ନୟନ ମୂଳକ କାମକୁ ନେଇ ପୌର ନିର୍ବାହୀ ଅଧିକାରୀ ଓ ଉପାଧ୍ୟକ୍ଷଙ୍କ ଠାରୁ ମତାମତ ଲୋଡୁଥିଲେ। ଏହି ସମୟରେ ପିଏଚଡି ବିଭାଗର ଜଣେ ଯନ୍ତ୍ରୀ ଖରାପ ବ୍ୟବହାର ପ୍ରଦର୍ଶନ କଲେ। ଏହାସହ ଆଜି ବିଭିନ୍ନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଆମକୁ ସାମିଲ କରାନଯିବାରୁ ବୈଠକରୁ ଉଠି ଆସିଥିବା କହିଥିଲେ। ସେହିପରି ଅନ୍ୟ ଜଣେ କାଉନସିଲର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆମ ଓ୍ଵାର୍ଡରେ ଯେଉଁ ସବୁ କାର୍ଯ୍ୟ ନ ହୋଇ ପଡି ରହିଛି ତାହାକୁ ଆମେ ପ୍ରସ୍ତାବ ଦେବା କଥା। କିନ୍ତୁ ପୌରପାଳିକା ଆମ ନିକଟକୁ ଏଜେଣ୍ଡା ପଠାଇନାହିଁ। ତେଣୁ ଆମେ ସାହି ବାସିନ୍ଦାଙ୍କ ଠାରୁ ମତମତ ଲୋଡି ପ୍ରସ୍ତାବ ଦେଇଥାନ୍ତୁ। ଏହା ସମ୍ଭବ ହୋଇପାରିଲାନାହିଁ।
ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ପୌରପାଳିକା ପକ୍ଷରୁ ୩ଦିନ ତଳେ ଜୟପୁରର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ଲୋଡାଯାଇଥିଲା। ସେ ବିଧାୟକ ଥିବାରୁ ସହର ମଧ୍ୟରେ ଥିବା ବିଭିନ୍ନ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ସେଥିରେ ଉତ୍କ୍ଷିପ୍ତ ହୋଇ ୨୮ଜଣ କାଉନସିଲଙ୍କ ମଧ୍ୟରୁ ୪ଜଣ ବାହାରି ଯାଇଥିଲେ। ଜୟପୁର ପୌରପାଳିକା ବିଜେଡି ଦଖଲ କରିଥିବା ବେଳେ ତାଙ୍କ ମଧ୍ୟରେ ଫାଟ ଯୋଗୁଁ ଆଜି ବୈଠକରେ ବାଧା ଉପୁଜିଥିଲା ବୋଲି ବିଧାୟକ କହିଛନ୍ତି।
ପୌର ନିର୍ବାହୀ ଅଧିକାରୀ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି ଯେ ପୂର୍ବ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା ସହ ଆଜି ୬ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ସହରବାସୀଙ୍କ ମତାମତ ଅନୁଯାୟୀ ୨୨୮ଟି ପ୍ରକଳ୍ପର ଚୂଡାନ୍ତ ତାଲିକା ହୋଇଥିବା ବେଳେ ୬୯ଟି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଛି। ବଳକା ୧୫୯ଟି କାର୍ଯ୍ୟକୁ ଶେଷ କରିବାକୁ ୭.୧୯ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ଦିଆଯାଇଛି। ସେହିପରି ପ୍ରଥମ ଦୈନିକ ବଜାର ମଧ୍ୟରେ ଥିବା ଦୋକାନ ଗୃହର ଲାଇସେନ୍ସକୁ ଆବଣ୍ଟନ ପାଇଁ ମଞ୍ଜୁରୀ ଦିଆଯାଇଛି। ଏହାସହ ପୁରୁଣାଗଡ ରାସ୍ତା, ପୌରପାଳିକା ଅଧୀନରେ ଥିବା ରାସ୍ତାରେ କେହି ଯଦି ଗୃହ ନିର୍ମାଣ ପାଇଁ ସାମଗ୍ରୀ ପକାଇବେ ତାହାଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଡ୍ରେନରେ ବି ଆବର୍ଜନା ପକାଇଲେ ଜେରିମାନା ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହାସହ ପୌରପାଳିକାର ବିକାଶ ପାଇଁ ୧୨ କୋଟି ଟଙ୍କାର ଏକ ବିଲ୍ ଜିଲ୍ଲାପାଳଙ୍କ ନିକଟରେ ରହିଛି ବୋଲି ସେ କହିଛନ୍ତି।
ପୌରପାଳିକା ବୈଠକରେ ହଙ୍ଗାମା
/sambad/media/post_attachments/wp-content/uploads/2018/01/jpr4.jpg)