ନନ୍ଦପୁର : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ବାଲଡ଼ା ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଦୁ ଭୂଷଣ ନାୟକଙ୍କୁ ଗିରଫ କରିଥିଲେ ହେଁ କୋର୍ଟ ଚାଲାଣ କରିନାହିଁ। ତେବେ ଆଜି ପାଡୁଆ ଡାକ୍ତରଖାନାରେ ଶ୍ରୀ ନାୟକଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ସେହିପରି ଗର୍ଭବତୀ ଛାତ୍ରୀଙ୍କୁ କୋରାପୁଟ ମେଡିକାଲରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କ ଉପସ୍ଥିତିରେ ଡାକ୍ତରୀ ମାଇନା କରାଯାଇଥିଲା। ତେବେ ଆଜି ଘଟଣା ସମ୍ପର୍କରେ ଅଧିକ କିଛି କହିବାକୁ ପୁଲିସ ମନା କରିଦେଇଛି। ଆସନ୍ତାକାଲି ପୂରା ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯିବ ଏବଂ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପାଡୁଆ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ଘଟଣା ପଦାକୁ ଆସିବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି।
ଛାତ୍ରୀଙ୍କ ବାପା ଦେଇଥିବା ଏତଲା ଅନୁଯାୟୀ ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ସେହିପରି ସେବାଶ୍ରମର ମହିଳା ସ୍ୱାସ୍ଥ୍ୟ କର୍ମୀ, ଓ୍ଵାର୍ଡନଙ୍କ ସମେତ କର୍ମଚାରୀଙ୍କୁ ଥାନାକୁ ଡକାଇ ମାରାଥନ ଜେରା ଆରମ୍ଭ କରିଛି। ଆସନ୍ତାକାଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ପାଡୁଆ ଥାନାକୁ ଆସିବେ ବୋଲି ଜଣାପଡ଼ିଛି। ତେବେ ଏଠାରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିକା ସନ୍ଦେହଜନକ ରହିଛି। ଜଣେ ଛାତ୍ରୀ ୪ ମାସର ଗର୍ଭବତୀ ହୋଇଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ଜଣକ କେମିତି କିଛି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ପ୍ରଧାନ ଶିକ୍ଷକଙ୍କ ସହ ସଲାସୁତୁରାରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ନେଇ ଆଲୋଚନା ହେଉଛି। ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ଉଲ୍ଲେଖ ଥାଉ କି, ସେବାଶ୍ରମର ସଂପୃକ୍ତ ଛାତ୍ରୀ ଗର୍ଭବତୀ ହେବାପରେ ଦଶହରା ଛୁଟିରେ ତାଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଘରକୁ ଛାଡ଼ିନଥିଲେ। ପରିବାର ଲୋକ ଖୋଜାଖୋଜି କରି ପୁଲିସକୁ ସୂଚନା ଦେବାରୁ ଶେଷରେ ଗୋଟିଏ ବନ୍ଦ କୋଠରୀରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରଧାନ ଶିକ୍ଷକ ହିଁ ଗର୍ଭବତୀ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରାଯାଇଥିବାରୁ ଛାତ୍ରୀଙ୍କୁ ବିବାହ କରିବାକୁ ଅଭିଯୁକ୍ତ ଶ୍ରୀ ନାୟକ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପରିବାର ଲୋକ ମନା କରିଦେଇ ଥାନାରେ ଏତଲା ଦେବାରୁ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ଗିରଫ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/nandapur-headmaster.jpg)