ଓଡ଼ିଶାରେ ପଶୁଛି ପଡ଼ିଶା ମଦ, ଆନ୍ଧ୍ର ଓ ଛତିଶଗଡ଼ରୁ ଆସୁଛି ବିଦେଶୀ ମଦ

ଗାଁ ଗହଳିରେ ବେଧଡ଼କ ଚାଲିଛି ଦେଶୀ ଭାଟି, ମାସକୁ କୋରାପୁଟରୁ ଦେଢ଼ କୋଟି କ୍ଷତି

କୋରାପୁଟ : କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଉନାହାନ୍ତି। ମାସେରୁ ଅଧିକ ଦିନ ହେଲା ସମସ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। କିନ୍ତୁ ଛତିଶଗଡ଼ ଓ ଆନ୍ଧ୍ର ସରକାର ଗତ ସୋମବାରଠାରୁ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ସାରିଲେଣି। ଆଉ ଏହା ଖୋଲୁ ଖୋଲୁ ମଦ ଚୋରା ଚାଲାଣକାରୀମାନେ ସକ୍ରିୟ ହୋଇଯାଇଛନ୍ତି। ଆନ୍ଧ୍ର ଓ ଛତିଶଗଡ଼ରୁ ବିପୁଳ ପରିମାଣର ବିଦେଶୀ ମଦ ଏବେ କୋରାପୁଟ ଜିଲ୍ଲାକୁ ଆସିବା ଆରମ୍ଭ ହୋଇଛି। ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିଲା ବେଳେ ମାଫିଆମାନେ ମାଲାମାଲ୍ ହେଉଛନ୍ତି। ସୂଚନା‌ ଅନୁସାରେ କୋରାପୁଟରୁ ବାର୍ଷିକ ୧୯ କୋଟି ଟଙ୍କା ଅବକାରୀ ରାଜସ୍ବ ମିଳୁଛି। ତେଣୁ ମାସିକ ଦେଢ଼ କୋଟିରୁ ଅଧିକ ଟଙ୍କା କ୍ଷତି ସହୁଛନ୍ତି ସରକାର।

ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ରେ ରହିଛି ସାରା ଦେଶ। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଫଳରେ ଗତ ସୋମବାରଠାରୁ ଦେଶର ଅଧିକାଂଶ ରାଜ୍ୟର ଗ୍ରିନ୍‌ ଜୋନ୍‌ରେ ଥିବା ଅଂଚଳରେ ମଦ ଦୋକାନ ଖୋଲିଛି। ଅପରପକ୍ଷରେ କୋରାପୁଟ ଜିଲ୍ଲା ଅରେଞ୍ଜ ଜୋନ୍‌ରେ ଥିବାରୁ ଏଠାରେ ମଦ ଦୋକାନ ଖୋଲିନି। ପୁଣି ମଦ ଦୋକାନ ‌ଖୋଲିବା ନେଇ ରାଜ୍ୟ ସରକାର କୌଣସି ବିଧିବଦ୍ଧ ନିଷ୍ପତ୍ତି ନେଇ ନ ଥିବାରୁ ମଦ ଦୋକାନରେ ତାଲା ଝୁଲୁଛି। ଜିଲ୍ଲାରେ ଥିବା ୨୫ଟି ବିଦେଶୀ ମଦ ଦୋକାନ ଓ ୧୩ଟି ବାର୍‌ ବନ୍ଦ ହୋଇଥିଲେ ମଧ୍ୟ ବେଧଡ଼କ ଚୋରା ମଦ ବିକ୍ରି ଚାଲିଛି। ଏହି ଜିଲ୍ଲା ଉଭୟ ଆନ୍ଧ୍ର ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ଏହା ଚୋରା ମଦ ମାଫିଆଙ୍କ ପାଇଁ ସୁବିଧା ହେଉଛି। ଆନ୍ଧ୍ର ଓ ଛତିଶଗଡ଼ରେ ବିଦେଶୀ ମଦ ଦୋକାନ ଖୋଲା ହୋଇଥିବାରୁ ସେଠାରୁ ବିପୁଳ ପରିମାଣର ମଦ ଆଣି ଓଡ଼ିଶାରେ ବିକୁଛନ୍ତି। ଏଥିପାଇଁ ସେମାନଙ୍କୁ ବି ବେଶୀ କଷ୍ଟ କରିବାକୁ ପଡ଼ୁନି। କାରଣ ବିଭିନ୍ନ ଚୋରା ବାଟରେ ଏହି ମଦ ଆସୁଛି। ଆନ୍ଧ୍ରର ସାଲୁର, ବିଜୟନଗରମ, ଆରକୁ, ପାର୍ବତୀପୁରମରୁ ଏହି ମଦ ଅଣାଯାଉଛି। ସେହିପରି ଛତିଶଗଡ଼ର ଜଗଦଲପୁର ଓ ଅନ୍ୟ ସ୍ଥାନରୁ ଏହି ମଦ ଅଣାଯାଉଥିବା ଜଣାପଡ଼ିଛି। କୋରାପୁଟରେ ପହଞ୍ଚିବା ପରେ ବିଭିନ୍ନ ଅଂଚଳକୁ ପଠାଇ ଦିଆଯାଉଛି। ଫଳରେ ଏବେ କୋରାପୁଟର ବିଭିନ୍ନ ସହର ବଜାରରେ ପଡ଼ିଶା ରାଜ୍ୟର ମଦ ମିଳୁଛି। ଅବଶ୍ୟ, ଦର ଉଚ୍ଚା ରହୁଛି। ଏପରିକି କିଛି ମଦ ଦୁଇଗୁଣା ଦରରେ ବିକ୍ରି ହେଉଛି।

କେବଳ ଆନ୍ଧ୍ର ଓ ଛତିଶଗଡ଼ ମଦ ନୁହଁ, ବରଂ ବଜାରରେ ବହୁ ଚୋରା ଓ ନକଲି ମଦ ମଧ୍ୟ ବିକ୍ରି ହେଉଛି। ବହୁ ଶସ୍ତା ବ୍ରାଣ୍ଡର ନକଲି ବିଦେଶୀ ମଦ ବଜାରରେ ଅଧିକ ଦରରେ ମିଳୁଛି। ଆଉ ଦେଶୀ ମଦର ତ ପସରା ଜିଲ୍ଲାସାରା ମେଲିଛି। ଲକ୍‌ଡାଉନ୍‌ ସତ୍ତ୍ବେ ଜିଲ୍ଲାର ଅଧିକାଂଶ ଦୁର୍ଗମ ଅଂଚଳରେ ଦେଶୀ ମଦ ରନ୍ଧା ହେଉଛି। ଜଙ୍ଗଲ ଓ ଚାଷ ଜମି ଅଂଚଳରେ ଏହି ମଦ ରନ୍ଧା ହେବା ପରେ ଗାଁ ଓ ସହରରେ ବିକ୍ରି ହେଉଛି। ମଝିରେ ମଝିରେ ଅବକାରୀ ବିଭାଗ ଚଢ଼ଉ କରି କିଛି କିଛି ଦେଶୀ ମଦ ଜବତ କରୁଥିଲେ ମଧ୍ୟ ଏହା ଚୋରା ମଦ କାରବାରରେ ସାମାନ୍ୟ ଅଙ୍କୁଶ ଲଗାଇ ପାରିନି। ଫଳରେ ଜିଲ୍ଲାରେ ମଦ ଦୋକାନ ସିନା ବନ୍ଦ ହୋଇଛି, କିନ୍ତୁ ମଦ ବେପାର ବନ୍ଦ ହୋଇ ପାରିନି। ଏ ନେଇ ଅବକାରୀ ଅଧୀକ୍ଷକ ଡି.ପି. ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଚୋରା ମଦକୁ ରୋକିବା ପାଇଁ ନିୟମିତ ଚଢ଼ଉ ଚାଲିଛି। ଆନ୍ଧ୍ର ଓ ଛତିଶଗଡ଼ରେ ମଦ ବିକ୍ରି ହେଉଥିଲେ ମଧ୍ୟ ସୀମା ସିଲ୍‌ ହୋଇଥିବାରୁ ସହଜରେ ମଦ ଆସିପାରିବ ନାହିଁ। ଲୁଚାଛପାରେ ଯେଉଁମାନେ ମଦ ଆଣି ବିକୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର