ବେଆଇନ ଗୁଟଖା କାରଖାନା ଠାବ:କୋଟିଏ ଟଙ୍କାର ମେସିନ ଓ ଗୁଟଖା ଜବତ

୫ ଅଟକ, ମୁଖ୍ୟ କାର୍ପଟଦାର ଫେରାର
ବିହାର ଓ ବ୍ରହ୍ମପୁରକୁ ଲମ୍ବିଛି ଚେର
ଡିଜେ ବଜାଇ ମେସିନ ଚାଲାଉଥିଲେ
ଲୋକଙ୍କ ଅଭିଯୋଗ ପରେ ଧରାପଡିଲା କାରନାମା
ଜୟପୁର: ଜୟପୁର ଦୋଳମଣ୍ଡପ ସାହିର ଗୋଟିଏ ଭଡା ଘରେ ଚାଲିଥିବା ଗୁଟଖା ଫେକ୍ଟ୍ରିରେ ଆଜି ଚଢାଉ କରାଯାଇଛି। କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଟାଉନ ପୁଲିସ, ପୌରପାଳିକା, ଆୟକର ବିଭାଗ ଓ ସେଲଟ୍ୟାକ୍ସ ବିଭାଗର ମିଳିତ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇଥିଲା। କୋଟିଏରୁ ଊର୍ଧ୍ୱ ଟଙ୍କାର ପ୍ୟାକିଂ ଓ ମିକ୍ସିଂ ମେସିନ୍‌ ସମେତ କୋଟିଏ ଟଙ୍କାର କଞ୍ଚାମାଲ, ୪ଟି ଭିନ୍ନ ଭିନ୍ନ ଗୁଟଖା କଂପାନିର ଉତ୍ପାଦ ଜବତ କରାଯାଇଛି। ୩ମାସ ଧରି ଏହି ଗୁଟଖା ଫେକ୍ଟ୍ରିକୁ ଚଳାଇଥିବା ୫ଜଣଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇଛି। ତେବେ ଏହି ଅସାଧୁ ତଥା ମାରାତ୍ମକ କାରବାରର ମୁଖ୍ୟ ଅଭିଯୁକ୍ତ ବୋଲାଉଥିବା ଚନ୍ଦ୍ର ଶେଖର ପଟ୍ଟନାୟକ ଫେରାର ଥିବା ପୁଲିସ ସୂଚନା ଦେଇଛି। ସହର ମଝିରେ ତଥା ପ୍ରମୁଖ ଜନବସତି ଅଞ୍ଚଳରେ ଚାଲିଥିବା ଏହି ବେଆଇନ କାରବାରର ମୂଳ ଖୋଜିବା ବେଳକୁ ଚେର ବିହାର ପର୍ଯ୍ୟନ୍ତ ଭାୟା ବ୍ରହ୍ମପୁର ଦେଇ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି।

ବିହାର ରାଜ୍ୟର ପୂର୍ବ ଚମ୍ପାରନ ଜିଲ୍ଲା ମେହସୀ ବ୍ଲକ ଅଧୀନସ୍ଥ ଗ୍ରହିଆ ଅଞ୍ଚଳର ଦୁଇ କମଲଲାଲ ତଥା ଦୀପକ ସାନୀ(୨୫) ଓ କମଲେସ ସାନୀ(୨୨) ଗୁଟଖା ପ୍ରସ୍ତୁତ କରୁଥିଲେ ବୋଲି ଜାଣିବାକୁ ମିଳିଛି।
ଗୋକୁଲ ମିକ୍ସ, ସଫାରୀ ୨୦୦୦, ଆରସି (ରୟାଲ ଚଏସ୍‌) ଓ ଗୋକୁଲ ମିକ୍ସ ଜର୍ଦା ମାଓ୍ଵା ନାମରେ ୪ଟି ଭିନ୍ନ ଭିନ୍ନ କମ୍ପାନିର ଗୁଟଖା ଓ ଜର୍ଦା ମାଓ୍ଵା ମିକ୍ସ ଏଠାରେ ପ୍ରସ୍ତୁତ କରାଯାଉଥିଲା। ସକାଳ ୮ଟାରୁ ଦିନ ଗୋଟାଏ ଓ ପୁଣି ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ମେସିନ ଚାଲୁଥିଲା। ସ୍ଥାନୀୟ ରାଜେନ୍ଦ୍ର କୁମାର ତ୍ରିପାଠୀଙ୍କ ଘରେ ଏହି କାରବାର ପ୍ରାୟ ୩ ମାସ ହେବ ଚାଲିଥିଲା। ବ୍ରହ୍ମପୁର ଅଞ୍ଚଳର ଚେନ୍ଦ୍ର ଶେଖର ଏହି ଘରକୁ ଭଡା ସୂତ୍ରରେ ନେଇଥିଲେ। ମିକ୍ସିଂ ମେସିନ୍‌ ଓ ପ୍ୟାକିଂ ମେସିନ ବ୍ରହ୍ମପୁରରୁ ଅଣାଇଥିଲେ। ସେହିପରି ଗୁଟଖା ପ୍ରସ୍ତୁତ କରିବା ପାଇଁ ଅଧାକଞ୍ଚା ଓ ପୋକରାଗୁଆ, ମାଓ୍ଵା ପାଇଁ ଦୋକ୍ତା ଓ ଅଧାକଞ୍ଚା ପାନ ମହୁରୀ ବ୍ୟବହାର କରୁଥିଲେ। ସେହିପରି ନିଟ୍ରୋସାମେନେସ୍‌, ନାଇଟ୍ରେଟ୍‌, ନିକୋଟିନ୍‌ ଓ ମାଗ୍ନେସିୟମ କାର୍ବୋନେଟ୍‌ ପରି କ୍ଷତିକାରକ ରସାୟନିକ ଦ୍ରବ୍ୟକୁ ବ୍ୟବହାର କରାଯାଉଥିଲା।
ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଟାଉନ ପୁଲିସ, ପୌରପାଳିକାର ବରିଷ୍ଠ ଅଧିକାରୀ, ସେଲଟ୍ୟାକ୍ସ ଓ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଖବର ପାଇ ଏକକାଳୀନ ଚଢାଉ କରିଥିଲା। ଦୁଇମହଲା ବିଶିଷ୍ଟ କୋଠାର ତଳ ମହଲାରେ ଚନ୍ଦ୍ରଶେଖରଙ୍କ ପରିବାର ରହୁଥିବା ବେଳେ ଉପର ଘରେ ଚାଲିଥିଲା କାରଖାନା। ଏହି କାରଖାନାକୁ ବିହାର ଦୁଇ ଯୁବକ ଚଳାଥିଲା ବେଳେ ଜଣେ ସୁପର ଭାଇଜର ପରିଚାଳନା କରୁଥିଲେ। ବିକ୍ରି ପାଇଁ ୨ଜଣ ମାର୍କେଟିଂ କର୍ମଚାରୀ ନିୟୋଜିତ ହୋଇଥିଲେ। ପ୍ରତି ସପ୍ତାହର ନିର୍ଦ୍ଧିଷ୍ଟ ଦିନରେ ମାଲକାନିଗିରି, ରାୟଗଡା, କୋରାପୁଟର ଉପାନ୍ତ ଅଞ୍ଚଳ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡକୁ ବସ ଯୋଗେ ପଠାଯାଉଥିଲା। ମୁଖ୍ୟତଃ ଭୋର ସମୟରେ ଜୟପୁର ବସଷ୍ଟାଣ୍ଡରେ ଲାଗୁଥିବା ବସରେ ଏହି ସାମଗ୍ରୀ ସବୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଯାଉଥିଲା। ଯେତେବେଳେ ଘରେ ମେସିନ ଚାଲୁଥିଲା ସେତେବେଳେ ଘରେ ଡିଜେ ବାଜୁଥିଲା। ତେଣୁ ମେସିନ ଶବ୍ଦକୁ କେହି ଶୁଣିପାରୁ ନଥିଲେ। ତେବେ ନିୟମିତ ଗୋଟିଏ ସମୟରେ ଉଚ୍ଚ ଶବ୍ଦରେ ଡିଜେ ବାଜିବାରୁ ସ୍ଥାନୀୟ ଲୋକ ପୁଲିସକୁ ଅଭିଯୋଗ କରିଥିଲେ।

ତେଣୁ ପୁଲିସ ତଦନ୍ତ ଆରମ୍ଭ କରି ଏଠାରେ କିଛି ବେଆଇନ କାମ ଚାଲିଥିବା ନେଇ ସୁରାକ ପାଇଥିଲା। ପ୍ରାୟ ସପ୍ତାହେ ଧରି ଟ୍ରାକ୍‌ କରିବା ପରେ ଶେଷରେ ଆଜି ଚଢାଉ କରିଥିଲା। ପୁଲିସ ଜବତ କରିଥିବା ଦ୍ରବ୍ୟ ମଧ୍ୟରେ ୫୦ରୁ ଅଧିକ ପ୍ୟାକେଟ ରୋଲିଂ, ପ୍ୟାକେଟିଂ ଓ ମିକ୍ସିଂ ମେସିନ ସହ ଭିନ୍ନ କାର୍ଯ୍ୟରେ ଲାଗୁଥିବା ୨ଟି ମେସିନ୍‌, ବିପୁଳ ପରିମାଣରେ ଗୁଆ, ପାନମହୁରୀ, ତରଳ ଓ ପାଉଡର ରସାୟନିକ ଦ୍ରବ୍ୟ ରହିଛି। ଜବତ ଦ୍ରବ୍ୟ ସବୁ ରାୟପୁର, ବିଜୟନଗର ଓ ବ୍ରହ୍ମପୁରରୁ ଏଠାକୁ ଆସୁଥିବା ଜଣାପଡିଛି। ଚଢାଉରେ ଭିଜିଲାନ୍ସ ବିଭାଗର ୪ଜଣିଆ ଟିମ୍‌, ସେଲଟ୍ୟାକ୍ସ ଓ ଆୟକର ବିଭାର ୩ ଜଣ ଲେଖାଏଁ, ଏସଡିପିଓ ଟି.ଜେ ରେଡ୍ଡୀ, ଏଏସପି ପ୍ରଭାତ ପ୍ରଧାନ, ଟାଉନ ଆଇଆଇସି ପି.କେ ଛୋଟରାୟ, ଏସଆଇ ସୁଦର୍ଶନ ନାୟକ, ଏଏସଆଇ ଏସକେ ଅହମ୍ମଦଙ୍କ ସହ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବିକାଶ ଚନ୍ଦ୍ର ବାଇନ, ସ୍ୱାସ୍ଥ୍ୟ ଅଧିକାରୀ ଡ.ଅନୀଲ କୁମାର ସାହୁ, ଖାଦ୍ୟ ସୁରକ୍ଷା ଅଧିକାରୀ, ସିଟିଓ ଡି.ସି ସେଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର