ରାତିରେ ଚୋରଙ୍କ ରାଜ୍‌:ପାନ ଦୋକାନରୁ ଚୋରି, ସିସି କ୍ୟାମେରାରେ ଚୋରି ଦୃଶ୍ୟ

ଜୟପୁର: ଜୟପୁର ସହରରେ ରାତିରେ ଚାଲିଛି ଚୋରଙ୍କ ରାଜ । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁଖ୍ୟରାସ୍ତାରୁ ଚୋରି ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ସହରର କେଉଁଠି ନା କେଉଁଠି ଚୋରି ହେଉଥିବା ବେଳେ ପୁଲିସ ମାମଲାକୁ ଅତ୍ୟନ୍ତ ହାଲକା ଭାବେ ଗ୍ରହଣ କରୁଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗତକାଲିରେ ସହରର ମୁଖ୍ୟରାସ୍ତାର ଏକ ଦୋକାନ ସଟର୍ ଭାଂଗିବାକୁ ଚୋରି ଦଳ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ରାଜନଅର ଛକ ନିକଟସ୍ଥଏକ ପାନ ଦୋକାନର ତାଲା ଭାଂଗି ଚୋରି କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଚୋରି ଦଳକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ । ଆଜି ସଂଧ୍ୟାରେ ପୁଲିସ ଚୋରକୁ ଠାବ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଅପରପକ୍ଷରେ ମୁଖ୍ୟରାସ୍ତାର ଦୋକାନ ସଟର୍ ଭାଂଗିବାକୁ ଉଦ୍ୟମ କରୁଥିବା ଚୋରଦଳଙ୍କ ସ୍ପଷ୍ଟ ଚିତ୍ର ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଜଣାଯାଇଛି। ସହରରେ ଚୋରି ଓ ଚୋରଦଳକୁ ଠାବ କରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ ପୁଲିସକୁ ଚକମା ଦେଇ ଚୋର ଗ୍ୟାଙ୍ଗ ସଫଳ ହେଉଛନ୍ତି। ଏଭଳି ସ୍ଥିତିରେ ଛୋଟମୋଟ ଚୋରି ମାମଲାରେ ଲୋକେ ପୁଲିସରେ ଏତଲା ଦେବାକୁ କୁଣ୍ଠାବୋଧ କରୁଥିବା ଯୋଗୁଁ ଅଧିକାଂଶ ମାମଲା ଲୋକଲୋଚନକୁ ଆସିପାରୁନାହିଁ ।
ଆଜି ସ୍ଥାନୀୟ ରାଜନଅର ଛକ ସ୍ଥିତ ଉମେଶ ପାଣିଗ୍ରାହୀଙ୍କ ପାନ ଦୋକାନରେ ଚୋର ଦଳ ତାଲା ଭାଙ୍ଗି ଦୋକାନରେ ଥିବା ମୂଲ୍ୟବାନ ସାମଗ୍ରୀ ଓ ନଗଦ ଟଙ୍କା ଚୋରି କରିଥିବା ଜଣାପଡିଛି। ସେହିପରି ଗତକାଲି ରାତିରେ ଜୟପୁର ତହସିଲ ଅଫିସ ନିକଟସ୍ଥ ବିନୋଦ ମ୍ୟୁଜିକାଲ ସେଣ୍ଟରରେ ଚୋର ଦଳ ତାଲା ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସହରର ପ୍ରମୁଖ ସ୍ଥାନରେ ଏଭଳି ଘଟଣା ହେଉଥିବା ଯୋଗୁଁ ଲୋକେ ବି ସୁରକ୍ଷିତ ମନେ କରୁନାହାନ୍ତି। ପୁଲିସ ପ୍ରଶାସନ ତୁରନ୍ତ ଏଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର