କୋରାପୁଟ : ଆଜି କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍’ (କେଡିଏଫ୍) ପକ୍ଷରୁ କୋରାପୁଟଠାରେ ଏକ ସମନ୍ବିତ କଫି ପ୍ରକ୍ରିୟାକରଣ ଏବଂ ଷ୍ଟୋରେଜ୍ ୟୁନିଟ୍ ଆରମ୍ଭ କରାଯାଇଛି। ଏହି ୟୁନିଟର ଉଦଘାଟନ ଉତ୍ସବରେ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, ଭାରତୀୟ କଫି ବୋର୍ଡ (କୋରାପୁଟ)ର ବରିଷ୍ଠ ଲିଆସନ୍ ଅଧିକାରୀ ଉପେନ୍ଦ୍ର ଶାହା ଏବଂ ଓଡ଼ିଶା କଫି ଉତ୍ପାଦକ ସଂଘର ସଭାପତି ପ୍ରଦୀପ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।
କୋରାପୁଟ୍ ସହରରୁ ପ୍ରାୟ ୧୨ କିଲୋମିଟର୍ ଦୂର ଏକାଡେଲି ଗାଁରେ ଏହି ୟୁନିଟ୍ ନିର୍ମାଣ କରାଯାଇଛି। ୪,୫୦୦ ବର୍ଗଫୁଟ୍ ପରିମିତ ଅଂଚଳରେ ଗଢ଼ିଉଠିଥିବା ଏହି ୟୁନିଟ୍ରେ ଆଧୁନିକ ମେସିନ୍ ସାହାଯ୍ୟରେ କଞ୍ଚା କଫିକୁ ଶୁଖାଇ ସେଥିରୁ ଚୋପା ଛଡ଼ାଇ ତୁଷ କାଢ଼ି ପଲିସ୍ କରିବା ସହ ଗୁଣ୍ଡ କରାଯିବ। ଏହି ୟୁନିଟ୍ରେ ଥିବା ବିଶେଷ ଧରଣର ମେସିନ୍ଟି ହେଉଛି ‘ଫସ୍ଫର୍-ବ୍ରୋଞ୍ଜ୍ ପିଲର୍ ପଲିସର୍’। ଏହି ମେସିନ୍ରୁ ବାହାରୁ ଥିବା କଫିର ମସୃଣତା କର୍ଣ୍ଣାଟକର ‘ମ୍ୟାକ୍କିନୋନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ର କଫିର ସମକକ୍ଷ। ଏହି ବିଖ୍ୟାତ କଫି ଉତ୍ପାଦନକାରୀ ତଥା ରପ୍ତାନିକାରୀ ସଂସ୍ଥା ଦ୍ବାରା ‘କେଡିଏଫ୍’ର କଫି ପ୍ରକ୍ରିୟାକରଣ ୟୁନିଟ୍ ଚାଲୁ ହୋଇଥିଲା। ଏଥିପାଇଁ ବୈଷୟିକ ମାର୍ଗଦର୍ଶନ କରାଇଥିଲେ ଭାରତର ଅଗ୍ରଣୀ କଫି ଗୁଣବତ୍ତା ବିଶେଷଜ୍ଞା ସୁନାଲିନି ମେନନ୍।
ଏହି ୟୁନିଟ୍ କୋରାପୁଟ ଏବଂ ବ୍ୟାବସାୟିକ ଭାବେ ସ୍ବଳ୍ପ ପରିମାଣର କଫି ଉତ୍ପାଦନ କରାଯାଉଥିବା କନ୍ଧମାଳ ଓ କେନ୍ଦୁଝର ଭଳି ଆଖପାଖ ଜିଲ୍ଲାର କଫି ଚାଷୀଙ୍କୁ ସେବା ଯୋଗାଇ ଦେବ। ଫଳରେ ଏବେ କର୍ଣ୍ଣାଟକର ବ୍ୟବସାୟୀମାନଙ୍କୁ ଶୁଖାଯାଇଥିବା କଞ୍ଚାକଫି ବିକ୍ରୟ କରୁଥିବା କଫି ଚାଷୀମାନେ ସେମାନଙ୍କ କଫିରୁ ଅଧିକ ଅର୍ଥ ପାଇବେ। ଏହି ସମନ୍ବିତ କଫି ପ୍ରକ୍ରିୟାକରଣ ୟୁନିଟରେ ପ୍ରାରମ୍ଭିକ ଭାବେ ୨୦୦ ମେଟ୍ରିକ୍ ଟନ୍ କଞ୍ଚାକଫି ସଂରକ୍ଷଣ କରି ରଖାଯାଇ ପାରିବ ଓ ବର୍ଷକୁ ପ୍ରାୟ ୬୦୦ ମେଟ୍ରିକ୍ ଟନ୍ କଞ୍ଚାକଫି ପ୍ରକ୍ରିୟାକରଣ କରାଯାଇପାରିବ। ଭବିଷ୍ୟତରେ ପର୍ଯ୍ୟାୟକ୍ରମେ ଏହାର ପ୍ରକ୍ରିୟାକରଣ ସାମର୍ଥ୍ୟ ବୃଦ୍ଧି କରାଯିବ।
କଫି ମଞ୍ଜିଗୁଡ଼ିକ ସ୍ବଭାବତଃ ସୂକ୍ଷ୍ମ ଏବଂ ସହଜରେ ନରମ ହୋଇଯାଉଥିବା ହେତୁ ଆବଶ୍ୟକ ଉଷ୍ମତା ଏବଂ ଆର୍ଦ୍ରତା ନିୟନ୍ତ୍ରଣ ସୁନିଶ୍ଚିତ ହେବାକୁ ‘କଫି ବୋର୍ଡ ଅଫ୍ ଇଣ୍ଡିଆ’ର ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ଏହି ୟୁନିଟ୍ ନିର୍ମାଣ କରାଯାଇଛି। କଫି ବୋର୍ଡର୍ ଲାଇସେନ୍ସ୍ ପ୍ରାପ୍ତ କଫି ଶୁଖା କାମ ପାଇଁ ଆବେଦନ କରାଯିବା ପରେ ପଞ୍ଜିକରଣ ପ୍ରକ୍ରିୟାର ଅଂଶବିଶେଷ ଭାବେ ନିକଟରେ ‘କଫି ବୋର୍ଡ ଅଫ୍ ଇଣ୍ଡିଆ’ର ‘କଫି ଗୁଣବତ୍ତା’ର ଉପଖଣ୍ଡ ମୁଖ୍ୟ ଡକ୍ଟର୍ ମଣ୍ଡପ୍ପା ଆଇ.ଏସ୍. ଏହି ୟୁନିଟ୍ର ପର୍ଯ୍ୟବେକ୍ଷଣ କରିଥିଲେ।
ଏହି ସମନ୍ବିତ ୟୁନିଟ୍ ସଂସ୍ଥାପନ ହେଉଛି ଦକ୍ଷିଣ ଓଡ଼ିଶାରେ ‘କଫି ଇକୋସିଷ୍ଟମ୍’ର ପରିବର୍ତ୍ତନ ନିମନ୍ତେ ‘କେଡିଏଫ୍’ର ସାମାଜିକ ପ୍ରୟାସର ଉଦ୍ୟମ। କେବଳ ଓଡ଼ିଶାର ନୂତନ କଫିଚାଷ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଘରୋଇ ବିନିଯୋଗ ନୁହେଁ, ଏହି ସମନ୍ବିତ ୟୁନିଟ୍ ସାମଗ୍ରିକ ଭାବେ ଆର୍ଥିକ ଏବଂ ଶିଳ୍ପ କ୍ଷେତ୍ରରେ ପଛୁଆ କୋରାପୁଟ ଜିଲ୍ଲାର ପ୍ରତିନିଧିତ୍ବ କରୁଛି। କୋରାପୁଟ୍ର କଫି ଚାଷୀମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ, ରେକର୍ଡ ସମୟ ମାତ୍ର ୬ ମାସ ମଧ୍ୟରେ ଏହି ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟ୍ ଅଣକୁଶଳୀ, ଆଂଶିକ କୁଶଳୀ ଏବଂ କୁଶଳୀ ଶ୍ରମିକଙ୍କ ସମେତ ୧୫୦୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ କର୍ମସଂସ୍ଥାନ ଯୋଗାଇଛି। ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହେଲେ ଏହି ୟୁନିଟ୍ ଆହୁରି କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ। ଏହି ୟୁନିଟ୍ ନିର୍ମାଣ ବେଳେ କୋରାପୁଟ ଜିଲ୍ଲାର ଆଞ୍ଚଳିକ ଅର୍ଥନୀତିର ବିକାଶ ନିମନ୍ତେ ‘କେଡିଏଫ୍’ ସ୍ଥାନୀୟ ବୁଲାବିକାଳି, ଯୋଗାଣକାରୀ ଏବଂ ଠିକାଦାରମାନଙ୍କ ସହ କାର୍ଯ୍ୟ କରିଛି। କଫି ଚାଷୀଙ୍କୁ ଉତ୍ସାହ ଦେଇ ଏବଂ ଏବକାର କଫି ଚାଷୀମାନଙ୍କୁ କଞ୍ଚା କଫି ମଞ୍ଜି ବିକ୍ରି କରିବାରେ ସମର୍ଥ କରାଇବାରେ ଏହି କଫି ପ୍ରକ୍ରିୟାକରଣ ୟୁନିଟ୍ ଭବିଷ୍ୟତରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।
ସୂଚନାଯୋଗ୍ୟ, ‘କଳିଙ୍ଗ ଦେଶୀଆଗ୍ରୋ ଫାଉଣ୍ଡେସନ୍’ ହେଉଛି ଗୋଟାଏ ଘରୋଇ, ଲାଭରହିତ, ସାମାଜିକ ପ୍ରଭାବୀ ଉପକ୍ରମ ଯାହା ଓଡ଼ିଶାରେ କଫି ଇକୋସିଷ୍ଟମ୍ର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛି।