ମନ୍ତ୍ରୀଙ୍କ ହାତରେ ଜାଲ ପଟ୍ଟା ବଣ୍ଟାଇଥିଲା ପ୍ରଶାସନ!:ପଟ୍ଟା ଫେରସ୍ତ ନିଆଯିବ: ଅତିରିକ୍ତ ତହସିଲଦାର

ଜୟପୁର: ଜମିହୀନଙ୍କୁ ମିଳିବ ଜମି। ସରକାରଙ୍କ ଏହି ଯୋଜନାରେ ଶହ ଶହ ହିତାଧିକାରୀ ଉପକୃତ ହେବେ ବୋଲି ଆଶା ବାନ୍ଧି ରହିଥଲେ। କିନ୍ତୁ ଜମି ଦେବା ବଦଳରେ ଖୋଦ୍‌ ପ୍ରଶାସନ ଏହି ଗରିବଙ୍କ ହାତରେ ଧରାଇ ଦେଇଛି ଜାଲ ଜମି ପଟ୍ଟା। ହିତାଧିକାରୀଙ୍କୁ ଦିଆଯାଇଥିବା ପଟ୍ଟାରେ ସେମାନଙ୍କ ନାମରେ ସରକାରୀ ସ୍ୱୀକୃତି ଥିବା ଷ୍ଟାମ୍ପ ଓ ସିଲ୍‌ ରହିଛି ସତ। ହେଲେ ତାହାର କୌଣସି ରେକର୍ଡ ତହସିଲ କାର୍ଯ୍ୟାଳୟରେ ନାହିଁ। ଏମିତି ସାଂଘାତିକ କାମ କରି ପ୍ରଶାସନ କେବଳ ଗରିବ ଲୋକଙ୍କ ଆବେଗ ସହ ଖେଳିନାହିଁ ବରଂ ଏଭଳି ଜାଲ ପଟ୍ଟାକୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହାତରେ ବି ବଣ୍ଟାଇ ବାହା ବାହା ନେଇଛି। ବର୍ତମାନ ଜମିର ମାଲିକାନା ସତ୍ତ୍ୱ ପାଇଁ ହିତାଧିକାରୀ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡ଼ୁଛନ୍ତି। କିନ୍ତୁ ଫଳ ଘର ଶୂନ। ପ୍ରଶାସନ କରିଥିବା ତ୍ରୁଟିକୁ ସୁଧାରିବା ବଦଳରେ ସମୟ ଗଡ଼ାଇ ହିତାଧିକାରୀଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ପ୍ରଶାସନର ଏଭଳି କଳା କାରାନାମା ପ୍ରଘଟ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆଜି ଏହି ଘଟଣାକ୍ରମରେ ଜୟପୁର ତହସିଲ ଅଧୀନ ଡଂଗରଛିଞ୍ଝି ପଂଚାୟତ ଅନ୍ତର୍ଗତ ମୁଖୁଖୁଡୁପି ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ତହସିଲ କାର୍ଯ୍ୟାଳୟକୁ ଆସି ଗୁହାରି ଜଣାଇଥିଲେ। ମିଳିଥିବା ଜାଲି ପଟ୍ଟାକୁ ସଂଶୋଧନ କରି ଅସଲି ପଟ୍ଟା ଦେବାକୁ ଦାବି କରିବାରୁ ଏଭଳି ସମ୍ଭେଦନଶୀଳ ଘଟଣା ଲୋକ ଲୋଚନକୁ ଆସିଛି।
ପ୍ରାୟ ୭ବର୍ଷ ତଳେ ଉପରୋକ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ପ୍ରଶାସନ ଘରବାଡି ପଟ୍ଟା ଦେଇଥିଲା। ତେବେ ଏହା ଏବେ କୌଣସି କାର୍ଯ୍ୟରେ ଆସୁନି। ଏହାକୁ ଦେଖାଇଲେ ଜାତି କିମ୍ବା ଆୟ ପ୍ରମାଣମତ୍ର ମଧ୍ୟ ମିଳୁନାହିଁ। କୃଷି ଋଣ କିମ୍ବା ଘର ଋଣ ବ୍ୟାଙ୍କ ଦେଉନାହିଁ। ବ୍ୟାଙ୍କ କର୍ତୃପକ୍ଷ ଜାଲ କହି ପଠାଇ ଦେଉଛନ୍ତି। ଖାଲି କାଗଜ ଖଣ୍ଡକ ଧରି ଆମେ ଘୂରି ବୁଲୁଛୁ । ଧାଇଁ ଧାଇଁ ନାୟନ୍ତ ହେଲୁଣି ସିନା ଆମକୁ ନ୍ୟାୟ ମିଳିନାହିଁ। ପ୍ରଶାସନ ଆମକୁ ଜାଲ ଘର ବାଡି ପଟ୍ଟା ଦେଇ ଠକି ଦେଇଛି’ ବୋଲି କହିଛନ୍ତି ମୁଖୁଖୁଡୁପି ଗାଁର ଲକ୍ଷ୍ମଣ ରାଏ।
ଆଜି ଜୟପୁର ତହସିଲ କାର୍ଯ୍ୟାଳୟକୁ ଆସିଥିବା ୧୮୦ରୁ ଅଧିକ ପରିବାରବର୍ଗ ମୁହଁରେ ଏହି ଗୋଟିଏ କଥା। ମିଳିଥିବା ସୂଚନା ଅନୁଯାୟୀ ଗତ ୭ବର୍ଷ ତଳେ ପ୍ରଶାସନ ପକ୍ଷରୁ ସଂପୃକ୍ତ ହିତାଧିକାରୀଙ୍କୁ ଘରବାରି ପଟ୍ଟା ଦିଆଯାଇଥିଲା। ତରବରିଆ ଭାବେ ମନ୍ତ୍ରୀଙ୍କ ହାତରେ ଏହାକୁ ବଣ୍ଟନ ବି କରାଯାଇଥିଲା। ତେବେ ତଦନ୍ତ ବେଳେ ହିତାଧିକାରୀଙ୍କୁ ଯେଉଁ ଘରବାରି ପଟ୍ଟା ଦିଆଯାଇଛି ତାହା ତହସିଲ ରେକର୍ଡରେ କିଛି ନାହିଁ। ରେକର୍ଡ ରୁମରେ ହିତାଧିକାରୀଙ୍କୁ ମିଳିଥିବା ୨ଡିସିମିଲ ଜମିକୁ ପରିବର୍ତ୍ତନ କରାଯାଇନାହିଁ। ହିତାଧିକାରୀଙ୍କୁ ଯେଉଁ ପଟ୍ଟା ଦିଆଯାଇଛି ତାହାର କୌଣସି ସରକାରୀ ରେକର୍ଡ ମଧ୍ୟ ନାହିଁ। ମିଳିଥିବା ପଟ୍ଟା ମଧ୍ୟରୁ କେତୋଟିରେ ତହସିଲଦାରଙ୍କ ଦସ୍ତଖତ ରହିଥିବା ବେଳେ କେତୋଟି ପଟ୍ଟାରେ ଦସ୍ତଖତ ନଥିବା ବି ହିତାଧିକାରୀ ପ୍ରକାଶ କରିଛନ୍ତି। ତହସିଲଦାରଙ୍କ ଦସ୍ତଖତ ନ ଥିବାରୁ ବ୍ୟାଙ୍କ ଏହାକୁ ଗ୍ରହଣ କରୁନାହିଁ। ଜାତି ପ୍ରମାଣପତ୍ର ହେଉ ବା ଆୟ ପ୍ରମାଣପତ୍ର ମିଳିପାରୁନାହିଁ ବୋଲି ହିତାଧିକାରୀ ପ୍ରକାଶ କରିଛନ୍ତି । ହତାଧିକାରୀଙ୍କୁ ମିଳିଥିବା ଘରବାରି ପଟ୍ଟାରେ କେବଳ ଖାତା ନମ୍ବର, ମୌଜା, ପ୍ଲଟ ନମ୍ବର ରହିଛି। ଏଭଳି ଚଞ୍ଚକତା କେବଳ ମୁଖୁଖୁଡିପି ନୁହଁ ଜୟପୁର ବ୍ଲକର ୨୨ଟି ଗାଁର ପ୍ରାୟ ୫୦୦୦ ହଜାର ହିତାଧିକାରୀଙ୍କ ସହ କରାଯାଇଛି। ପଟ୍ଟା ପାଇଥିବା ହରି ପ୍ରଧାନୀ ଓ ପୀତାମ୍ବର ଝରି କହିଛନ୍ତି ଗତ ୭ବର୍ଷ ତଳେ ଆମକୁ ଏହି ପଟ୍ଟା ମିଳିଥିଲା । ଏଥିରେ ଖାତା ନମ୍ବର ସହ ମୌଜା ଓ ଖତିଆନର କ୍ରମିକ ନମ୍ବର ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଏହାକୁ ଜାଲ ବୋଲି ଫେରାଇ ଦେଇଥିଲେ। ଆମେ ପଟ୍ଟା ନମ୍ବର ଇଣ୍ଟରନେଟରେ ଯାଞ୍ଜ କରିବା ପରେ କୌଣସି ତଥ୍ୟ ମିଳି ନଥିଲା। ଏନେଇ ଆମେ ଦୀର୍ଘ ଦିନ ହେବ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।
ଏନେଇ ଜୟପୁର ଅତିରିକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ୨୦୧୧ ମସିହାରେ ମୁଖୁଖୁଡିପି ଗାଁର ୧୮୦ ଭୂମିହୀନ ପରିବାରଙ୍କୁ ଘରବାରି ଜମି ପଟ୍ଟା ଦିଆଯାଇଥିଲା। ସେମାନଙ୍କୁ ଦିଆଯାଇଥିବା ପଟ୍ଟାର ସବିଶେଷ ତଥ୍ୟ ସମ୍ପୃକ୍ତ ଆରଆଇ ଓ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ରଖିନାହାନ୍ତି। ସେହି ସମୟରେ ଥିବା ତହସିଲଦାର ଓ ଆରଆଇଙ୍କ ଦୂରଦୃଷ୍ଟି ଅଭାବରୁ ଏବେ ଏହି ହିତାଧିକାରୀ ହଇରାଣ ହେଉଛନ୍ତି। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ହିତାଧିକାରୀଙ୍କୁ ଦିଆଯାଇଥିବା ପଟ୍ଟା ଗୁଡିକୁ ଫେରସ୍ତ ନିଆଯାଇ ନୂଆ ପଟ୍ଟା ପ୍ରଦାନ କରାଯିବ ବୋଲି କହିଛନ୍ତି । ଏଥିନେଇ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ସହ ଯୋଗାଯୋଗ କରାଯିବାରୁ ସେହି ଗ୍ରାମବାସୀ ତାଙ୍କ ନିକଟକୁ ଆସି ଅଭିଯୋଗ କରିଥିଲେ। ସେମାନଙ୍କୁ ତହସିଲ କାର୍ଯ୍ୟାଳୟ ଯିବାକୁ କହିଥିଲେ। ପଟ୍ଟାର ସଂଶୋଧନ କରିବାକୁ କୁହାଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର