ଅନ୍ତଃରାଜ୍ୟ ଅପରାଧୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଜୟପୁର; ବଢ଼ିବାରେ ଲାଗିଛି ବଟି, ମାଉଜର ଓ ଗଞ୍ଜେଇ କାରବାର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଗତ କିଛି ବର୍ଷ ହେବ ଅନ୍ତଃରାଜ୍ୟ ଅପରାଧିଙ୍କ ସଂଖ୍ୟା ବଢ଼ିଛି। ଜୟପୁର ଠା‌ରେ ଆଶ୍ରୟ ନେବା ଓ ସମୟ ଆସିଲେ ଗଂଜେଇ ଚାଲାଣ କରିବା ସୁବିଧା ହେଉଥିବାରୁ ଅଧିକା ଅନ୍ତଃରାଜ୍ୟ ଅପରାଧି ମାନେ ଜୟପୁରକୁ ପ୍ରମୁଖ ସ୍ଥାନ ଭାବେ ବାଛି ନେଇଛନ୍ତି। ଅନ୍ୟ ଅଞ୍ଚଳ ଅପେକ୍ଷା ଗଂଜେଇ ମାମଲା ଗୁଡିକରେ ଜଡ଼ିତ ଥିବା ଅପରାଧି ମାନେ ଜୟପୁରରେ ଡେରା ପକାଇ ରହୁଥିବା ସୂଚନା ମିଳିଛି। ଏମାନେ ଏଠାରେ ଭଡା ଘର ନେଇ ରହୁଛନ୍ତି। ତେବେ ଭଡା ଦେଉଥିବା ଘର ମାଲିକ ମାନେ ସ୍ଥାନୀୟ ଲୋକଙ୍କ ମାର୍ଫତରେ କିମ୍ବା ଅଧିକା ଘର ଭଡା ମିଳିବା ଆଶାରେ ଘର ଦେଉଛନ୍ତି।

ତେବେ ଏମାନଙ୍କର ପ୍ରକୃତ ପରିଚୟ ଘର ମାଲିକଙ୍କ ନିକଟରେ ରହୁନି। ଖାସ୍ କରି ଏହି ଅପରାଧି ମାନେ ସହର ଉପକଣ୍ଟରେ ଥିବା କିଛି ନୂଆ କଲୋନିରେ ଘର ଭଡ଼ା ନେଇ ରହୁଛନ୍ତି। ଏହି ଅନ୍ତଃରାଜ୍ୟ ଅପରାଧି ମାନେ ମାଉଜର ସହ ବିଭିନ୍ନ ଅତ୍ୟାଧୁନିକ ମାରଣାସ୍ତ୍ର ଏଠାକୁ ଆଣି ଅପରାଧି ମାନଙ୍କୁ ଯୋଗାଇ ଆସୁଛନ୍ତି। ଗଂଜେଇ ଚାଲଣ ମାମଲାର କିଛି ଅପରାଧି ମାନେ ଏସବୁ ମାରଣାସ୍ତ୍ର ଯୁବବର୍ଗଙ୍କୁ ଦେଇ ଏମାନଙ୍କୁ ଗଂଜେଇଚାଲାଣ ବେଳେ ଖାସ୍ କରି ପାଇଲଟିଂ ଡ୍ୟୁଟି ଦେଉଛନ୍ତି। ଗତ କିଛି ଦିନ ତଳେ ଜୟପୁର ସଦରଥାନା ଅଂଚଳରେ କୋରାପୁଟ ଘାଟି ଉପରେ କଳାଗୁଡା ଅଂଚଳର ଜୈନକ ଯୁବକ ମାଉଜର ସହ ପୁଲିସ ହାତରେ ଏଭଳି ସ୍ଥିତିରେ ହିଁ ଧରା ପଡ଼ିଥିଲେ।

ଏପରିକି ଜୟପୁର ସହରର ବହୁ ଅପରାଧି ଏବଂ ଯୁବ ଅପରାଧିଙ୍କ ନିକଟରେ ସଂପ୍ରତି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ମାଉଜର ରଖିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସର ସ୍କାନରରେ ବହୁ ଅପରାଧି ରହିଥିବା ବେଳେ ପୁଲିସ ସହ ଏମାନଙ୍କର ଲୁଛାଛପା ଖେଳବି ଜାରୀ ରହିଛି। ଚାଲାଣ ମାମଲାରେ ଜଡ଼ିତ ଥିବା ଅପରାଧି ମାନେ ଯୁବବର୍ଗଙ୍କୁ ସାମିଲ କରି ସାରିଲେଣି। ଏଭଳିକି ଚାଲାଣରେ ଗାଁରୁ ଆରମ୍ଭ କରି ସହରର ବହୁ ଅର୍ଦ୍ଧଶିକ୍ଷିତ, ଶିକ୍ଷିତ, ଡିଗ୍ରୀ ଓ ଇଂଜନିୟରିଂ, ଫାର୍ମସି ଭଳି ଧନ୍ଦାମୂଳକ ପାଠ ପଡ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ କମ୍ ସମୟରେ ଅଧିକା ଟଙ୍କା କମାଇବା ଆଶାରେ ଏମାନଙ୍କ ସହ ସାମିଲ ହୋଇଛନ୍ତି। ପାଇଲଟିଂ କରୁଥିବା ଯୁବ ଅପରାଧି ମାନେ ମାଉଜର ସହ ବିଭିନ୍ନ ମାରଣାସ୍ତ୍ର ଧରି ଏହି ଗଂଜେଇ ଗାଡି ଗୁଡିକୁ ଜୟପୁର ସହର ଓ ସଦର ଅଞ୍ଚଳ ପାର୍ କରାଉଛନ୍ତି। ଏମାନେ ଉଭୟ ଥାନାର ବିଭିନ୍ନ ଲୁପ୍ ଲାଇନ୍ (ବିଭିନ୍ନ ଗାଁ ମଧ୍ୟରେ ଥିବା ରାସ୍ତା) ଦେଇ ପାର୍ କରାଉଛନ୍ତି।

ଏହା ସହ ଏହି ଅସ୍ତ୍ରଶସ୍ତ୍ର ଓ ମାଉଜର ଧରି ବଟି ବି ଆଦାୟ କରି ଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଜୟପୁର ଉପଖଣ୍ଡରେ ବହୁ ସଂଖ୍ୟକ ଅନ୍ତଃରାଜ୍ୟ ଅପରାଧି ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି। ସଂପ୍ରତି ଜୟପୁର ଉପକାରାଗାରରେ ଏଭଳି ୧୨୮ଜଣ ବିଚାରାଧୀନ କଏଦୀ ଭାବେ ରହୁଛନ୍ତି। ତେବେ ଏମାନେ ଜାମିନରେ ଯିବା ଏବଂ ମାମଲା ଜାରି ସମୟରେ ଏମାନଙ୍କୁ କିଏ ସହଯୋଗ କରୁଛନ୍ତି। ଏହାର ତଥ୍ୟ ପୁଲିସ ସଂଗ୍ରହ କଲେ ଏହାର ମୂଳ ପର୍ୟ୍ୟନ୍ତ ପହଞ୍ଚି ପାରିଥାନ୍ତେ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଖାସ୍ କରି ପୁଲିସ ପ୍ରଶାସନ ପକ୍ଷରୁ ଭଡାଧାରୀଙ୍କ ଯାଞ୍ଚ କରା ଯାଉନଥିବାରୁ ଏମାନଙ୍କର ଗତିବିଧି ବୃଦ୍ଧି ପାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପୁଲିସ କେବଳ ଉପର ଠାଉରିଆ ଭାବେ ଜିଲ୍ଲାର ଲଜ୍ ଗୁଡିକର ଯାଞ୍ଚ କରି ଚୁପ ହୋଇ ଯାଉଛନ୍ତି। ବାହାର ରାଜ୍ୟରୁ ଆସି ଭଡାଘର ନେଇ ରହି ବ୍ୟବସାୟ କରୁଛନ୍ତି ନା ଆଉ କିଛି କାମଧନ୍ଧା କରୁଛନ୍ତି। କେତେ ଜଣ ଯାଯାବର ଆସି ସହର ତଳି ଅଞ୍ଚଳରେ ରହୁଛନ୍ତି।ତାହାର ସବିଶେଷ ତଥ୍ୟ ଜିଲ୍ଲାର କୌଣସି ଥାନାରେ ରହିନାହିଁ। ସୂଚନାନୂଯାୟୀ, କୋରାପୁଟ ଜିଲ୍ଲା ଏବଂ ଜୟପୁର ସହରକୁ ଅନ୍ତଃରାଜ୍ୟ ବିହାରୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଆଦି ଅଂଚଳର କୁଖ୍ୟାତ ଅପରାଧି ମାନେ ଆଶ୍ରୟସ୍ଥଳୀ ଭାବେ ବାଛିଛନ୍ତି। ଏଠାକାର କିଛି ସ୍ଥାନୀୟ ଅପରାଧି ମାନେ ବି ଏମାନଙ୍କ ସହ ହାତ ମିଳାଇବା ସହ ଏମାନଙ୍କ ସହାୟତାରେ ଜିଲ୍ଲା ସହ ପଡୋଶୀ ଜିଲ୍ଲା ଗୁଡିକରେ ଚୋରୀ, ଡକାୟତି , ରାହାଜାନୀ ସହ ବଟି ଆଦାୟ ଭଳି ଅପରାଧ ଗୁଡିକ ସଂଘଟିତ କରୁଛନ୍ତି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର