କୋରାପୁଟ, (ପତିତପାବନ ସାହୁ,): ତାରା ଚମକିବେ, ନ‌ା’ ଆଉ ଥରେ ଉଦୟ ହେବେ ରବି ? ସ୍ଥିତି ଗୋଳିଆ ହେଲେ ଗଜୁରିବନି ତ’ ପଦ୍ମ? ଆଶାୟୀ ଅଧିକ ଥିବାରୁ ଅଡୁଆ କରିବେ କି ବିଦ୍ରୋହୀ?

Advertisment

ଏମିତି ଚର୍ଚ୍ଚା ଓ ଆଲୋଚନାରେ ଏବେ ଗରମ ରହିଛି ଜୟପୁର ରାଜନୀତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ଅଣ ସଂରକ୍ଷିତ ଆସନ ସବୁ ଦଳ ଓ ନେତାଙ୍କ ଫୋକସରେ ରହିଥିଲାବେଳେ ଭୋଟରଙ୍କ ମନ କିଣିବା ପାଇଁ ଏବେଠାରୁ କସରତ ଆରମ୍ଭ କରିଦେଲେଣି ନେତା।

publive-image

୨୦୦୦ ମସିହା ପରଠାରୁ ଏହି ଆସନଟି ବିଜେଡି କବ୍‌ଜାରେ ରହିଥିଲା। ୨୦୧୪ ନିର୍ବାଚନରେ କିନ୍ତୁ ସ୍ଥିତି ପଲଟିଥିଲା। ଏଥିରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ୮ହଜାରରୁ ଅଧିକ ଭୋଟରେ ତତ୍କାଳୀନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ଲଗାତାର ୩ ଥର ଏହି ଆସନକୁ ନିଜ ଦଖଲରେ ରଖିଥିଲେ ରବି ନାରାୟଣ ନନ୍ଦ। ୨୦୦୯ ନିର୍ବାଚନରେ ସେ ବିଜେପି ଟିକେଟରେ ଲଢିଥିବା ତାରା ପ୍ରସାଦ ବାହିନୀପତିଙ୍କୁ ପାଖାପାଖି ୧୦ହଜାର ଭୋଟରେ ହରାଇଥିଲେ। ସେହିପରି ୨୦୦୪ରେ କଂଗ୍ରେସ ନେତା ରଘୁନାଥ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାର ଭୋଟରେ ପରାସ୍ତ କରିଥିଲେ।

ଆସନ୍ତା ନିର୍ବାଚନରେ କଂଗ୍ରେସରୁ ବାହିନୀପତି ଲଢିବା ଏକପ୍ରକାର ନିଶ୍ଚିତ। ତାଙ୍କ ବିରୋ‌ଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତା’ର ସ୍ପଷ୍ଟ ସୂଚନା ମିଳିନି। ତେବେ ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀର ମତ ଅନୁଯାୟୀ, ତାରାଙ୍କୁ ଟକ୍କର ଦେବାକୁ ବିଜେଡି ତା’ ପୁରୁଣା ପ୍ରାର୍ଥୀ ରବି ନନ୍ଦଙ୍କୁ ଟିକେଟ ଦେବ। ଏପରି ହେଲେ, ପୁରୁଣା ପ୍ରସଙ୍ଗକୁ ନେଇ ପୁରୁଣା ମଇଦାନରେ ଦୁଇ ପୁରୁଣା ନେତା ନୂଆ ଲଢେଇରେ ପରସ୍ପରକୁ ସାମନା କରିବେ। ଏହା ବେଶ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ଭେଟେରାନ ନେତା ଏ ଭିତରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

publive-image

ଜିଲ୍ଲା ଭିତ୍ତିକ ନିଯୁକ୍ତି, ବିହାରି ମଦଭାଟି ଉ‌ଚ୍ଛେଦ, ପିସି କାରବାରକୁ ପ୍ରସଙ୍ଗ କରିବେ ବୋଲି ବାହିନୀପତି କହିେଲଣି। ନବୀନ ସରକାରଙ୍କ ବିକାଶମୂଳକ କାମ, ବିଧାୟକଙ୍କ ବିଫଳତାକୁ ଅସ୍ତ୍ର କରି ନିର୍ବାଚନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି ରବି। ଏ ଭିତରେ ଦୁଇ ନେତା ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ମାରାଥନ ଗସ୍ତ କରି ସମର୍ଥନ ସାଉଁଟିବାରେ ଲାଗିଛନ୍ତି। ବାହିନୀପତି ଯୁବ ଭୋଟରଙ୍କୁ ଟାର୍ଗେଟ କରିଥିଲାବେଳେ ରବି ନନ୍ଦ ବୟସ୍କ ଲୋକଙ୍କ ସମର୍ଥନ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପରିକି ସେ ବୟସ୍କ ଲୋକଙ୍କୁ ମୁଣ୍ଡିଆ ମାରିବା ସହ ବୁଲି ବୁଲି ଆଶୀର୍ବାଦ ମାଗୁଛନ୍ତି।

ତେବେ ବିେଜଡିର ଏକାଧିକ ଆଶାୟୀ କାରଣରୁ ରବି ନନ୍ଦଙ୍କ ମୁଣ୍ଡବ୍ୟଥା ବଢିଯାଇଛି। ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, ବରିଷ୍ଠ ନେତା ଗୁପ୍ତ ପ୍ରସାଦ ଦାଶ, ମହିଳା ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିନ୍ଦୁରାଣୀ ମିଶ୍ର ଏହି ଆ‌ସନ ପାଇଁ ଟିକେଟ ଦୌଡରେ ଅଛନ୍ତି। ଏମାନେ ରବିଙ୍କ ରାସ୍ତା‌ରେ କଣ୍ଟା ସାଜିବାର ଆଶଙ୍କା ରହିଛି। ତାରାଙ୍କ ପାଇଁ ବି ଏଥର ଯ‌ାତ୍ରା ସୁଗମ ହେବନି। ‌ତାଙ୍କ ୫ ବର୍ଷର କାର୍ଯ୍ୟକଳାପ ଉପରେ ଭୋଟର ନଜର ରଖିଥିଲାବେଳେ କଂଗ୍ରେସର କିଛି ନେତା ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ପୁଣି କୃଷ୍ଣ ସଗରିଆ ଜୟପୁରରୁ ଲଢିବେ ବୋଲି ସଙ୍କେତ ଦେଇଥିବାରୁ ଏହା ବାହିନୀପତିଙ୍କ ପାଇଁ ଅଡୁଆ ହୋଇପାରେ।

publive-image

ଏପଟେ ବିଜେପି ମଧ୍ୟ ଏହି ଆସନ ଉପରେ ନଜର ରଖିଛି। ବିଜେଡି ଓ କଂଗ୍ରେସ ଲଢେଇରୁ ଫାଇଦା ନେଇ ଦଳ ଆଗକୁ ବଢିବାକୁ ଯୋଜନା କରିଛି। ତେବେ କାହାକୁ ପ୍ରାର୍ଥୀ କରାଯିବ ତାହା ଚୂଡାନ୍ତ ହୋଇନି।

ପୂର୍ବଥର ପରି ଭୃଗୁ ବକ୍ସିପାତ୍ରଙ୍କ ନାମ ଚର୍ଚ୍ଚା ହେଉଛି। ହେଲେ ଅନୁପ ପାତ୍ର, ଅକ୍ଷୟ ସାହୁ, ଦେବେନ୍ଦ୍ର ବାହିନୀପତି, ବିଜି ରାୟ ଜେନାଦେଓ ଦୌଡରେ ଅଛନ୍ତି। ଯୁବ ନେତା ଗୌତମ ସାମନ୍ତରାୟ ମଧ୍ୟ ବୁଲି ବୁଲି ନିଜ ସଂଗଠନ ସଜାଡୁଛନ୍ତି। ପୁଣି ଟିଡିପି ଏଠାରେ ପ୍ରାର୍ଥୀ ଦେବ ବୋଲି କହିବା ପରେ ଏହା ସମୀକରଣକୁ ଓଲଟପାଲଟ କରିଦେବାର ଆଶଙ୍କା ରହିଛି।

୨୦୧୪ ନିର୍ବାଚନ ଫଳାଫଳ

କଂଗ୍ରେସ    ତାରା ପ୍ରସାଦ ବାହିନୀପତି    ୬୫,୩୭୮
ବିଜେଡି     ରବି ନାରାୟଣ ନନ୍ଦ           ୫୭,୦୧୧
ବିଜେପି     ଭୃଗୁ ବକ୍ସିପାତ୍ର                ୧୪,୪୬୨