ମାଉସୀ, ତୁମ ହାତ ଠିକ ମୋ ବୋଉ ହାତ ପରି କହି ବାଟ କଢ଼ାଇନେଲେ ମହିଳା ପୁଲିସ ଅଧିକାରୀ

ଜୟପୁର: ଦେହରେ ଖାକି ବର୍ଦ୍ଦି, ହାତରେ ବାଡ଼ି ଆଉ ହୃଦୟରେ ଅସୀମ ଭଲପାଇବା | କରୋନାକୁ ନେଇ ଚାଲିଥିବା ଲକଡାଉନ ସମୟରେ ଏମିତି ଏକ ଦୃଶ୍ୟ ଆସିଛି ଯାହାକି ଜଣେ ପୁଲିସଙ୍କ ସାମାଜିକ ଦାୟିତ୍ୱ ଓ ଲୋକଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିଛି | କୋରାପୁଟ ଜୟପୁରର ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଥିଲେ ଜଣେ ବୃଦ୍ଧା ମହିଳା | ମାସକର ପେନସନ ନେବାକୁ ଆସିଥିବା ଏହି ମହିଳାଙ୍କ ପାଖରେ ବ୍ୟାଙ୍କରୁ ଉଠାଇଥିବା ଟଙ୍କା ଥିଲା ସତ, କିନ୍ତୁ ନଥିଲା ଖଣ୍ଡେ ସାହାରା | ମୁଣ୍ଡଫଟା ଖରାରେ ବ୍ୟାଙ୍କ ବାହାରକୁ ଆସି ବୃଦ୍ଧା ଜଣକ ଚାଲିବାରେ କଷ୍ଟ ଅନୁଭବ କରୁଥିବାର ଦେଖି ପହଁଚିଯାଇଥିଲେ ସେଠାରେ ଥିବା ପୁଲିସ ଅଧିକାରୀ ସୁନିତା ବେହେରା |

ଜୟପୁର ଟାଉନ ଥାନାରେ ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ସୁନିତା ସଂଗେସଂଗେ ବୁଢ଼ୀ ମାଉସୀଙ୍କ ହାତ ଧରି ତାଙ୍କ ଗାଡି ପର୍ଯ୍ୟନ୍ତ ନେଇଯାଇଥିଲେ | ମାସକର ସମ୍ବଳ ପେନସନ ପାଇ ମାଉସୀ ଯେତିକି ଖୁସି ହୋଇ ନଥିଲେ, ଝିଅଟିଏ ତାଙ୍କୁ ବାଟ କଢ଼ାଇ ନେଉଥିବାର ଜାଣି ବେଶ ଖୁସି ହୋଇଯାଇଥିଲେ | ବ୍ୟାଙ୍କକୁ ଅନେକ ଲୋକ ଆସୁଥିବାବେଳେ କାହାର ସାହାଯ୍ୟ ପାଇଁ ସମୟ ନଥିବାବେଳେ ସୁନିତାଙ୍କ ତାଙ୍କ ପ୍ରତି ଥିବା ଭଲ ପାଇବା ମାଉସୀଙ୍କ ଓଠରେ ଟିକେ ହସ ଖେଳାଇଦେଇଥିଲା |

ଫଟୋ ସୌଜନ୍ୟ: ତରୁଣ କୁମାର ମହାପାତ୍ର

ଦୁଇ ଦିନ ତଳେ ବ୍ୟାଙ୍କ ଅଫ ଇଣ୍ଡିଆର ସେହି ଶାଖା ସମ୍ମୁଖରେ ଏହି ଅଧିକାରୀ ଭିଡ ଜମାଇଥିବା ମହିଳାଙ୍କୁ ସାମାଜିକ ଦୂରତ୍ୱର ଆଵଶ୍ୟକତା କଣ ରହିଛି ତାହା ବୁଝାଇଥିଲେ | କରୋନା ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତ୍ୱ କେତେ ଆବଶ୍ୟକ ସେ ବାବଦରେ ସଚେତନ କରିଥିଲେ |

ସମ୍ବନ୍ଧିତ ଖବର