ଜୟପୁର : ଗତ ୯ତାରିଖ ଦିନ ମୁମ୍ବାଇ ଆଣ୍ଟି ଟେରୋରିଜମ୍ ସ୍କ୍ବାର୍ଡ(ଏଟିଏସ୍)ର ନାଗପୁର ଶାଖା ଜୟପୁର ସହର ନିକଟସ୍ଥ କଳାଗୁଡ଼ା ଗାଁରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଗାଁର ଖଗପତି ପାଙ୍ଗୀଙ୍କୁ ନାଗପୁରରେ ହୋଇଥିବା ଏକ ଗଂଜେଇ ଚୋରା ଚାଲାଣ ମାମଲାରେ ଗିରଫ କରି ନେଇଥିଲା।
ତେବେ ଅଭିଯୁକ୍ତ ଖଗପତିଙ୍କ ଲିଙ୍କ ସଂପ୍ରତି ଚାଲିିଥିବା ବଲିଉଡ ଅଭିନେତା, ଅଭିନେତ୍ରୀ ଓ ତାଙ୍କ ସଂପର୍କୀୟଙ୍କ ନିଶା ମାମଲା ସହ କିଛି ସଂପୃକ୍ତି ରହିଛି କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା। ଗତ କିଛି ଦିନ ହେବ ବଲିଉଡର ବହୁ ଅଭିନେତ୍ରୀ ଓ ଅଭିନେତା, ପ୍ରଯୋଜକ ଆଦି ଏଭଳି ଗଂଜେଇ ରଖିବା ମାମଲାରେ ବି ଛନ୍ଦି ହେବା ସହ ଗିରଫ ବି ହୋଇଛନ୍ତି। ତେବେ ଏହି ମାମଲାଟି ସଂପୁର୍ଣ୍ଣ ରୂପେ ଅଲଗା। ଏହା ବଲିଉଡ୍ ସହ କିମ୍ବା ସଂପ୍ରତି ଚାଳିଥିବା ମାମଲା ଗୁଡିକ ସହ କିଛି ସଂପର୍କ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।
ନାଗପୁରରେ ହୋଇଥିବା ଏକ ଗଂଜେଇ ମାମଲା ସହ ଅଭିଯୁକ୍ତ ଖଗପତିଙ୍କ ସଂପୃକ୍ତି ରହିଥିଲା । ନାଗପୁରରେ ଧରା ପଡ଼ିଥିବା ଜଣେ ଅଭିଯୁକ୍ତ ଏଟିଏସର ତଦନ୍ତ ସମୟରେ ସେ କେଉଁଠାରୁ ଓ କାହା ନିକଟରୁ ଗଂଜେଇ କିଣି ନେଇଥିଲେ ତାହା କହିଥିଲେ। ତାଙ୍କ ସୂଚନାକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ଏଟିଏସ୍ ଜୟପୁର ସଦରଥାନାରେ ପହଚିଂଥିଲେ। ଜୟପୁର ସଦରଥାନା ସହଯୋଗରେ କଳାଗୁଡ଼ା ଗାଁରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଏସଡିପିଓ ସ୍ପଷ୍ଟ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜୟପୁର ସଦରଥାନା ଓଆଇସି ଆଦିତ୍ୟ ମହାକୁର ଉପସ୍ଥିତ ଥିଲେ।
ସଂପ୍ରତି ବଲିଉଡର ବହୁ ତାରାକା ଏବଂ ସେମାନଙ୍କ ପରିବାରବର୍ଗ ଗଂଜେଇ ରଖିବା ଏବଂ ନିଶା ସେବନ କରିବା ମାମଲାରେ ନାର୍କଟିକ୍ସ ବ୍ୟୁରୋ ଦ୍ବାରା ଧରାପଡ଼ିବା ଏବଂ ଠିକ ସେହି ସମୟରେ କଳାଗୁଡ଼ାରେ ଏଟିଏସ୍ ପକ୍ଷରୁ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଧରିବା ଏବଂ ଅନ୍ୟ ଅଭିଯୁକ୍ତ ମାନଙ୍କ ପାଇଁ ଖୋଜୁଥିବାରୁ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-sdpo-jeypore-pressmeet-1.jpg)