ବିଜେଡି ଛାଡ଼ିଲେ କୋରାପୁଟ ଉପସଭାପତି

କୋରାପୁଟ : ବିଜେଡି କୋରାପୁଟ ଜିଲ୍ଲା ଉପସଭାପତି ତ୍ରିପୁରାରି ଗରଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ତେବେ ସେ ଖୁବ୍‌ଶୀଘ୍ର ବିଜେପିରେ ଯୋଗ ଦେଉଥିବା ଜଣାପଡ଼ିଛି।

ଦୀର୍ଘ ଦିନ ଧରି ତ୍ରିପୁରାରି ଗରଡା ବିଜେଡି ଉପସଭାପତି ଭାବେ କାମ କରି ଆସୁଥିଲେ। ସାଂଗଠନିକ ଦାୟିତ୍ବରେ ସେ ରହିଥିଲେ ମଧ୍ୟ କୋରାପୁଟ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ। ଗତ ଦୁଇଟି ନିର୍ବାଚନରେ ତାଙ୍କ ନାମ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଥିଲା। ମାତ୍ର, ଶେଷବେଳକୁ ସେ ଟିକେଟ ପାଇବାରୁ ବଂଚିତ ହୋଇଥିଲେ। ଏଥର ମଧ୍ୟ ସେ ଟିକେଟ ଲବିରେ ରହିଥିଲେ। ହେଲେ ଟିକେଟ ମିଳିବା ସମ୍ଭାବନା ନ ଥିବାରୁ ସେ ଦଳ ଛାଡ଼ିଥିବା କୁହାଯାଉଛି।

ତ୍ରିପୁରାରି ବିଜେପିରେ ଯୋଗ ଦେଉଛନ୍ତି ଏବଂ ଆସନ୍ତାକାଲି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯିବା ସହିତ ରାଜ୍ୟ ସଭାପତିଙ୍କୁ ଅବଗତ କରାଯାଇଥିବା ଦଳର ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର