୧୪ ଦିନରେ କାହିଁକି ବଦଳିଲେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ?

କୋରାପୁଟ: କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବିକଳ ହେଉଛି ସ୍ବାସ୍ଥ୍ୟ ବିଭାଗ। ସ୍ଥାୟୀ ପଦବୀରେ ଅସ୍ଥାୟୀ କର୍ମଚାରୀ ରହିଥିବାରୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହୋଇଛି। ତେବେ ମାତ୍ର ୧୪ ଦିନରେ କୋରାପୁଟର ସିଡିଏମଓ ଭାବେ ଦାୟିତ୍ବ ତୁଲାଇ କଳାହାଣ୍ଡିକୁ ବଦଳି ହୋଇଛନ୍ତି ଡ.ଗିରିଶ ଚନ୍ଦ୍ର ରାଉତ। ସେ ଗତ ମାସ ୧୯ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଯୋଗ ଦେଇଥିବାବେଳେ ଆଜି ତାଙ୍କର ବଦଳି କଳାହାଣ୍ଡିକୁ ମୁଖ୍ୟ ଚିକିତ୍ସାଳୟକୁ ହୋଇଛି। ଜାନୁଆରୀ ୯ ତାରିଖରେ ତାଙ୍କର ବଦଳି କୋରାପୁଟକୁ ହୋଇଥିବାବେଳେ କେନ୍ଦୁଝରରେ ସେ ଦାୟିତ୍ବ ହସ୍ତାନ୍ତର କରି କୋରାପୁଟରେ ୧୯ ତାରିଖରେ ଯୋଗ ଦେଇଥିଲେ।

ଆଜି ସ୍ବାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗ ୨୫୩୭/ଏଚ,ପିଟି-୧-ଏଚଏଫଡବ୍ଲୁ-ଏମଏସଆଇଆଇ-ଏଇଏସଟିଟି-୦୦୦୪-୨୦୨୩ ତା ୩-୨-୨୩ରେ ତାଙ୍କ ବଦଳି କଳାହାଣ୍ଡିକୁ ହୋଇଛି। ସର୍ବସାଧାରଣରେ ତେବେ ତାଙ୍କର ଏହି ବଦଳିକୁ ଅନୈତିକ ନିଯୁକ୍ତି ଓ ରାଜନୈତିକ ଷଡ଼ଯନ୍ତ୍ର ବୋଲି କୁହାଯାଇଛି। ଜିଲ୍ଲାରେ ଜଣେ ବିଧାୟକ ସ୍ବାସ୍ଥ୍ୟ ବିଭାଗରେ ବସି ତାଙ୍କୁ ବଦଳି କରାଇଥିବା କୁହାଯାଉଛି। ତେବେ କୋରାପୁଟ ଜିଲ୍ଲା ଚିକିତ୍ସାଧିକାରୀ କାର୍ଯ୍ୟାଳୟ ୨୦୧୮ ମସିହାରୁ ୨୦୧୩ ଫ୍ରେବୁଆରି ମାସ ମଧ୍ୟରେ ୧୦ ଜଣ ସିଡିଏମଓଙ୍କୁ ଦେଖି ସାରିଲାଣି। ୨୦୧୮ ମାର୍ଚ୍ଚ ୩୧ରୁ ୨୦୧୯ ମାର୍ଚ୍ଚ ୧ ତାରିଖ ଯାଏ ଡ.ଲଲିତ ମୋହନ ରଥ ରହିଥିବାବେଳ‌େ ୨୦୧୯ ମାର୍ଚ୍ଚ ୧ ତାରିଖରୁ ୨୦୧୯ ମାର୍ଚ୍ଚ ୧୧ ତାରିଖ ଯାଏ ଡ.ଅରୁଣ କୁମାର ପାଢୀ ଦାୟିତ୍ବରେ ରହିଥିଲେ। ୨୦୧୯ ମାର୍ଚ୍ଚ ୧୧ରୁ ୨୦୧୦ ଅକ୍ଟୋବର ୩୧ ତାରିଖ ଯାଏ ଡ.ଦଧିବାମନ ତ୍ରିପାଠୀ ସିଡିଏମଓ ଭାବେ ଦାୟିତ୍ବ ତୁଲାଇଥିଲେ।

ସେହିପିରି ୨୦୧୯ ଅକ୍ଟୋବର ୩୧ ତାରିଖରୁ ଡ.ଦେବୀଦତ୍ତ ଆଚାର୍ଯ୍ୟ ୨୦୧୯ ନଭେମ୍ବର ୬ ତାରିଖ ଯାଏ ରହିଥିଲେ। ୨୦୧୯ ନଭେମ୍ବର ୬ ତାରିଖରୁ ଡ.କାଳି ପ୍ରସାଦ ବେହେରା ୨୦୧୯ ନଭେମ୍ବର ୨୯ ତାରିଖ ଯାଏ ସିଡିଏମଓ ଭାବେ ରହିଥିବାବେଳେ ୨୦୧୯ ନଭେମ୍ବର ୨୯ ତାରିଖରୁ ମକରନ୍ଦ ବେଉରା ୨୦୨୧ ମସିହା ଡିସେମ୍ବର ୨୩ ତାରିଖ ଯାଏ ଦାୟିତ୍ବରେ ରହିଥିଲେ। ୨୦୨୧ ମସିହା ଡିସେମ୍ବର ୨୩ ତାରିଖରୁ ଡକ୍ଟର ଅରୁଣ ପାଢୀ ୨୦୨୨ ଜାନୁଆରୀ ୫ ତାରିଖ ଯାଏ ଭାରପ୍ରାପ୍ତ ସିଡିଏମଓ ଭାବେ ଦାୟିତ୍ବ ତୁଲାଇଥିଲାବେଳେ ୨୦୨୨ ଜାନୁଆରି ୬ ତାରିଖରେ ଡ.ଭୀମ ସାହୁ ଯୋଗ ଦେଇଥିଲାବେଳେ ତାଙ୍କର ବଦଳି ଅନ୍ୟ ଜିଲ୍ଲାକୁ ହୋଇଥିଲା। ଏହାପରେ ୨୦୨୨ ମାର୍ଚ୍ଚ ୭ ତାରିଖରୁ ଡ. ଅରୁଣ କୁମାର ପାଢୀ ଭାରପ୍ରାପ୍ତ ସିଡିଏମଓ ଭାବେ ଦାୟିତ୍ବ ତୁଲାଉଥିଲାବେଳେ ସରକାର ଡ ଗିରିିଶଙ୍କୁ ଏହିଠାରେ ସ୍ଥାୟୀ ନିଯୁକ୍ତି ଦେଇଥିଲେ। ହେଲେ ରାଜନୀତିର ଶିକାର ହୋଇ ତାଙ୍କୁ ବିଭାଗ ଅନ୍ୟତ୍ର ବଦଳି କରିଥିବା ଜଣାପଡ଼ିଛି।

ତେବେ ଏହି ୫ ବର୍ଷ ମଧ୍ୟରେ ଡ.ଅରୁଣ ପାଢୀ ତିନିଟି ଅବଧିରେ ଭାରପ୍ରାପ୍ତ ସିଡିଏମଓ ଭାବେ ଦାୟିତ୍ବ ତୁଲାଉଥିବାବେଳେ ଏବେ ପୁଣି ସେହି ପଦବୀରେ ରହିବେ ବୋଲି ଜଣାପଡିଛି। କାହିଁକି ଓ କେଉଁ ପରିସ୍ଥିତିରେ କୋରାପୁଟ ପରି ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜିଲ୍ଲାରେ ବାରମ୍ବାର ସିଡିଏମଓ ପରି ସ୍ଥାୟୀ ପଦବୀରେ କାମଚଳା ସିଡିଏମଓଙ୍କୁ ଦାୟିତ୍ବ ଦେଉଛନ୍ତି ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର