କୋରାପୁଟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କୋରାପୁଟ: ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ମହାମାରୀ ଜିଲ୍ଲା ସାରା ମାଡି ଚାଲିଥିଲାବେଳେ ଆଜି ପୁଣି ୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ ରେ ପହଞ୍ଚିଛି। ଉଦବେଗର ବିଷୟ, କୋରାପୁଟ ସହରରୁ ସବୁଠାରୁ ଅଧିକ ସଂକ୍ରମିତ ବାହାରୁଛନ୍ତି। ଏହା ଜିଲ୍ଲା ସଦର ମହକୁମା ହୋଇଥିବାରୁ ଏଠାରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହୁଛି। ଏପଟେ ପୁଲିସ ଓ ସ୍ବାସ୍ଥ୍ୟ କର୍ମୀମାନେ କରୋନା ଆକ୍ରାନ୍ତ ହେବା ପରେ ସମସ୍ୟା ବଢୁଛି।

ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ଭାଗରୁ ୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ଚିନ୍ତାର ବିଷୟ, ଏଥିରୁ ୨୨ ସ୍ଥାନୀୟ ସଂକ୍ରମିତ। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲାବେଳେ ବାକି ୪ ଜଣ ଗୃହ ସଙ୍ଗରୋଧରେ ରହିଥିଲେ। ଏଥିରେ କୋରାପୁଟ ପୌରାଞ୍ଚଳରୁ ସର୍ବାଧିକ ୯ ଜଣ ରହିଥିଲାବେଳେ ଜୟପୁର ପୌରାଞ୍ଚଳରୁ ୭ ଜଣ ଅଛନ୍ତି। ଲକ୍ଷ୍ମୀପୁର ବ୍ଲକରୁ ୬ ଜଣ, କୋରାପୁଟ ବ୍ଲକରୁ ୨ ଜଣ, ନାରାୟଣପାଟଣା ବ୍ଲକରୁ ୪ ଜଣ, ଲମତାପୁଟ ବ୍ଲକରୁ ଜଣେ ଓ ସୁନାବେଡା ପୌରାଞ୍ଚଳରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ୪ ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିଲାବେଳେ ୨ ଜଣ ଭୁବନେଶ୍ବରରୁ ଫେରିଥିଲେ। ମହାରାଷ୍ଟ୍ର ଓ ବାଙ୍ଗାଲୋରରୁ ଜଣେ ଲେଖାଏଁ କୋରାପୁଟକୁ ଫେରିଛନ୍ତି। ଏମାନେ ସଙ୍ଗରୋଧରେ ରହୁଥିଲେ। ଅନ୍ୟ ୨୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂପର୍କରେ ଆସିଥିଲେ। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୧୮ ଜଣ କଣ୍ଟେନମେଣ୍ଟ ଜୋନ ଅଂଚଳର। ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ସ୍ବାସ୍ଥ୍ୟ କର୍ମୀ ଅଛନ୍ତି।

ଜିଲ୍ଲା ସାରା କରୋନା ମାଡି ଚାଲିଥିଲାବେଳେ କୋରାପୁଟ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପି ଗଲାଣି। ଆଜି କୋରାପୁଟ ପୌରାଞ୍ଚଳରୁ ପୁଣି ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୫ ଜଣ ଡିଏନକେ କଲୋନୀ ଅଂଚଳର। ଓଏମପି କଲୋନୀରୁ ୨ ଜଣ, ରେଳବାଇ କଲୋନୀରୁ ଜଣେ ଓ ଏସଏଲଏନ ମେଡିକାଲ କଲେଜରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି। କୋରାପୁଟ ବ୍ଲକରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣଙ୍କ ଘର ମାଥାଲପୁଟ ହୋଇଥିଲାବେଳେ ଅନ୍ୟ ଜଣଙ୍କ ଘର ଡୁମୁରୀପୁଟରେ। ଜୟପୁର ପୌରାଞ୍ଚଳରୁ ୭ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୨ ଜଣ ଭୁପତି ସାହିର ହୋଇଥିଲାବେଳେ ୨ ଜଣ ଇରିଗେସନ କଲୋନୀ ଅଂଚଳର। ଜୟନଗର, ପିଆର ପେଟା ପ୍ରଥମ ଲାଇନ ଓ ନୀଳାଦ୍ରି ବିହାର ଅଂଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି। ସୁନାବେଡା ପୌରାଞ୍ଚଳର ଓସିସି ନଗରରୁ ଜଣେ ସଂକ୍ରମିତ ହୋଇଛନ୍ତି। ଲକ୍ଷ୍ମୀପୁର ବ୍ଲକରୁ ୬ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀପୁରରୁ ୪ ଜଣ ଓ କାକିରିଗୁମ୍ମା ଅଂଚଳରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଲମତାପୁଟ ବ୍ଳକ ପଇବେଡା ଗାଁରୁ ଜଣେ କରୋନା ଆକ୍ରାନ୍ତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନାରାୟଣପାଟଣା ବ୍ଳକ ବାଳକ ହଷ୍ଟେଲରେ ହୋଇଥିବା ଟିଏମସିରୁ ୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣ ପୁରୁଷ ଥିଲାବେଳେ ୯ ଜଣ ମହିଳା ଅଛନ୍ତି।

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ କରାଯାଇଛି। ଅଧିକାଂଶ ସଂକ୍ରମିତ କଣ୍ଟେନମେଣ୍ଟ ଜୋନରୁ ଆସିଥିବାରୁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ଏପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଲକ୍ଷଣ ଥିବା ଲୋକମାନଙ୍କର ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଏହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏହି ସବୁ ଅଂଚଳ କଣ୍ଟେନମେଣ୍ଟରେ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, କୋଭିଡ ଲକ୍ଷଣ କାହା ପାଖରେ ଥିଲେ ସେମାନେ ନ ଲୁଚାଇ ପ୍ରଶାସନକୁ ଜଣାନ୍ତୁ। ଏହା କରୋନା ନିୟନ୍ତ୍ରଣରେ ସହାୟକ ହୋଇ ପାରିବ। ଏପଟେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ୩୦ ଜଣ ନୂତନ ସଂକ୍ରମିତଙ୍କୁ ମିଶାଇ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୯୧ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଜିଲ୍ଲାରୁ ୧୩,୩୬୧ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏଥିରୁ ୧୨,୮୬୦ ଜଣଙ୍କର ରିପୋର୍ଟ ଆସିଛି। ୪୪୧ ଜଣଙ୍କର ରିପୋର୍ଟ ପଜିଟିଭ ରହିଥିଲାବେଳେ ବାକି ସବୁ ରିପୋର୍ଟ ନେଗେଟିଭ ରହିଛି।

ସମ୍ବନ୍ଧିତ ଖବର