ରାଜ୍ୟରେ ମେଡ଼ିକାଲ କଲେଜର ସ୍ଥିତି ଏହିଭଳି : ଡାକ୍ତର ନାହାନ୍ତି କି ଭିତ୍ତିଭୂମି ନାହିଁ!

୨ବର୍ଷ ନପୂରୁଣୁ କୋରାପୁଟରେ ଝୁଣ୍ଟୁଛି

କୋରାପୁଟ : ଅଲଟ୍ରା ସାଉଣ୍ଡ ମେସିନ ଖରାପ, ଏକ୍ସ-ରେ ସୁବିଧା ନାହିଁ। ବିଜୁଳି ଚାଲିଗଲେ ସିଟି-ସ୍କାନ ସେବା ଅଚଳ। ଏଣ୍ଡୋସ୍କୋପି ସୁବିଧା ସାତସପନ। ଏମିତି ଅବ୍ୟବସ୍ଥାରେ ଚାଲିଛି ଶହୀଦ ଲକ୍ଷ୍ମଣ ନାୟକ ‌ମେଡିକାଲ କଲେଜ ଓ ଡାକ୍ତରଖାନା। କେବଳ ଏତିକି ନୁହେଁ, ଆବଶ୍ୟକ ଶିକ୍ଷକଙ୍କ ତୁଳନାରେ ୧୬ ପ୍ରତିଶତ କମ୍‌ଶିକ୍ଷକ ରହିଥିଲାବେଳେ ପାରା ଶିକ୍ଷକ ମଧ୍ୟ ଅଭାବ। ପୁଣି ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ସରଞ୍ଜାମ ନ ଥିବାରୁ କଲେଜରେ ଉତ୍ତମ ଶିକ୍ଷାଦାନ ଓ ଚିକିତ୍ସା ନେଇ ଉଠିଛି ପ୍ରଶ୍ନ।

ଗତବର୍ଷ ସେପ୍ଟେମ୍ବର ମାସରେ କୋରାପୁଟରେ ଲୋକାର୍ପିତ ହୋଇଥିଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ। କୋରାପୁଟ ପରି ପଛୁଆ ଅଂଚଳରେ ଉନ୍ନତ ସ୍ବାସ୍ଥ୍ୟସେବା ଓ ମେଡିକାଲ ଶିକ୍ଷାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଏହି ମେଡିକାଲ କଲେଜ ଦୁଇ ବର୍ଷ ନ ପୂରୁଣୁ ବାରମ୍ବାର ଝୁଣ୍ଟିବାରେ ଲାଗିଛି। ବିଶେଷକରି ଉଭୟ ଶିକ୍ଷା ଓ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବ‌ା ବହୁବାର ଅଭିଯୋଗ ଆସୁଛି।

ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ନାମଲେଖା ପରେ ଏବେ ଦୁଇଶହ ଛାତ୍ରଛାତ୍ରୀ ପଢୁଛନ୍ତି। ପୁଣି ମେଡିକ‌ାଲରେ ୩ ଶହରୁ ଅଧିକ ଶଯ୍ୟା ରହିଛି। କିନ୍ତୁ ଆବଶ୍ୟକ ଡାକ୍ତର ନାହାନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଲେଜ ଓ ହସ୍‌ପିଟାଲରେ ଏବେ ୧୫୩ ଡାକ୍ତରଙ୍କ ସ୍ଥାନରେ ୧୩୦ ଡାକ୍ତର ଅଛନ୍ତି। ୨୦ଜଣ ପ୍ରଫେସରଙ୍କ ସ୍ଥାନରେ ୧୬ ଜଣ, ୨୨ ଜଣ ଆସୋସିଏଟ ପ୍ରଫେସରଙ୍କ ସ୍ଥାନରେ ୧୭ ଜଣ ଥିବାରୁ ପାଠପଢା ଉପରେ ପ୍ରଭାବ ପଡୁଛି। ଏମାନେ ଉଭୟ ଶିକ୍ଷାଦାନ ଓ ଚିକିତ୍ସା କରୁଛନ୍ତି। ସେହିପରି ପାରା ମେଡିକାଲ କର୍ମଚାରୀ କ୍ଷେତ୍ରରେ ମଧ୍ୟ ଅଭାବ। ୧୪୧ ଷ୍ଟାଫ ନର୍ସଙ୍କ ସ୍ଥାନରେ ୮୯ ଜଣ ରହିଥିଲାବେଳେ ନର୍ସିଂ ସୁପରଭାଇଜର ମାତ୍ର ଜଣେ ଅଛନ୍ତି। ମେଡିକାଲ କଲେଜ ପାଇଁ ଆଟେଣ୍ଡାଣ୍ଟ ଓ ସୁଇପର୍‌ ନିଯୁକ୍ତି ହୋଇ ନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଏଠାରେ କାମ କରୁଛନ୍ତି।

କିନ୍ତୁ ଗତ ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର ହେବା ପରେ ଏଠାରେ ସାଂଘାତିକ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ଏଥିପ୍ରତି ଏବେଠାରୁ ଧ୍ୟାନ ନ ଦେଲେ ଉଭୟ ପାଠପଢା ଓ ସ୍ବାସ୍ଥ୍ୟସେବା ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିନେଇ‌ମେଡିକାଲ କଲେଜର ଡିନ ତଥା ଅଧ୍ୟକ୍ଷ ପ୍ରଫେସର ଡଃ କେ.ସି. ବିଶ୍ବାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଧାର୍ଯ୍ୟ ଡାକ୍ତରଙ୍କ ତୁଳନାରେ କମ୍‌ଡାକ୍ତର ରହିଛନ୍ତି। ତେବେ ଏଥିରେ ପାଠପଢା ବିଶେଷ ପ୍ରଭାବିତ ହେଉନି। ଏପଟେ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର