କୋଟପାଡ: କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଓ ଏନଏସି ଅଞ୍ଚଳର ଚାଷୀ ବର୍ତମାନ ଚିନ୍ତାରେ ପଡିଛନ୍ତି। ଚଳିତ ମାସରେ ବର୍ଷା ଅଭାବ ଯୋଗୁଁ ବ୍ଲକର ୧୭ଟି ପଞ୍ଚାୟତ ସମେତ ଏନଏସିର ଦମୟନ୍ତୀ ନଗର ଚାରିପଟେ ଥିବା ଧାନ ଜମି ଗୁଡିକ ଫାଟି ଆଁ କଲାଣି। ଧାନ ଗଛ ଗୁଡିକ ଶୁଖି ଯାଉଥିବାରୁ ଫସଲ ହାନୀ ହେବା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖି ଚାଷୀ ଚିନ୍ତାରେ ଥିବା ବେଳେ ତୁରନ୍ତ ସରକାର ଏଥିରେ ହସ୍ତକ୍ଷେପ କରି ସଂପୃକ୍ତ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ଗୁଡିକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରିବାକୁ ଚାଷୀ ମହଲରେ ଦୃଢ ଦାବି ହୋଇଛି। ବର୍ଷା ଅଭାବରୁ କୋଟପାଡ ବ୍ଲକର ଗିର୍ଲା, ବତାସନା, ସର୍ଗିଗୁଡା, ଚିତ୍ରା, କୁସୁମୀ, ଏସ.ବି ନୂଆଗାଁ, ଘୁମର, ବୋବେୟା, ଢାମଣାହାଣ୍ଡି, ଭନସୁଲି, ଛତର୍ଲା, ମୂର୍ତାହାଣ୍ଡି, ଗୁଆଳି, ଚାନ୍ଦିଲି, ସୁତିପଦର, ଗୁମୁଡା, ଷଢରଙ୍ଗା ପଞ୍ଚାୟତ ଓ ଦମୟନ୍ତୀ ନଗରରେ ଥିବା ଅଧିକାଂଶ ଜମିରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।
କିଛି ଜମିରେ ରୋଗପୋକ ଲାଗି ମଧ୍ୟ ଧାନ ଫସଲ ନଷ୍ଟ ହେବାକୁ ବସିଲାଣି। କୋଟପାଡ ଅଞ୍ଚଳର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ପରିବାର ଚଳାଉଛନ୍ତି। କିନ୍ତୁ ବର୍ଷା ଅଭାବ ଓ ରୋଗପୋକ ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କା ରହିଥିବାରୁ ବ୍ୟାଙ୍କ, ଲ୍ୟାମ୍ପସ ଭଳି ବିଭିନ୍ନ ସ୍ଥାନରୁ ଋଣ ନେଇ ଚାଷ କରିଥିବା ଚାଷୀ ଋଣ ପରିଶୋଧ ଓ ପରିବାର ଚଳାଇବା ନେଇ ଚିନ୍ତାରେ ପଡିଛନ୍ତି। ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସଂପର୍କରେ ଚାଷୀ ମାନେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିବା ବେଳେ ରାଜସ୍ବ ଓ କୃଷି ବିଭାଗ ଚାଷୀଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ସହଯୋଗ କରୁନଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏଦିଗରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଏହି ସମସ୍ତ ଅଞ୍ଚଳକୁ ମରୁଡି ଘୋଷଣା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ଚାଷୀ ମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/jpr26.jpg)