କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା:ଡିଆଇଜି, ଏସ୍‌ପିଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା

ଜୟପୁର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ଆଇନର ଜାଲରେ ଛନ୍ଦି ହୋଇଛନ୍ତି ଡିଆଇଜି ଏବଂ ଏସପିଙ୍କ ସମେତ ୧୧ଜଣ ଅଧିକାରୀ। ଆଜି ଜୟପୁରସ୍ଥିତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଇକୋର୍ଟ ଆଇନଜୀବୀ ହଳଧର ସେଠୀଙ୍କ ଦ୍ୱାରା ପୀଡିିତାଙ୍କ ଭାଇଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ, ଡିଏସପି ନିରଞ୍ଜନ ବେହେରା, କୋରାପୁଟ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଆଇଆଇସି ମମତା ପାଣିଗ୍ରାହୀ, ପଟାଙ୍ଗୀ ଥାନା ଆଇଆଇସି ଦେବ କୁମାର ଗମାଙ୍ଗୋ, ଜିଲ୍ଲା ମଙ୍ଗଳ ଅଧିକାରୀ, ପଟାଙ୍ଗୀ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପୀଡିତାଙ୍କୁ ଚିକିତ୍ସା କରିଥିବା ଡାକ୍ତର, ରାଜ୍ୟ ଫରେନ୍‌ସିକ ଲାବ୍ରୋଟରୀ ସହକାରୀ ନିର୍ଦ୍ଦେଶକ ଓ ସହକାରୀ ରସାୟନିକ ପରୀକ୍ଷକ(ବାଓଲୋଜିକାଲ ଡିଭିଜନ), ସେରୋଲୋଜି ବିଭାଗର ୨ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଅଧିକାରୀମାନଙ୍କ ଅବହେଳା ତଥା ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁଁ ପୀଡ଼ିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଅଭିଯୋଗ କରାଯାଇଛି।

ଆଇନଜୀବୀ ହଳଧର ସେଠୀ କହିଛନ୍ତି କାର୍ଯ୍ୟରେ ଅବହେଳା କରିଥିବା ଏହି ବରିଷ୍ଠ ଅଧିକାରୀଙ୍କ ନାମରେ ଆଜି ପୀଡିତାଙ୍କ ପରିବାର ପକ୍ଷରୁ ଜିଲ୍ଲା ଓ ସେସନ ଜଜ୍‌ ତଥା ସ୍ୱତନ୍ତ୍ର ଅଦାଲତରେ ମାମଲା ରଜୁ କରାଯାଇଛି। ପୀଡ଼ିତା ଅନୁସୂଚିତ ଜାତିର ହୋଇଥିବାରୁ ଜଣେ ଡିଏସପି ସ୍ତରର ଅଧିକାରୀ ତଦନ୍ତ କରିବା କଥା। କିନ୍ତୁ ପୁଲିସ ଜଣେ ଆଇଆଇସିକୁ ମାମଲା ଦେଇ ମସ୍ତବଡ଼ ଭୁଲ କରିଛି। କୁନ୍ଦୁଲି ପୀଡ଼ିତାଙ୍କ ଘଟଣାରେ ପୁଲିସ ଯେଭଳି ଗୁରୁତ୍ୱ ଦେବା କଥା ସେଭଳି ଗୁରୁତ୍ୱ ନଦେଇ ଖାମଖିଆଲି ଭାବେ ମାମଲାକୁ ତଦନ୍ତ କରିଥିଲା। ଅନୁସୂଚିତ ଜାତି ଜନଜାତିର ସଦସ୍ୟଙ୍କୁ ଆକ୍ରମଣ କିମ୍ବା ଯୌନ ନିର୍ଯାତନା ହୋଇଥାଲ ତାହାହେଲେ ପୁଲିସ ସୁରକ୍ଷା ସହ ଚିକିତ୍ସାର ବ୍ୟବସ୍ଥା କରାଯିବାକୁ ନିୟମ ଥିଲେ ମଧ୍ୟ କିଛି କରାଯାଇନାହିଁ। ପୀଡିତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ୨ ଧରି ନିଜ ଖର୍ଚ୍ଚରେ ଚିକିତ୍ସା କରିବା ପରେ ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥା କରାଇଥିଲେ ବୋଲି ଅଭିଯୋଗ ହୋଇଛି।

ଏଥିସହ ଲୋକ ଦେଖାଣିଆ ଭାବେ ଯେଉଁ ଚିକିତ୍ସା କରାଯାଇଛି ସେଥିରେ ବ୍ୟାପକ ତୁଟି ରହିଛି ବୋଲି ଆଇନଜୀବୀ ଶ୍ରୀ ସେଠୀ କହିଛନ୍ତି। ଏଥିସହ ରସୁଲଗଡରେ ଥିବା ରାଜ୍ୟ ଫରେନ୍ସିକ୍‌ ଲାବ୍ରୋଟରି କର୍ତ୍ତୃପକ୍ଷ ମଧ୍ୟ ଦୁଷ୍କର୍ମକୁ ଲୁଚାଇବାକୁ ପ୍ରୟାସ କରିଥିବା ସ୍ପଷ୍ଟ ହୋଇଛି। ଫଳରେ ପୀଡିତା ଜଣକ ନ୍ୟାୟ ନ ପାଇ ଆତ୍ମହତ୍ୟାର ବାଟ ବାଛି ନେଲା। ପରିବାରବର୍ଗ ଓ ପୀଡିତାଙ୍କୁ ନ୍ୟାୟ ପାଇଁ କୋର୍ଟରେ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ୧୨୦(ବି), ୧୮୮, ୧୬୬,୧୬୭, ୨୦୧, ୩୦୬ ଆଇପିସି, ତାହାସହ ୪(୧), ୨(ଏ), (ବି), (ସି), (ଡି), (ଇ), (ଏଫ), (ଜି), ୩, (୨)-(vii)ର ଅନୂସଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଅଧିନୟମ ଆଇନ ପ୍ରକାରେ ମାମଲା ରୁଜୁ କରାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି। ଜିଲ୍ଲା ଜଜ୍‌ କୋର୍ଟ ମାମଲାକୁ ଗ୍ରହଣ କରିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ପୀଡିତାଙ୍କ ଭାଇ କହିଛନ୍ତି ଯେ ସ୍ଥାନୀୟ ପୁଲିସ ଠାରୁ ଆରମ୍ଭ କରି ରାଜ୍ୟ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର ଯାଏ ସମସ୍ତେ ଆମ ପ୍ରତି ଅନ୍ୟାୟ କରିଛନ୍ତି। ନ୍ୟାୟ ପାଇଁ ଲଢ଼ି ମୋ ଭଉଣୀ ମରିଗଲା ବୋଲି ସେ କହିଛନ୍ତି। ତେଣୁ କାର୍ଯ୍ୟରେ ଖିଲାପ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କୋର୍ଟରେ ଦ୍ୱାରାସ୍ଥ ହୋଇଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର