କୋରାପୁଟ: ଗତ ବର୍ଷକ ହେବ ଜୟପୁର ସରକାରୀ ବସଷ୍ଟାଣ୍ଡ ପରିସର ଓ ଗତ ତିନି ମାସ ହେବ ସେମିଳିଗୁଡା ନବନିର୍ମିତ ଆମ ବସଷ୍ଟାଣ୍ଡ ପରିସରରେ ୧୮ଟି ଶୀତତାପ ନିୟନ୍ତ୍ରିତ ଓ ୨ଟି ସାଧାରଣ ଏଭଳି ୨୦ ଲକ୍ଷ୍ମୀ ବସ୍ ଖତ ଖାଇଲାଣି। ଏଥିରୁ କିଛି ଶୀତତାପ ନିୟନ୍ତ୍ରିତ ବସ ପାଇଁ ପରମିଟ୍ ଆବେଦନ କରାଯାଇଥିଲା। ତେବେ ବସ ଗୁଡିକ ଚାଳିବା ପାଇଁ ମିଳିନି ପରମିଟ କି ରାଜ୍ୟ ସରକାର ବି ଦେଇ ନାହାନ୍ତି ସବୁଜ ସଙ୍କେତ। ଫଳରେ କୋଟି କୋଟି ଟଙ୍କାର ଏହି ବସଗୁଡିକ ଖତ ଖାଇବା ଅବସ୍ଥାକୁ ପଳାଇ ଆସିଛି।
ଏହାରି ମଧ୍ୟରେ ଏବେ ନୂଆ ସରକାର ଗଠନ ହୋଇ ୬ମାସ ବିତିଲାଣି। ଲକ୍ଷ୍ମୀ ଯୋଜନାକୁ ବଳବତ୍ତର ରଖି ଏହାର ନାଁକୁ ମୁଖ୍ୟମନ୍ତ୍ରୀ ବସସେବା ନୂଆ ସରକାର କରିଛନ୍ତି। ତେବେ ଏହା ଠିକ ଭାବେ ପରିଚାଳନା ହେଉନଥିବା ଅଭିଯୋଗ ଉଠିଛି। ବର୍ତ୍ତମାନ ଜିଲ୍ଲାରେ ୪୬ଟି ଲକ୍ଷ୍ମୀ ବସ ଚଳାଚଳ କରୁଛି। ପଞ୍ଚାୟତରୁ ବ୍ଳକ ହେଡକ୍ୱାର୍ଟକୁ ୪୬ଟି ବସ ଚଳାଚଳ କରୁଛି। ବନ୍ଧୁଗାଁ ଓ କୋଟପାଡରୁ ଜିଲ୍ଲାମୁଖ୍ୟାଳୟକୁ ଗୋଟିଏ ଲେଖାଏଁ ବସ ଚଳାଚଳ କରୁଛି। ଗ୍ରାମାଞ୍ଚଳ ଲୋକେ କିପରି ସୁଲଭ ମୂଲ୍ୟରେ ବ୍ଳକ ହେଡକ୍ୱାର୍ଟରକୁ ଯିବା ଆସିବା କରିପାରିବେ, ସେଥି ଲାଗି ବିଜେଡି ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ। ମହିଳା ଓ ଛାତ୍ରଛାତ୍ରୀ ରିହାତି ଦରରେ ଯିବାଆସିବା କରୁଥିଲେ। ଓଏସ୍ଆରଟିସି ଥିବାବେଳେ ଏକ ବେସରକାରୀ ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଏକ ବଡଧରଣର ଦୁର୍ନୀତି ହୋଇଥିବା କୁହାଯାଇଥିଲା। ଏବେ ବିଜେପି ଶାସନ ଭାର ହାତକୁ ନେବାପରେ ଲକ୍ଷ୍ମୀ ବସ୍ ଯୋଜନାର ପରିଚାଳନା ଭାର ଓଏସଆରଟିସିକୁ ଦିଆଯାଇଛି।
ଏହି ବସ୍ର ସୁପରିଚାଳନା ନେଇ ରାଜ୍ୟ ସରକାର ଜିଲାସ୍ତରରେ ୩ଟି କମିଟି ରଖିଛନ୍ତି । ଜିଲାସ୍ତରରେ ଜିଲ୍ଲାପାଳ, ଉପଖଣ୍ଡସ୍ତରରେ ଉପଜିଲାପାଳ ଏବଂ ବ୍ଲକସ୍ତରରେ ବିଡିଓଙ୍କ ତତ୍ତ୍ଵାବଧାନରେ ରହିଛି ଏହି କମିଟି। ଏହି କମିଟି ଓଏସ୍ଆରଟିସି ଦ୍ବାରା ନିଯୁକ୍ତ ସୁପରଭାଇଜର୍ ବା ‘ଲକ୍ଷ୍ମୀ' ବସ୍ ଯୋଜନା ମ୍ୟାନେଜର୍ ସବୁ ନିଷ୍ପରି ନେବାକୁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ବିଭାଗ ଅଧୀନରେ ଚାଲିଥିବା ଏହି ଯୋଜନାର ବସ୍ ଗୁଡ଼ିକ କେଉଁ ରୁଟ୍ରେ ଚାଲିବ ତାହା ସମ୍ପୃକ୍ତ କମିଟି ସ୍ଥିର କରିବ। କିନ୍ତୁ କୋରାପୁଟ ଜିଲାରେ କେଉଁ ଉଦ୍ଦେଶ୍ୟରେ ଏହା ପଡ଼ି ରହିଛି ତାହା ଜଣାପଡ଼ିନି। ଜିଲ୍ଲାରେ ୧୧ଟି ରୁଟରେ ଏସି ବସ ଚାଳିବା ପାଇଁ ପରମିଟ୍ ଆବେଦନ କରାଯାଇଛି। ତେବେ ପରମିଟ୍ ଆସିବା ପୂର୍ବରୁ ରାଜ୍ୟସରକାର ବି ବସ ଚଳାଇବା ପାଇଁ ସବୁଜ ସଂକେତ କିଛି ଦେଇ ନାହାନ୍ତି ବୋଲି କହିଛନ୍ତି ମ୍ୟାନେଜର ଈଶ୍ୱର ମହାପାତ୍ର। ଏଥି ପୂର୍ବରୁ ଜୟପୁରରେ ୨ଟି ଭଲେବା ବସ ଏଭଳି ୨ବର୍ଷରୁ ଉର୍ଦ୍ଧ୍ବ ସମୟ ସେଭଳି ସରକାରୀ ବସଷ୍ଟାଣ୍ଡରେ ପଡ଼ି ରହିଥିଲା। ସେହିପରି ୨୦ଟି ସିଟି ବସ ଖତ ଖାଇବା ପରେ ସ୍କାର୍ପରେ ବିକ୍ରି କରାଯାଇଛି। ଏହି ସ୍ଥିତିରେ ଏହି ଏସି ବସ ଗୁଡିକର ଆଗାମୀ ଦିନର ଭବିଷ୍ୟତକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି।