ବସ୍‌ ଚକା ତଳେ ଗଲା ଜୀବନ

ଜୟପୁର: ଜୟପୁର ସଦର ଥାନା ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ନିକଟରେ ଓଏସ୍‌ଆରଟିସି ବସ୍‌ ଚକା ତଳେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାପରେ କିଛି ସମୟ ଧରି ଜୟପୁର-ମାଲକାନଗିରି ରାସ୍ତା ବନ୍ଦ ହୋଇଯାଇଥିଲା। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ମୃତକ ଜଣକ ହେଲେ ଜୟପୁର ସହର ମାଦଳା ସାହିର ଶଙ୍କର ଜେନା (୩୭)। ସକାଳ ସାଢ଼େ ୮ଟାରେ ଶଙ୍କର ଜୟପୁରରୁ କୋଟା ଯାଉଥିବା ବେଳେ ବସ୍‌ ଚକା ତଳେ ଚାପି ହୋଇ ମୃତ୍ୟୁ ଘଟିଛି। ଶଙ୍କରଙ୍କ ପରିବାରଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଏଥିସହ ବସ୍‌ ଡ୍ରାଇଭରକୁ ଅଟକ ରଖାଯାଇଥିବା ତଦନ୍ତ ଅଧିକରୀ ଏସ୍‌ଆଇ ମୁକୁନ୍ଦ ଦେବ ନାୟକ କହିଛନ୍ତି।
ପୁଲିସ କହିବାନୁଯାୟୀ, ଆଜି ସକାଳୁ ଜୟପୁରରୁ ମୋଟୁ ଯାଉଥିବା ଓଏସ୍‌ଆରଟିସ୍‌ ବସ୍‌ (ଓଡି ୦୨ ଏଚ୍‌ ୨୧୭୦)ରେ ଶଙ୍କର କୋଟା ଯିବା ପାଇଁ ଚଢ଼ିଥିଲେ। ପାତ୍ରପୁଟ ପରେ ଗୋଟିଏ ମଇଁଷି ବସ୍‌ ସମ୍ମୁଖକୁ ଆସିଯାଇଥିଲେ। ଶଙ୍କର ମଇଁଷିକୁ ଘଉଡାଇଥିଲେ। ଏହାପରେ ବସ୍‌ ଛାଡିବା ସମୟରେ ଶଙ୍କର ଦୌଡି ଦୌଡି ଯାଇ ବସ୍‌ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚଳନ୍ତା ବସ୍‌ରୁ ଖସି ପଡି ପଛ ଚକା ତଳେ ପଡିଯାଇଥିଲେ। ଫଳରେ ଶଙ୍କରଙ୍କ ଜଂଘ ଉପରେ ଦେଇ ବସ୍‌ଚକା ମାଡିଯାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଲୋକଙ୍କ ଭିଡ ଫଳରେ ଜୟପୁର-ମାଲକାନଗିରି ରାସ୍ତା ଅବରୋଧ ହୋଇଯାଇଥିଲା। ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା। ଶଙ୍କରଙ୍କ ଭାଇଙ୍କ ଅଭିଯୋଗକ୍ରମେ ଥାନାରେ ୧୩୦/୧୮ ନମ୍ବରରେ ମାମଲା ରୁଜୁ ହୋଇଛି। ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର