ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ମନମୁଖୀ କାର୍ଯ୍ୟ: ୫ ଓଡ଼ିଆ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ରିଲିଭ

ଚିଠି କରି ଚୁପ ବସିଛି ଜିଲ୍ଲା ପ୍ରଶାସନ: ସିଡିଏମଓଙ୍କ ନିର୍ଦ୍ଦେଶକୁ ଅବମାନନା

ଓଡ଼ିଆଙ୍କ ବିରୋଧରେ ଓଡ଼ିଆ: କର୍ମଚାରୀ
ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ପରିଚାଳନାରେ ଏକ ତରଫା ‌ନିଷ୍ପତ୍ତି ନେଉଛନ୍ତି ଆନ୍ଧ୍ର ସରକାର। ପ୍ରଶାସନର ନିରବତାର ସୁଯୋଗ ନେଇ ଓଡ଼ିଶା କୋଟାରେ ପ୍ରକଳ୍ପ ହସ୍ପିଟାଲରେ କାର୍ଯ୍ୟରତ ୫ କର୍ମଚାରୀଙ୍କୁ ଜୋର ଜବରଦସ୍ତି ରିଲିଭ କରାଇ ଦେଇଛନ୍ତି ଆନ୍ଧ୍ର ପ୍ରଦେଶ ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଏପିଜିଇଏନକୋ) କର୍ତ୍ତୃପକ୍ଷ। ଓଡ଼ିଶା ସରକାରଙ୍କ ବିନା ଅନୁମତିରେ ଏହି କାର୍ଯ୍ୟ ହୋଇଛି। ତେଣୁ ଭବିଷ୍ୟତ ଅନ୍ଧକାର ହୋଇଯାଇଥିବା ନେଇ ଓଡ଼ିଶାର କୋଟାରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ଏମପିଏଚଡବ୍ଲୁ) ବୀଣାପାଣି ଦେଈ, ଆନ୍ଧ୍ର କୋଟରେ ଏମପିଏଚଡବ୍ଲୁ ଭାବେ କାର୍ଯ୍ୟ କରୁଥିବା ଜି.ଭୂଲୋକ ଓ ୱାର୍ଡ ଆଟେଣ୍ଡାଣ୍ଟ ତାରିଣୀ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ୭୦ ଭାଗ ଓ ଓଡ଼ିଶା ସରକାରଙ୍କ ୩୦ ଭାଗ ଅଂଶ ରହିଛି।

ତେଣୁ ଅଧିକାଂଶ ନିଷ୍ପତ୍ତିରେ ଆନ୍ଧ୍ର ସରକାର ଏକ ତରଫା ନିଷ୍ପତ୍ତି ନେଉଛନ୍ତି। ଏପରିକି ଓଡ଼ିଶାର ସ୍ବାର୍ଥକୁ ବି ବଳି ପକାଇବାକୁ ପଛାଉ ନାହାନ୍ତି। ଏହିକ୍ରମରେ ଆନ୍ଧ୍ର ସରକାର ଏବଂ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ଗତକାଲି ଚିଠି କରି ଉପରୋକ୍ତ ୫ଜଣ କର୍ମଚାରୀଙ୍କୁ ଜୋର ଜବରଦସ୍ତି ରିଲିଭ କରିଦେଇଛନ୍ତି। ପ୍ରକଳ୍ପର ଉଭୟ ରାଜ୍ୟର ଭାଗୀଦାରି ରହିଥିବାରୁ ଏଥିପାଇଁ ଓଡ଼ିଶା ସରକାର ଅନୁମତି ନିଆଯିବା କଥା। ସେହିପରି ରିଲିଭ କର୍ମଚାରୀଙ୍କ ଭବିଷ୍ୟତ କଥା ବି ଚିନ୍ତା କରାଯିବାର ଆବଶ୍ୟକତା ରହିଥିଲା। ହେଲେ ଏହି ପ୍ରକଳ୍ପ ଦ୍ବାରା ପ୍ରଚୁର ଲାଭ ପାଉଥିବା ଆନ୍ଧ୍ର ସରକାର ପ୍ରକଳ୍ପ ଅଧୀନରେ ଥିବା ମେଡିକାଲକୁ ବର୍ତମାନ ଘରୋଇକରଣ କରିବାକୁ ଯୋଜନା କରିଛନ୍ତି। ଯାହାର ପରିଣାମ ସ୍ବରୂପ ଓଡ଼ିଶା କୋଟାରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ହଟାଇ ଆନ୍ଧ୍ରର କର୍ମଚାରୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି। ଏନେଇ ଗତମାସ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦୁଇଟି ଚିଠି କରି ଅବଗତ କରାଯାଇଥିଲା। ଚଳିତ ମାସ ଉକ୍ତ ଚିଠି ଅନୁଯାୟୀ ଆନ୍ଧ୍ର ସରକାର ପରବର୍ତୀ ପଦକ୍ଷେପ ସ୍ବରୂପ ୫ଜଣ କର୍ମଚାରୀଙ୍କୁ ରିଲିଭ କରି ନୂଆ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ମାସ ୨୭ ତାରିଖ ଦିନ ଗୋଟିଏ ଚିଠି ପ୍ରକଳ୍ପ କର୍ତୃପକ୍ଷଙ୍କୁ କରିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ, ୧୯୪୬ ମସିହାରେ ମାଡ୍ରାସ ଓ ଓଡ଼ିଶା ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ କର୍ମଚାରୀମାନେ ୧୯୪୬ରୁ ସେଠାରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଦିନରେ ମଧ୍ୟ କାର୍ଯ୍ୟ କରିବେ। ଯଦି ଏହି କର୍ମଚାରୀଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବ ତେବେ ସରକାର ହିଁ ଏହି ପଦବିକୁ ଉଚ୍ଛେଦ କରିବେ କିମ୍ବା କର୍ମଚାରୀଙ୍କୁ ଫେରାଇ ଆଣିବେ। ତାହା ମଧ୍ୟ ଉଭୟ ରାଜ୍ୟର ସହମତି ଭିତ୍ତିରେ ହିଁ କରାଯିବ। ତେଣୁ କୌଣସି ପରିସ୍ଥିତିରେ ମଧ୍ୟ କର୍ମଚାରୀଙ୍କୁ ରିଲିଭ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। ସେହିପରି ଗତମାସ ୨୯ ତାରିଖରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିଲିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଯାଇଥିବା ଜଣାପଡ଼ିଛି।
ରିଲିଭ ହୋଇଥିବା ଫାର୍ମାସିଷ୍ଟ ସଞ୍ଜୟ କୁମାର ସାହୁ କହିଛନ୍ତି ଯେ ଗତ ୨୦ବର୍ଷ ହେବ ଏଠାରେ କାର୍ଯ୍ୟ କରି ଆସୁଥିଲେ। ଓଡ଼ିଶା କୋଟାରୁ କୋରାପୁଟ ସିଡିଏମଓଙ୍କ ନିର୍ଦ୍ଦେଶକ୍ରମେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁ, ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ (ଏମପିଏଚଡବ୍ଲୁ) ବୀଣାପାଣି ଦେଈ, ଆନ୍ଧ୍ର କୋଟରେ ଏମପିଏଚଡବ୍ଲୁ ଭାବେ ଜି.ଭୂଲୋକ ଓ ୱାର୍ଡ ଆଟେଣ୍ଡାଣ୍ଟ ତାରିଣୀ ପ୍ରସାଦ ପଟ୍ଟନାୟକ ବି କାର୍ଯ୍ୟରେ ଯୋଗ ଦେଇଥିଲେ। ଜିଲ୍ଲା ପ୍ରଶାସନ ଓ ଓଏଚପିସିର ଚିଠି ସତ୍ତ୍ବେ ଜୋର କରି ରିଲିଭ କରିବା ସହ କାମ କରିବାକୁ ସୁଯୋଗ ଦେଉ ନାହାନ୍ତି। ପ୍ରକଳ୍ପରେ କାର୍ଯ୍ୟରତ କିଛି ଓଡ଼ିଆ କର୍ମଚାରୀ ନିଜ ସ୍ବାର୍ଥ ପାଇଁ ଆମ ସହ ବିଶ୍ବାସ ଘାତକତା କରୁଛନ୍ତି ବୋଲି ସେ କହିଛନ୍ତି।
ଓଏଚପିସିଏଲର ବରିଷ୍ଠ ଅଧିକାରୀ ଏମ.ଆର ବିଶ୍ବାଳ କହିଛନ୍ତି ଯେ ୧୯୪୬ ମସିହାରେ ମାଡ୍ରାସ ଓ ଓଡ଼ିଶା (ଏବେ ଓଡ଼ିଶା-ଆନ୍ଧ୍ରପ୍ରଦେଶ) ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ କର୍ମଚାରୀମାନେ ୧୯୪୬ରୁ ସେଠାରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଦିନରେ ମଧ୍ୟ କାର୍ଯ୍ୟ କରିବେ। ଯଦି ଏହି କର୍ମଚାରୀଙ୍କୁ ଓଡ଼ିଶାକୁ ଫେରାଇ ଅଣାଯିବ ତେବେ ସରକାର ହିଁ ଏନେଇ ଯାହା ନିଷ୍ପତ୍ତି ନେଇ ପାରିବେ। ତାହା ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହେବା ପରେ। ତେଣୁ କୌଣସି ପରିସ୍ଥିତିରେ ମଧ୍ୟ କାର୍ଯ୍ୟରତ କର୍ମଚାରୀଙ୍କୁ ରିଲିଭ କରାଯାଇପାରି ନାହିଁ। ତେଣୁ ଚିଠି କରି ଏହି ସଂପର୍କରେ ଜଣାଯାଇଛି। ସେହିପରି ଏପିଜିଇଏନକୋ ଅଧୀକ୍ଷଣ ଯନ୍ତ୍ରୀ ବି.ଜି.କେ ମୂର୍ତ୍ତି କହିଛନ୍ତି ଯେ ଓଡ଼ିଶା କୋଟାରେ ଫାମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ଏମପିଏଚଡବ୍ଲୁ) ବୀଣାପାଣି ଦେଈ, ଆନ୍ଧ୍ର କୋଟରେ ଏମପିଏଚଡବ୍ଲୁ ଭାବେ କାର୍ଯ୍ୟ କରୁଥିବା ଜି.ଭୂଲୋକ ଓ ୱାର୍ଡ ଆଟେଣ୍ଡାଣ୍ଟ ତାରିଣୀ ପ୍ରସାଦ ପଟ୍ଟନାୟକଙ୍କୁ ରିଲିଭ କରାଯାଇଛି। ଏଠାରେ ଆନ୍ଧ୍ର ସରକାରଙ୍କ ଅନୁମତିରେ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥା ପାଇଁ ଘରୋଇକରଣ କରାଯିବାକୁ ଏହି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର