ବନ୍ଧୁଗାଁ: ମମତା ଯୋଜନା ସହାୟତା ଅର୍ଥ ପ୍ରଦାନ ପାଇଁ ଅଙ୍ଗନୱାଡ଼ି କର୍ମୀ ଦୁଇ ହଜାର ଟଙ୍କା ଲାଞ୍ଚ ନେଇଥିବା ଖବର ଆମ ସମ୍ବାଦ ପତ୍ରିକାରେ ପ୍ରକାଶିତ ହେବା ପରେ ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକଷ୍ଟରେ ଖୋଲାଖୋଲି ଆଲୋଚନା ହୋଇଯାଇଛି। ପେଦାୱାଲାଡ଼ା ପଞ୍ଚାୟତ ସଭା ଗୃହରେ ସରପଞ୍ଚ ଶେଖର କଣ୍ଡାଗରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ବାଇଁ ସଭାପତିତ୍ବ କରିଥିଲେ।
ଗତ ୨୩ ତାରିଖରେ ଆମ ସମ୍ବାଦ ପତ୍ରିକାରେ ପେଦାୱାଲଡ଼ା ପଞ୍ଚାୟତ ଝାଙ୍କରକାର୍ଲୀ ଗାଁରେ ୭ ଜଣ ଗର୍ଭବତୀ ମହିଳା ୨ ହଜାର ଟଙ୍କା ଲେଖାଏ ମମତା ଯୋଜନାର କିସ୍ତି ପାଇବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ପ୍ରକାଶିତ ହୋଇଥିଲା। ଆଜି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣିରେ ସମସ୍ତ ଗ୍ରାମର ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।
ତେବେ ଦୀର୍ଘ ବର୍ଷ ଧରି ପ୍ରଥମ ଓ ଦ୍ବିତୀୟ ଗର୍ଭବତୀ ମହିଳାମାନଙ୍କୁ ପଞ୍ଜିକରଣ କରି ଟଙ୍କା ପାଇବା ପାଇଁ ଲାଞ୍ଚ ନେଇଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ସମେତ ସୁପର ଭାଇଜର ଓ ସମସ୍ତ କର୍ମଚାରୀ ଅବଗତ ଥିବା ମଧ୍ୟ ଅଙ୍ଗନୱାଡ଼ି କର୍ମୀମାନେ ଗୁରୁତର ଅଭିଯୋଗ କରିଛନ୍ତି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ପଚାରି ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
ଆଜି ଜଙ୍ଗଲ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ବିଭାଗ, ମିଶନ ଶକ୍ତି ବିଭାଗ ଓ ପୁଲିସ ବିଭାଗରୁ ଉପସ୍ଥିତ ରହି ନ ଥିବା ବେଳେ ସପ୍ଲାଏ ଇନ୍ସପେକ୍ଟର ଅରବିନ୍ଦ ମହାରଣା, ବିଏସଏସଓ ଦୀପକ କୁମାର ବେଉରିଆ, କୃଷି ବିଭାଗ ଅଧିକାରୀ ସୁଶାନ୍ତ ବିଡିକା, ଶିକ୍ଷା ବିଭାଗ ସିଆରସିସି , ଜିପିଡିଇଓ ଅମୀର ଅକ୍ଷୟ କୁମାର ପ୍ରଧାନ, ଜିଆରସ ଵିନୋଦ କାଲପା, ସମିତି ଆଚମା କାଡ୍ରାକା, ନାଇବ ସରପଞ୍ଚ ଆଲିକି ସିଧାରାପୁ, ୱାର୍ଡ ମେମ୍ବର ଭୀମ ସିଧାରାପୁ, ସମ୍ବୁରୁ ହାରେକା, କୁମାରୀ ମାଣ୍ଡିଙ୍ଗି, ପାର୍ବତୀ ଭତ୍ରା, ଦାଲାନା କାଡ୍ରାକା, ବିନାୟକ କାଡ୍ରାକା, ଆସୁ କଣ୍ଡାଗରି ଓ ଜ୍ୟୋତି ହାରେକା ଉପସ୍ଥିତ ରହିଥିଲେ।