୫୦ ବର୍ଷରେ ମଣିଷ ତିଆରି କାରଖାନା

କୋରାପୁଟ,: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ପ୍ରଦୀପ ଜାଳିବାକୁ ୧୯୬୮ ମସିହାରେ ପ୍ରତିଷ୍ଠା ହୋଇଥିଲା ଡିଏଭି କଲେଜ। ଶିକ୍ଷାର ଏହି ପବିତ୍ର ମନ୍ଦିରକୁ ପୂରିଛି ୫୦ ବର୍ଷ। ଏ ଭିତରେ କଲେଜର ରୂପ, ରଙ୍ଗ, ନାମ, କଳେବର ସବୁ କିଛି ବଦଳିଯାଇଛି। ଚାରା ଗଛଟିଏ ଥିବା ଏହି ମଣିଷ ତିଆରି କାରଖାନା ଏବେ ମହାଦ୍ରୁମ ପାଲଟିଛି। ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମହକିଛି ଏହି ପୁରାତନ କଲେଜର ମହକ। ଜିଲ୍ଲାସାରା ଖେଳାଇ ହୋଇ ରହିଛନ୍ତି ଏହି କଲେଜର ଛାତ୍ରଛାତ୍ରୀ।
କୋରାପୁଟ ଜିଲ୍ଲାରେ ଉଚ୍ଚଶିକ୍ଷା ପାଇଁ କେବଳ ଜୟପୁରରେ ବିକ୍ରମ ଦେବ କଲେଜ ରହିଥିଲା। ଏହା ବ୍ୟତୀତ ଅବିଭକ୍ତ ଜିଲ୍ଲାରେ କୌଣସି କଲେଜ ନ ଥିଲା। ଫଳରେ ଉଚ୍ଚଶିକ୍ଷା ପାଇଁ ଏଠାକାର ଛାତ୍ରଛାତ୍ରୀ ବେଶ ଅସୁବିଧାମର ସମ୍ମୁଖୀନ ହେଉଥିଲେ। ପରେ ଜିଲ୍ଲାର ଦ୍ବିତୀୟ କଲେଜ ଭାବେ ଡିଏଭି କଲେଜ ଆରମ୍ଭ ହୋଇଥିଲା। ତତ୍କାଳୀନ ଓଡ଼ିଶା ରାଜ୍ୟପାଳ ଡ. ଏ.ଏନ. ଖୋସଲାଙ୍କ ସହଯୋଗରେ ନୂଆଦିଲ୍ଲୀର ଦୟାନନ୍ଦ ଆଙ୍ଗଲୋ ବୈଦିକ କଲେଜ ମ୍ୟାନେଜିଂ କମିଟି ଦ୍ବାରା ୧୯୬୮ ମସିହା ଅଗଷ୍ଟ ୧୦ତାରିଖରେ ଆରମ୍ଭ ହୋଇଥିଲା କୋରାପୁଟର ଡିଏଭି କଲେଜ। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ସହରରେ ଥିବା ପଞ୍ଚାୟତ ଭବନରେ ପାଠପଢ଼ା ଆରମ୍ଭ ହୋଇଥିଲା। ଏଠାରେ କେବଳ ଆଇଏ, ଆଇଏସିସି ଓ ଆଇକମ ପଢ଼ା ଯାଉଥିଲା। ୧୯୭୦ ମସିହାରେ ବିଏ, ବିଏସସି ଓ ବିକମ ପାଠ୍ୟକ୍ରମ ଖୋଲିଥିଲା। ୧୯୭୫ରେ କଳା ସ୍ନାତକରେ ଓ ୧୯୭୭ରେ ବିଜ୍ଞାନରେ ସମ୍ମାନ ରଖି ପଢ଼ି ପାରିଲେ ଛାତ୍ରଛାତ୍ରୀ। ୧୯୯୨ରେ ପିଜି ପାଠ୍ୟକ୍ରମ ଖୋଲିଥିଲା ଏହି କଲେଜରେ।
କଲେଜ ପ୍ରତିଷ୍ଠା ପରଠାରୁ ଏହା ୫୦ଟି ପାହାଚ ଡେଇଁ ଏବେ ଏକ ବଡ଼ ଅନୁଷ୍ଠାରେ ପରିଣତ ହୋଇଛି। କୋରାପୁଟ ଜିଲ୍ଲାରେ ଉଚ୍ଚଶିକ୍ଷାର ପ୍ରଚାର ପ୍ରସାର ଦିଗରେ ଏହା ଏକ ପ୍ରମୁଖ ଅନୁଷ୍ଠାନ ଭାବେ ସ୍ବୀକୃତି ଲାଭ କରିଛି। ତେବେ ଏହା ଭିତରେ ଅନେକ ପରିବର୍ତ୍ତନ ଘଟିଛି କଲେଜରେ। କଲେଜର ନାମ ସହ କଳେବର ବଦଳିଛି। ଆରମ୍ଭରୁ ଏହାର ନାମ ଡିଏଭି କଲେଜ ରହିଥିଲା ବେଳେ ୨୦୧୨ଡିସେମ୍ବର ୬ତାରିଖରେ ସରକାର ସକୁର୍ଲାର ଜାରି କରି ଏହାକୁ ସରକାରୀ କଲେଜ ଭାବେ ନାମ ଦେଇଥିଲେ। ଏବେ ପୁଣି କଲେଜର ନାମ ପରିବର୍ତ୍ତନ ନେଇ ଦାବି ଉଠିଛି। କଲେଜର ନାମକୁ ଡିଏଭି ସରକାରୀ କଲେଜ ରଖିବାକୁ ପୁରାତନ ଛାତ୍ର ସଂଘ ଦାବି କରିଥିଲା ବେଳେ ଏହାକୁ ଗ୍ରହଣ କରିଛି କଲେଜ ପରିଚାଳନା କମିଟି। ଏହା କମିଟିର ବୈଠକରେ ଗୃହୀତ ହେଲା ପରେ ନାମ ପରିବର୍ତ୍ତନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହିପରି ପଞ୍ଚାୟତ ଭବନରେ ଆରମ୍ଭ ହୋଇଥିବା ଏହି କଲେଜର ପାଠପଢା ପରେ ନୂଆ କ୍ୟାମ୍ପସକୁ ଯାଇଥିଲା। ଜାତୀୟ ରାଜପଥ କଡ଼ରେ ଲାଣ୍ଡିଗୁଡାରେ ୬୮.୮ ଏକର ବିଶିଷ୍ଟ ଜମିରେ କଲେଜର ନୂଆ କ୍ୟାମ୍ପସ ଦୟାନନ୍ଦ ବିହାର ସ୍ଥାପନା କରାଯାଇଥିଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି କ୍ୟାମ୍ପସର ଗୋଟିଏ ଦିଗରେ କୋଲାବ ଜଳ ଭଣ୍ଡାର ରହିଥିଲା ବେଳେ ଚାରିଆଡେ ପାହାଡ, ଜଙ୍ଗଲ ଘେରି ରହିଛି।
କଲେଜ ଆରମ୍ଭ ହେଲା ବେଳେ ଏଠାରେ ମାତ୍ର ୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଏଠି ଖୋଲିଥିଲେ ମଧ୍ୟ ଅଧିକ ଛାତ୍ରଛାତ୍ରୀଙ୍କୁ ଏହା ଆକର୍ଷଣ କରି ପାରି ନ ଥିଲା। କିନ୍ତୁ ପରେ ଧୀରେ ଧୀରେ ଛତ୍ରଛାତ୍ରୀଙ୍କ ସଂଖ୍ୟା ବଢିଲା। ଆଉ ଚଳିତ ବର୍ଷ ଏଠାରେ ପଢୁଛନ୍ତି ୨୭୬୭ ଜଣ ଛାତ୍ରଛାତ୍ରୀ। ଯୁକ୍ତ ୩ରେ ୧୫୪୬ ଜଣ ଛାତ୍ରଛାତ୍ରୀ ପଢୁଥିଲା ବେଳେ ପିଜି କରୁଛନ୍ତି ୮୭ ଜଣ। ସେହିପରି ଯୁକ୍ତ ଦୁଇରେ ୧୧୩୪ ଜଣ ଛାତ୍ରଛାତ୍ରୀ ଏଠାରେ ପଢୁଛନ୍ତି। କଲେଜ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ୩ କଳା, ବିଜ୍ଞାନ ଓ ବାଣିଜ୍ୟରେ ମିଶାଇ ମୋଟ ୧୮୨୪ଟି ମଂଜୁରୀପ୍ରାପ୍ତ ଆସନ ରହିଛି। ସେଥିରୁ ୧୫୪୬ଟିରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଓଡ଼ିଆ ଓ ଶିକ୍ଷା ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଥିଲା ବେଳେ ୯୬ଟି ଆସନ ରହିଛି। ଏଥିରେ ୮୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନରେ ୧୨୮୦ଟି ମଂଜୁରୀପ୍ରାପ୍ତ ଆସନ ରହିଥିଲା ବେଳେ ଏବେ ୧୧୩୪ଜଣ ନାମ ଲେଖାଇଛନ୍ତି।
ଏ ଭିତରେ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ବାହାରି ବିଭିନ୍ନ ସମ୍ମାନଜନକ ପଦପଦବିରେ ରହିଛନ୍ତି। ବହୁ ସଫଳ ମଣିଷକୁ ଗଢ଼ିଥିବା ଏହି କଲେଜ ବିଭିନ୍ନ ଦୃଷ୍ଟିକୋଣରୁ ଏବେ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଯୁକ୍ତ ୩ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଅନୁବନ୍ଧିତ ହୋଇଛି। କଲେଜର ଆବଶ୍ୟକ ଶ୍ରେଣୀଗୃହ ସହ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା ହଷ୍ଟେଲ ରହିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପାଠାଗାର ଓ ବିଜ୍ଞାନାଗାର ରହିଥିଲା ବେଳେ ସାମାଜିକ କାମ ପାଇଁ ଏନସିସି, ଏନଏସଏସ ଓ ୟୁଥ ରେଡକ୍ରସ ଆଦି ଅଛି। ତେଣୁ କଲେଜ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇ ପାରିଛି।

ସମ୍ବନ୍ଧିତ ଖବର