୧୦୫୨ ଚାଷୀ ବିକି ପାରିବେନି ଧାନ : ଆରମ୍ଭ ହେଲାଣି ମଣ୍ଡି; ଶେଷ ହୋଇନି ଜମି ତନଖି, ଆସୁନି ଟୋକେନ୍

ଚାଷୀଙ୍କ ନମ୍ବରକୁ ମେସେଜ ଦେଇ ବିଭାଗ ଚୁପ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଚାଷୀ ଓ ଚଷାଙ୍କ ପ୍ରତି କୃଷିବିଭାଗର ଦରଦ ଏମିତି। ମଣ୍ଡି ଆରମ୍ଭ ହେବାକୁ ଆଉ ୫ ଦିନ ରହିଥିବାବେଳେ ଏବେଯାଏ ଆରମ୍ଭ ହୋଇନି ଜମି ତନଖି । କେବେ ଶେଷ ହେବ ତାହା ମଧ୍ୟ ଜଣା ନାହିଁ। ଆଉ କେବେ ଧାନ କିଣା ପାଇଁ ଟୋକେନ ଆସିବ ତାହା ମଧ୍ୟ ଜଣାନାହିଁ। ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଚିଠି ପରେ ଚିଠି ଓ ଫୋନ ପରେ ଫୋନ କରାଯାଉଥିଲେ ବି ଅଚିନ୍ତା ନିଦରେ ଶୋଇଛି ଜୟପୁର ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ । ନା ଏହି କାର୍ଯ୍ୟଳୟ ଜିଲ୍ଲା କୃଷି ବିଭାଗ ପକ୍ଷରୁ କରାଯାଇଥିବା ଚିଠିର ଉତ୍ତର ଦେଉଛି ନା ଚାଷୀଙ୍କ କଥା ବୁଝୁଛି। ଟୋକେନ ବାହାରୁ ନ ଥିବାରୁ ଚାଷୀ ଗତ ଋତୁରେ ଧାନ ବିକି ପାରି ନଥିଲେ। ଗତଋତୁ ପରି ଚଳିତ ଋତୁରେ ଯଦି ଚାଷୀ ଧାନ ବିକ୍ରି କରିପାରିବେନି ତେବେ ଆଗକୁ ବଡ ସମସ୍ୟା ହେବ ବୋଲି କହିଛନ୍ତି।

ମିଳିଥିବା ସୂଚନା ମୁତାବକ ଚାଷୀଙ୍କ ଜମି ତନଖି କରିବାକୁ ତିନିମାସ ତଳୁ ଚିଠି କରିଛି ଜିଲ୍ଲା ଯୋଗାଣ ବିଭାଗ। ଜିଲ୍ଲା କୃଷି ବିଭାଗକୁ ଚିଠିରେ କୁହାଯାଇଛି ଯେ ଯେଉଁ ଚାଷୀମାନଙ୍କର ୧୦ ଏକରରୁ ଅଧିକ ଜମି ରହିବା ସହ ଅଣଜଳସେଚିତ ଜମି ରହିଛି ତାହାର ସ୍ଥିତାବସ୍ଥା କ’ଣ ରହିଛି ତାହାର ତନଖି କରି ତୁରନ୍ତ ରିପୋର୍ଟ ଦିଅ। ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମକୁ ଏହି ତଥ୍ୟ ଯିବ। ଏହା ପରେ ଧାନ କିଣାପାଇଁ ଟୋକେନ କାର୍ଯ୍ୟକାରୀ ହେବ। କିନ୍ତୁ ଚିଠିର କୌଣସି ଉତ୍ତର ଦେଇନି ଜୟପୁର ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ। ଏପ୍ରିଲ ୪ ତାରିଖରେ ଜିଲ୍ଲା ଯୋଗାଣ ବିଭାଗ ଓ ଜିଲ୍ଲା କୃଷି ବିଭାଗ ଏକ ଚିଠି କରି ଏହି ଚାଷୀଙ୍କର ଜମି ତନଖି ପାଇଁ ନିର୍ଦ୍ଦେଶ ଦେଇଥିଲା। ଉପଖଣ୍ଡରେ ପାଖାପାଖି ୧୦୫୨ ଜଣ ଚାଷୀ ୧୦ ଏକରରୁ ଅଧିକ ଚାଷୀ ରହିଥିବାବେଳେ ସେମାନଙ୍କର ଏବେଯାଏ ତନଖି ହୋଇନାହିଁ। ଗତ ଦୁଇ ଦିନ ମଧ୍ୟରେ ଜିଲ୍ଲା କୃଷି ବିଭାଗ ଗୋଟିଏ ଚିଠି ସହ ବହୁ ବାର ଯୋଗାଯୋଗ କରିଥିଲେ ବି ଜୟପୁର ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଫଳରେ ପାଖାପାଖି ଏହି ଚାଷୀ ସେମାନଙ୍କର ଧାନ ବିକ୍ରି କରିବା ନେଇ ସନ୍ଦେହ ଉପୁଜିଛି। ଗତ ଋତୁରେ ଟୋକେନକୁ ନେଇ ଯେଉଁ ବିବାଦ ମୁଣ୍ଡ ଟେକିଥିଲା ତାହା ପୁଣିଥରେ ହେବା ଆଶଙ୍କା କରାଯାଉଛି। ଯେଉଁ ତନଖି କାର୍ଯ୍ୟ ମାସେ ତଳୁ ହେବା କଥା ତାହା ଏବେଯାଏ ହୋଇନାହିଁ। କୃଷି ବିଭାଗର ଚାଷୀଙ୍କ ପ୍ରତି ଏପରି ବୈମାତୃକ ମନୋଭବ ଦାଲାଲଙ୍କୁ ପ୍ରଶ୍ରୟ ଦେଉଥିବା ଜଣାପଡିଛି। ଏହି ଋତୁରେ ପାଖାପାଖି ୩୨ ହଜାର ଚାଷୀ ଜିଲ୍ଲାରେ ଧାନ ବିକ୍ରି କରିବାକୁ ନାମ ପଞ୍ଜିକରଣ କରିଥିବାବେଳେ କେବଳ ଜୟପୁର ଉପଖଣ୍ଡରେ ୧୦୫୨ ଚାଷୀ ଏଥିରେ ବାଦ ପଡିଲେ ରାଜ୍ୟରେ କେତେ କ୍ଷତି ହେବ ତାହା ସହଜେ ଅନୁମେୟ। ତେବେ ଗତ ଋତୁରେ ଧାନ ବିକ୍ରି କରି ନ ପାରି ନଥିବା ଚାଷୀଙ୍କ ଘରେ ଏବେ ଧାନ ଗଚ୍ଛିତ ରହିଥିବା ବେଳେ ଆଗକୁ ଆଉ ଏକ ଋତୁ ଆସୁଥିବାରୁ ଚାଷୀଙ୍କ ଦୁର୍ଦଶା କହିଲେ ନ ସରେ। ଏହି ଚାଷୀଙ୍କର ଜମି କାହିଁକି ତନଖି କରି ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲାଯୋଗାଣ ବିଭାଗକୁ ଦିଆଯାଉ ନାହିଁ ତାହାର ତଦନ୍ତ ଦାବି କରାଯାଇଛି।

ଏନେଇ ଚାଷୀ ତିଲିଆ ଭତ୍ରା କହିଛନ୍ତି ଯେହ ଗତ ଋତୁରେ ଆମେ ଧାନ କଲୁ କିନ୍ତୁ ସବୁ ଧାନ ବିକ୍ରି କରିପାରିଲୁନି। ଅଧା ଧାନ ବିକ୍ରି କଲାବେଳକୁ ଟାର୍ଗେଟ ଶେଷ ହୋଇଯିବାରୁ ବିକ୍ରି ହୋଇପାରିଲାନି। ତେବେ ସେହି ସମୟରେ ବଡବଡ ଚାଷୀ ଓ ଦଲାଲଙ୍କର ଧାନ ବିକ୍ରି ହେଲା କିନ୍ତୁ ଆମମାନଙ୍କର ଧାନ ବିକ୍ରି ହେଲାନି। ଗତ ଦୁଇଦିନ ହେବ ସବୁ ଚାଷୀଙ୍କର ଟୋକେନ ବାହାରୁଥିବାବେଳେ ଆମର କାହିଁକି ବାହାରୁନି ବୋଲି କୃଷି ବିଭାଗ ଓ ଜିଲ୍ଲା ଯୋଗାଣ ବିଭାଗକୁ ଯାଇଥିଲୁ। ସେଠାରେ ଏହି ତଥ୍ୟ ଦେବା ପରେ ସେଠାକୁ ଯାଇଥିଲୁ ବୋଲି ସେ କହିଛନ୍ତି।

ଏକତାଗୁଡାର ଚାଷୀ ସୁମନ୍ତ କୁମାର ସାହୁ କହିଛନ୍ତି ଯେ ଧାନ ଅମଳ ଶେଷ ହୋଇସାରଲାଣି। ଏନେଇ ଏସଏସଜି ଓ ଲାମ୍ପସରେ ଅବଗତ ମଧ୍ୟ କରିସାରିଲିଣି। କିନ୍ତୁ ୧୦ ଏକରରୁ ଅଧିକ ଜମି ରହିଥିବାରୁ ଆମର ଟୋକେନ ବାହାରୁ ନାହିଁ। ଏ ନେଇ ବିଭାଗ ପକ୍ଷରୁ ଏକ ମେସେଜ ଛଡାଯାଇଛି, ସେହି ମେସେଜ ଦେଖି ଦେଖି ଚିନ୍ତା ବଢିଯାଉଛି। ମଣ୍ଡି ଆରମ୍ଭ ହୋଇ  ୧୧ ଦିନ ହେଲାଣି କେବେ ଆମର ଜମି ତନଖି ହେବ କେବେ ସରକାର ଆମ ଧାନ କିଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ନେଇ ସହକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବୁରୁଡି କହିଛନ୍ତି ଯେ ତୃଣମୂଳସ୍ତରରେ ଥିବା କର୍ମଚାରୀଙ୍କୁ ଏଥି ପାଇଁ ନିୟୋଜିତ କରାଯାଇଛି। ସେମାନଙ୍କଠାରୁ ରିପୋର୍ଟ ମିଳିବା ପରେ ଜିଲ୍ଲା କୃଷି ବିଭାଗ ଓ ଜିଲ୍ଲା ଯୋଗାଣ ବିଭାଗକୁ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର