ବିଦ୍ୟୁତ ଆଘାତରେ ମିସ୍ତ୍ରୀଙ୍କ ମୃତ୍ୟୁ

ଜୟପୁର: ଜୟପୁର ଟାଉନଥାନା ଅନ୍ତର୍ଗତ ପୁରୁଣା ଫାୟାର ଷ୍ଟେସନ ନିକଟରେ ବିଦ୍ୟୁତ ଆଘାତରେ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ସହର ଉପକଣ୍ଠ ବ୍ରାହ୍ମଣୀଗାଁ ଅଞ୍ଚଳର କମଳ ଲୋଚନ। ସେ ଏଠାରେ ନୂତନ ଭାବେ ନିର୍ମାଣ ହେଉଥିବା ଗୋଟିଏ କୋଠା କାମରେ ନିୟୋଜିତ ହୋଇଥିଲେ।  ପୁଣି ଶବ ଜବତ କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ପ୍ରିୟଶ ରଞ୍ଜନ ଛୋଟରାୟ କହିଛନ୍ତି।

ସୂଚନାଯୋଗ୍ୟ, ପୁରୁଣା ଫାୟାର ଷ୍ଟେସନ ନିକଟରେ ବଂଶୀଧର ବେହାରଙ୍କ ଘର ତିଆରି କରିବାକୁ କମଳ ଆଜି ଆସିଥିଲେ। ଦିନ ସାଢ଼େ ୧ଟାରେ ଦ୍ୱିତୀୟ ମହଲାର ବାହାର ପଟ କାନ୍ଥ ପ୍ଲାଷ୍ଟର ସମୟରେ କମଳ ଧରିଥିବା ଗଜ ବାଡି ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବିଦ୍ୟୁତ ଆଘାତରେ କମଳ ଫୋଫାଡି ହୋଇ ତଳେ ପଡିଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟୋ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ କମଳଙ୍କ ଭାଇ ସୋମନାଥ କମାର ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଥାନରେ ୧୫/୧୮ ନମ୍ବରରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର