ସହିଦ ସ୍ତମ୍ଭ ନିକଟରେ ମାଓ ପୋଷ୍ଟର

ଲମତାପୁଟ: ମାଓ ସଂଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ଚାଲୁ ରହିଥିବା ବେଳେ ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତର ହନୁମାଳ ଗ୍ରାମର ସହିଦ ସ୍ତମ୍ଭ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ମାଓ ସପ୍ତାହର ତୃତୀୟ ଦିନରେ ଏଭଳି ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପିଏଲଜି ସପ୍ତାହ ପାଳନ କରିବାକୁ ଆହ୍ବାନ ଦିଆଯାଇଛି । ଜମି ଜଙ୍ଗଲ ଓ ପାଣି ପାଇଁ ଲଢ଼େଇ ଜାରି ରଖିବା ସହ ସମସ୍ତ ଗ୍ରାମର ଯୁବକ ଯୁବତୀ ଏଥିରେ ସାମିଲ ହେବାକୁ କୁହାଯାଇଛି । ସିପିଆଇ ମାଓବାଦୀ ସ˚ଗଠନ ଗୁମ୍ମା ଆଞ୍ଚଳିକ କମିଟି ଉଲ୍ଲେଖ ଥିବା ପୋଷ୍ଟରରେ ଗତ ୧୮ ବର୍ଷ ମଧୢରେ ପ୍ରାୟ ୨ଶହ ଜମିହୀନ ପରିବାରଙ୍କୁ ଜମି ଦିଆଯିବା ସହ କେତେକ ସ୍ଥାନରେ ସ˚ଗଠନ ପକ୍ଷରୁ ଜମିକୁ ସମତଳ କରାଯାଇ ଚାଷ ଜମି କରାଯିବା, ଖାଦ୍ୟ ପାଇଁ ପନିପରିବା ଚାଷ କରାଯିବା, ବୃଦ୍ଧବୃଦ୍ଧା ଓ ବିଧବାଙ୍କୁ ଜମି କାମରେ ସହଯୋଗ କରାଯିବା, ଗ୍ରାମରେ ପାଣି ସମସ୍ୟା ଦୂର କରାଯିବା, ପିଲାଙ୍କୁ ଶିକ୍ଷା ପାଇଁ ସ୍କୁଲକୁ ପଠାଯାଉଥିବା ଭଳି କାମ କରାଯାଇଥିବା ଉଲ୍ଲେଖ ରହିଛି । ସହିଦ ସ୍ତମ୍ଭ ନିକଟରେ ପୋଷ୍ଟର ଲାଗିଥିବା ବେଳେ ଏକ ବ୍ୟାନର ପଡିଥିବା ଦେଖିବାକୁ ମିଳିଛି । ବ୍ୟାନରରେ ବି ପିଏଲଜି ସପ୍ତାହକୁ ଆହ୍ବାନ କରାଯାଇଛି । ଆଜି ସକାଳୁ ଗ୍ରାମବାସୀ ପୋଷ୍ଟର ଦେଖି ଭୟଭୀତ ହୋଇ ପଡିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ବେଳେ ସହିଦ ସପ୍ତାହ ଯୋଗୁଁ ମାଓ ସଂଗଠନ କିଛି ଅଘଟଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ଦୀର୍ଘ ଦିନ ପରେ ମାଓ ସଂଗଠନର ଏଭଳି ପୋଷ୍ଟର ଓ ବ୍ୟାନର ଅଂଚଳରେ ଆତଙ୍କ ଖେଲାଇ ଦେଇଛି।

ସମ୍ବନ୍ଧିତ ଖବର