ଦୁର୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: ଦୁର୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧୀର (୨୭) କୋରାପୁଟ ରେଂଜ ଡିଆଇଜିଙ୍କ ନିକଟରେ ଆଜି ଆତ୍ମ ସମର୍ପଣ କରିଛନ୍ତି। ସେ ଡିଭିଜନାଲ କମିଟି ସଦସ୍ୟ ଭାବେ କାମ କରୁଥିଲେ। ଦୁଇ ଡଜନରୁ ଅଧିକ ମାଓ କାର୍ଯ୍ୟକଳାପରେ ତାଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିଲା ବେଳେ ତାଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମଭି-୩୧ ଗ୍ରାମର ଧନଞ୍ଜୟ ୨୦୦୯ରେ ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ସେବେଠାରୁ ସେ କାଲିମେଳା ଦଲମରେ କାମ କରୁଥିଲେ। ୨୦୧୫ ଠାରୁ ସେ ଗୁମ୍ମା ଏରିଆ କମିଟି ପାଇଁ କାମ କରୁଥିଲେ। ଏକାଧିକ ମାଓ ହିଂସାରେ ସେ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ପଡିଆ ବ୍ଲକ କାର୍ଯ୍ୟାଳୟ ଆକ୍ରମଣ, ଜାନିଗୁଡା ଆମ୍ବୁସ ସମେତ ପ୍ରାୟ ୧୪ଟି ହତ୍ୟାକାଣ୍ଡରେ ତାଙ୍କ ହାତ ଥିବା ପୁଲିସ ଅନୁମାନ କରାଯାଉଛି। ଏହା ବାଦ୍ ବହୁବାର ପୁଲିସ ସହ ଗୁଳି ବିନିମୟରେ ତାଙ୍କର ସଂପୃକ୍ତି ରହିଛି।
ଗୁରୁପ୍ରିୟା ସେତୁ ଏବଂ ଜନ୍ତାପାଇରେ କ୍ୟାମ୍ପ ହେବା ଏବଂ ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗତିବିଧି ବଢିବା ପରେ ମାଓବାଦୀଙ୍କ ମନୋବଳ ଭାଙ୍ଗି ଯାଇଛି। ଏହା ସହ ବିକାଶମୂଳକ କାମ ଆଗେଇବା ଦ୍ବାରା ଲୋକମାନେ ଏହାର ସୁଫଳ ପାଉଛନ୍ତି। ଏପଟେ ମାଓ ସଂଗଠନରେ କନିଷ୍ଠ ଓ ବରିଷ୍ଠ କ୍ୟାଡରଙ୍କ ମଧ୍ୟରେ ବିବାଦ ବଢୁଥିବାରୁ ସେ ସଂଗଠନ ଛାଡି ଆତ୍ମ ସମର୍ପଣ କରିଥିବା ଧନଞ୍ଜୟ କହିଛନ୍ତି। ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ପ୍ରଦାନ କରାଯିବ। ଏହା ସହିତ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ସହିତ ବୈଷୟିକ ଶିକ୍ଷା ପାଇଁ ତାଲିମ ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଆଜି କୋରାପୁଟ ରେଂଜ ଡିଆଇଜି ହିମାଂଶୁ ଲାଲ ତାଙ୍କୁ ଫୁଲତୋଡା ଦେଇ ସମାଜର ମୁଖ୍ୟ ସ୍ରୋତକୁ ସ୍ବାଗତ କରିଥିଲେ। ଏହି ସମୟରେ ମାଲକାନଗିରି ଏସପି ଜଗମୋହନ ମୀନା ଓ କୋରାପୁଟ ଏସପି ଡ. କନୱର ବିଶାଳ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର