ମାଟ୍ରିକ୍‌ ପରୀକ୍ଷା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି:ନୋଡାଲ ସେଣ୍ଟରରେ ପହଞ୍ଚିଲା ପ୍ରଶ୍ନପତ୍ର

ପରୀକ୍ଷା ଦିନ ସକାଳେ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର ପରିଚାଳନା ଓ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

କୋରାପୁଟ: ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ଏଥିପାଇଁ ଆଜି ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରଶ୍ନପତ୍ର ସବୁ ରଖାଯାଇଛି। ପରୀକ୍ଷା ଦିନ ସକାଳୁ ପରୀକ୍ଷା କେନ୍ଦ୍ରରେ ଏହି ପ୍ରଶ୍ନପତ୍ର ପହଞ୍ଚିବ। ଏପଟେ ପରୀକ୍ଷାକୁ ଠିକ ଭାବେ ପରିଚାଳନା ଓ ସୁରକ୍ଷା ନେଇ ଆଜି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
କୋରାପୁଟ ଜିଲ୍ଲାରେ ଚଳିତବର୍ଷ ୧୪,୭୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ସମୁଦାୟ ୬୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା ପରିଚାଳନାରେ ସୁବିଧା ନିମନ୍ତେ ୮ଟି ନୋଡାଲ ସେଣ୍ଟର କରାଯାଇଛି। ଏହି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବା ସହ ଉତ୍ତର ଖାତା ରହିବ। ଏହି ନୋଡାଲ ସେଣ୍ଟର ଗୁଡିକରେ ଆଜି ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚି ସାରିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ସବୁ ରଖାଯାଇଛି। ଏଥିପାଇଁ ନୋଡାଲ ସେଣ୍ଟରରେ ଷ୍ଟ୍ରଙ୍ଗରୁମ କରାଯାଇଥିଲା ବେଳେ ୨୪ ଘଣ୍ଟିଆ ପୁଲିସ ପହରା ବ୍ୟବସ୍ଥା ହୋଇଛି। ଅପରପକ୍ଷରେ ମାଓ ପ୍ରବଣ ବନ୍ଧୁଗାଁ, ନାରାୟଣପାଣା ଓ ମାଛକୁଣ୍ଡ ଥାନାରେ ହିଁ ଏହି ନୋଡାଲ ସେଣ୍ଟର କାମ କରିବ।
ପରୀକ୍ଷା ପରିଚାଳନା ଓ ସୁରକ୍ଷା ନେଇ ଆଜି କୋରାପୁଟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ଉପ ଅଧୀକ୍ଷକ, ନୋଡାଲ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ପରୀକ୍ଷା ପରିଚାଳନା ନେଇ ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି। ପରୀକ୍ଷାକୁ ସ୍ବଚ୍ଛ ଓ ସୁଚାରୁରୂପେ ପରିଚାଳନା କରିବା ନେଇ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ପରୀକ୍ଷା କେନ୍ଦ୍ର ଓ ନୋଡାଲ କେନ୍ଦ୍ର ଗୁଡିକରେ କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ସେଥିନେଇ ମଧ୍ୟ ଆଲୋଚନା ହୋଇଛି।
ପରୀକ୍ଷା ଦିନ ସକାଳ ୬ଟାରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ବାହାରି ପରୀକ୍ଷା କେନ୍ଦ୍ରକୁ ଯିବ। ସକାଳ ୮ଟା ସୁଦ୍ଧା ପ୍ରଶ୍ନପତ୍ର ସବୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ଏହି ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଠାଇବାକୁ ବ୍ୟବସ୍ଥା କରାଯାଇଛି। ଏକ ସ୍ବତନ୍ତ୍ର ଗାଡିରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ନେବା ଆଣିବା କରାଯିବାକୁ ସ୍ଥିର କରାଯାଇଥିଲା ବେଳେ ଏଥିରେ ଅଧିକାରୀ ଓ ପୁଲିସ ରହିବେ। ପରୀକ୍ଷା ସରୁ ସରୁ ଉତ୍ତରଖାତା ସବୁ ଏହି ଗାଡିରେ ଅଣାଯାଇ ୩ଟା ସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚିବ ବୋଲି ବୈଠକରେ ସ୍ଥିର ହୋଇଛି। ବୈଠକ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରମୋରଦ କୁମାର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଶ୍ନପତ୍ର ଆଜିସୁଦ୍ଧା ନୋଡାଲ ସେଣ୍ଟରରେ ପହଞ୍ଚି ସାରିଛି। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ଆଜିର ବୈଠକରେ ଗୁରୁତ୍ବ ଦିଆଯାଇଛି। ଏଥର କୋରାପୁଟ ଜିଲ୍ଲାରେ ୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ପରୀକ୍ଷାରେ ଅସାଧୁ କାର୍ଯ୍ୟକୁ ରୋକିବା ପାଇଁ ଦୁଇଟି ସ୍କ୍ବାଡ୍‌ ଗଠନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଏହି ଦୁଇଟି ସ୍କ୍ବାଡ୍ କାମ କରିବେ। ବିଭାଗୀୟ ଅଧିକାରୀ ଓ କଲେଜର ଅଧ୍ୟାପକଙ୍କୁ ନେଇ ଏହା ଗଠନ କରାଯିବ। ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସ୍କାଡ ଗଠନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର