ଆଜିଠୁ ମାଟ୍ରିକ ପରୀକ୍ଷା :ଜୟପୁର ଆଞ୍ଚଳିକ ଶାଖାରେ ୪୭,୭୮୦ ପରୀକ୍ଷାର୍ଥୀ

ସମୟ ସାରଣୀ
ସକାଳ ୮ଟା ୧୫ – ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡାଯିବ
୮ଟା ୩୦ – ଓଏମ୍‌ଆର୍‌ ସିଟ୍‌ ପ୍ରଦାନ
୮ଟା ୪୫ – ଉଭୟ ଅବ୍‌ଜେଟିଭ୍‌ ଓ ସବ୍‌ଜେଟିଭ୍‌ ପ୍ରଶ୍ନପତ୍ର ବଣ୍ଟାଯିବ
୮ ଟା ୪୫ରୁ ୯ଟା ପର୍ଯ୍ୟନ୍ତ – ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପଢ଼ିବେ
ପୂର୍ବାହ୍ନ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷହେବ
ଜୟପୁର: ରାତି ପାହିଲେ ମାଟ୍ରିକ ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀ ଶେଷ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବୋର୍ଡ କର୍ତୃପକ୍ଷ ଶୃଙ୍ଖଳିତ ପରୀକ୍ଷା ପାଇଁ ଶେଷ ପର୍ଯ୍ୟାୟ ପ୍ରସ୍ତୁତିରେ ଲାଗିଛନ୍ତି। ଏବେ ଅପେକ୍ଷା କେବଳ ଶୁକ୍ରବାର ସକାଳ ୯ଟାକୁ। ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ପିଲାମାନେ କିଭଳି ପରୀକ୍ଷା ଦେବେ ଏବଂ ଭଲ ପ୍ରଦର୍ଶନ କରିବେ ସେହି ଚିନ୍ତାରେ ରହିଛନ୍ତି। ଚଳିତ ବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲାର ୨୨୩ଟି ପରୀକ୍ଷା କେନ୍ଦ୍ରରେ ୪୭,୭୮୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ପ୍ରତ୍ୟେକ କେନ୍ଦ୍ର ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଆବଶ୍ୟକ ସହଯୋଗ ଦିଆଯାଇଛି। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପ୍ରତି ଗାଡିରେ ପୁଲିସ କର୍ମଚାରୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ମାସ ୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ପରୀକ୍ଷା ସୁପରିଚାଳନା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୩୬ଜଣ ଅଧିକାରୀ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି। ଆବଶ୍ୟକ ସ୍ଥଳେ ଏମାନେ ବିଭିନ୍ନ କେନ୍ଦ୍ରକୁ ଯାଇ ତଦାରଖ କରିବେ।
ଜୟପୁର ମାଧ୍ୟମିକ ଶିକ୍ଷା ପରିଷଦ ଆଞ୍ଚଳିକ ଶାଖା ଅଧୀନରେ ଥିବା କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ କେନ୍ଦ୍ର ଗୁଡିକୁ ପରୀକ୍ଷାର ପୂର୍ବଦିନ ସଂଧ୍ୟା ସୁଦ୍ଧା ପ୍ରଶ୍ନପତ୍ର ଯିବ ବୋଲି ଆଞ୍ଚଳିକ ଶାଖା ଭାରପ୍ରାପ୍ତ ଉପସମ୍ପାଦକ ରାମଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। କପି ରୋକିବା ପାଇଁ ଚଳିତ ବର୍ଷ ୫ଥାକିଆ ସ୍କ୍ଵାଡ୍‌ ବ୍ୟବସ୍ଥା କରାଯାଇଛି। ଡିଇଓଙ୍କ ନେତୃତ୍ୱରେ ଫ୍ଲାଇଙ୍ଗ ସ୍କ୍ଵାଡ, କଟକ ମାଧ୍ୟମିକ ଶିକ୍ଷା ପରିଷଦ ନେତୃତ୍ୱରେ ସ୍ପେସାଲ ସ୍କ୍ଵାଡ, ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ଵାଡ, ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରାଶସନିକ ସ୍କ୍ଵାର୍ଡ, ଆଞ୍ଚଳିକ ଶାଖା ପକ୍ଷରୁ ଜୋନାଲ୍‌ ସ୍କ୍ଵାଡ ଗଠନ କରାଯାଇଛି।

ଏହି ସ୍କ୍ଵାଡ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିବ। ପରୀକ୍ଷା ସମୟରେ ପ୍ରତ୍ୟେକ କେନ୍ଦ୍ରର ସୁରକ୍ଷା ପାଇଁ ପୁଲିସ ମୁତୟନ କରାଯିବା। ଜୟପୁର ଆଞ୍ଚଳିକ ଶାଖା ଅଧୀନରେ ମୋଟ ୩୮ଟି ନୋଡାଲ କେନ୍ଦ୍ର ଅଧୀନରେ ଥିବା ୨୧୦ଟି ପରୀକ୍ଷା କେନ୍ଦ୍ରରେ ୭୮୯ଟି ବିଦ୍ୟାଳୟର ୪୫,୮୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷାରେ ମୋଟ ୧୩ଟି ପରୀକ୍ଷା କେନ୍ଦ୍ରରେ ୩୯ଟି ବିଦ୍ୟାଳୟର ୧୯୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାସହ ଜୟପୁର ସ୍ଥିତ ମହାରାଜା ସଂସ୍କୃତ ମଧ୍ୟମା ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି।
ଜୟପୁର ବାଳିକା ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ୧୬ଟି ପରୀକ୍ଷା କେନ୍ଦ୍ର ପାଇଁ ନୋଡାଲ କେନ୍ଦ୍ର କରାଯାଇଛି। ନୋଡାଲ କେନ୍ଦ୍ର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତଲତା ପଣ୍ଡା କହିଛନ୍ତି, ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗରୁମ୍‌ରେ ପ୍ରଶ୍ନପତ୍ର ରଖାଯାଇଛି। ଆଜି ସକାଳ ସାଢ଼େ ୧୦ଟାରେ ଏହି ନୋଡାଲ କେନ୍ଦ୍ର ଅଧୀନରେ ଥିବା ୧୬ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇ ଦିଆଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଉଥିବା ଗୋଟିଏ ଟିମ୍‌ରେ ୨ଜଣ ଶିକ୍ଷକ ଓ ୨ ଜଣ ପୁଲିସ କର୍ମଚାରୀଙ୍କୁ ପଠାଯାଇଛି। ବୈପାରିଗୁଡା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ନେଇଥିବା ଟିମ୍‌ ଆଜି ରାତି ସେଠାରେ ରହିବା ସହ କାଲି ପରୀକ୍ଷା ଶେଷ ପରେ ଉତ୍ତରଖାତାକୁ ନେଇ ନୋଡାଲ କେନ୍ଦ୍ରକୁ ଫେରିବେ ବୋଲି କହିଛନ୍ତି। ଏହାସହ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଯିବା ପୂର୍ବରୁ ଫାଟକ ପାଖରେ ଗୋଟିଏ ଟିମ୍‌ ଯାଞ୍ଚ କରିବେ। ଏହାପରେ ପରୀକ୍ଷା କେନ୍ଦ୍ରର ଗୃହକୁ ପ୍ରବେଶ କରିବା ବେଳେ ସେଠାରେ ଯାଞ୍ଚ କରାଯିବ ଓ ଗୃହ ଭିତରେ ମଧ୍ୟ ଗୋଟିଏ ଥର ଯାଞ୍ଚ କରାଯିବା ନେଇ କହିଛନ୍ତି।

ସମ୍ବନ୍ଧିତ ଖବର