କୋରାପୁଟ : ଆଶା ଆଣିଲା ଅଧ୍ୟାପନା ଡାକ୍ତରଖାନା, ଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ଲୋକଙ୍କୁ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା

ପିଜି ଖୋଲିବାରେ ହେବ ସହାୟକ

କୋରାପୁଟ : ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। କୋରାପୁଟରେ ପ୍ରସ୍ତାବିତ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନାକୁ ମଂଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏହା ସହ କୋରାପୁଟ ସ୍ବାସ୍ଥ୍ୟସେବା ସହ ଆଉ ଏକ ସଫଳ ଅଧ୍ୟାୟ ଯୋଡି ହେବାକୁ ଯାଉଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏହି ଡାକ୍ତରଖାନା ନିର୍ମାଣ କରାଗଲେ ଅବିଭକ୍ତ କୋରାପୁଟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବାରେ ସୁବିଧା ହୋଇ ପାରିବ। ମେଡିକାଲ ଭିତ୍ତିଭୂମି ଦୃଢ ହେବା ସହ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଖୋଲିବା‌ର ବାଟ ଫିଟିବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ।

ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ସମ୍ପ୍ରସାରିତ କୋଠା ନିର୍ମାଣ ପାଇଁ ପାଖାପାଖି ବର୍ଷକ ତଳେ ନିଷ୍ପତ୍ତି ହୋଇଥିଲା। ମୋ ସରକାର ଟିମ କୋରାପୁଟ ମେଡିକାଲ କଲେଜ ଓ ଡାକ୍ତରଖାନା ବୁଲି ଦେଖିବା ପରେ ଏଠାରେ ଶଯ୍ୟା ସଂଖ୍ୟା ବଢାଇବାକୁ ଘୋଷଣା କରାଯାଇଥିଲା। ପ୍ରଥମେ ୫ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ କୁହାଯାଇଥିଲେ ମଧ୍ୟ ପରେ ଏହାକୁ ୬୫୦ ଶଯ୍ୟା ବିଶିଷ୍ଟ କରିବାକୁ ନିଷ୍ପତ୍ତି ହୋଇଥିଲା। ଗତ ଫେବୃଆରୀ ପ୍ରଥମ ସପ୍ତାହରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ(କୋଠାବାଡି) ସତ୍ୟ ରଂଜନ ସେଠୀ ଏଠାକୁ ଆସି ଜାଗା ଅନୁଧ୍ୟାନ କରିଥିଲେ। ଆଉ ସେତେବେଳେ କୁମ୍ଭା ମୌଜାର ଏକ ସ୍ଥାନ ଚୟନ କରାଯାଇଥିଲା। ୧୦ ଏକର ପରିମିତ ଜାଗାରେ ଏହି ନୂଆ ଡାକ୍ତରଖାନା ନିର୍ମାଣ କରାଯିବ। ମେଡିକାଲ କଲେଜ ନିର୍ମାଣ କରିଥିବା ଠିକା ସଂସ୍ଥାକୁ ପୁଣି ଏହି ନୂତନ ଡାକ୍ତରଖାନା ନିର୍ମାଣ ଦାୟିତ୍ବ ଦିଆଯାଇଛି। ୬୫୦ ଶଯ୍ୟା ବିଶି‌ଷ୍ଟ ଏହି କୋଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ।

ମେଡିକାଲ କଲେଜର ନୂତନ ଅଧ୍ୟାପନା ଡାକ୍ତରଖାନା ନିର୍ମାଣକୁ କ୍ୟାବିନେଟ ଅନୁମୋଦନ ମିଳିବା ପରେ କୋରାପୁଟ ଜିଲ୍ଳାରେ ଉତ୍ସାହ ‌ଦେଖାଦେଇଛି। ବଡ ଡାକ୍ତରଖାନା ନିର୍ମାଣ ହେଲେ ରୋଗୀଙ୍କୁ ଆଉ ତ‌ଳେ ଶୋଇବାକୁ ପଡିବନି ‌ବୋଲି ଆଶା ସଂଚାର ହୋଇଛି। କୋରାପୁଟରେ ମେଡିକାଲ କଲେଜ ନିର୍ମାଣ ହେବା ପରେ ଏଠାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଅବିଭକ୍ତ କୋରାପୁଟ ସମେତ କଳାହାଣ୍ଡିରୁ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସୁଥିବାର ଡାକ୍ତରଖାନାରେ ଶଯ୍ୟାର ଅଭାବ ରହୁଥିଲା। ନୂଆ ଡାକ୍ତରଖାନା ନିର୍ମାଣ ହେଲେ ଏହି ସମସ୍ୟା ଦୂର ହେବା ସହ ଲୋକଙ୍କୁ ଉନ୍ନତ ମାନର ସେବା ମିଳିବ ବୋଲି ଆଶା କରାଯାଉଛି। ଏଥିନେଇ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ କହିଛନ୍ତି ଯେ, କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ନିର୍ମାଣ ପାଇଁ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ଜିଲ୍ଲାର ସ୍ବାସ୍ଥ୍ୟସେବାକୁ ଅଧିକ ମଜଭୁତ କରିବାରେ ଏହା ସଫଳ ହେବ। ଆଗାମୀ ଦିନରେ ଲୋକମାନେ ରୋଗୀଙ୍କୁ ଶଯ୍ୟା ମିଳିବାରେ  କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି।

ପୁରୁଣା ଜିଲ୍ଲା ସଦର ଡାକ୍ତରଖାନାରେ ଏବେ ମେଡିକାଲ କଲେଜର ଡାକ୍ତରଖାନା ଚାଲିଛି। ତେଣୁ ମେଡିକାଲ କଲେଜ ପାଇଁ ଏକ ନୂଆ ଡାକ୍ତରଖାନା ନିର୍ମାଣ କରାଯିବା ପରେ ନିଶ୍ଚିତ ଭାବେ ଭିତ୍ତିଭୂମିର ବିକାଶ ହେବ। ଗୋଟିଏ ଜାଗାରେ ସବୁ ସୁବିଧା ମିଳିପାରିବ। ଏପଟେ ଆଗାମୀ ଦିନରେ ପିଜି ପାଠ୍ୟକ୍ରମ ଖୋଲିବାରେ ମଧ୍ୟ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଏଥିନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଦୀର୍ଘ ଦିନର ଆକାଂକ୍ଷିତ ଏହି ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନାକୁ କ୍ୟାବିନେଟ ଅନୁମୋଦନ ମିଳିବା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ୩ ବର୍ଷ ଭିତରେ ଏହି ଡାକ୍ତରଖାନାର ନିର୍ମାଣ ଶେଷ ହେବ। ଏହା କାର୍ଯ୍ୟକ୍ଷମ ହେଲା ପରେ ଅବିଭକ୍ତ କୋରାପୁଟର ଲକ୍ଷ ଲକ୍ଷ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଦେବାରେ ସୁବିଧା ‌ହେବ ବୋଲି ସେ କହିଛନ୍ତି।

ଏସଏଲଏନ ମେଡିକାଲ କଲେଜର ଡିନ କୃଷ୍ଣଚନ୍ଦ୍ର ବିଶ୍ବାଳ କହିଛନ୍ତି  ଯେ, ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ହେଲା ପରେ ଏଠାରେ ପିଜି ପାଠ୍ୟକ୍ରମ ଖୋଲିବାରେ ବହୁତ ସହାୟକ ହେବ। ୩ ବର୍ଷରେ ଏହି ଡାକ୍ତରଖାନା ନିର୍ମ‌ାଣ ଶେଷ ହେଲା ବେଳକୁ ମେଡିକାଲ କଲେଜର ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀ ବାହାରି ସାରିଥିବେ। ଦୁଇ ତିନି ବର୍ଷ ପରେ ୫/୬ଟି ବିଷୟରେ ଏଠାରେ ପିଜି ଖୋଲିବା ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର