ନିଖୋଜ ନବବଧୂ ଉଦ୍ଧାର :ପ୍ରେମିକ ଅଟକ

ନନ୍ଦପୁର: ଗତ ୧୨ତାରିଖରୁ ନିଖୋଜ ଥିବା ଜଣେ ନବ ବିବାହିତା ମହିଳାଙ୍କୁ ନନ୍ଦପୁର ପୁଲିସ ଉଦ୍ଧାର କରିଛି। ସେହିପରି ପୁଲିସ ମହିଳାଙ୍କ ପ୍ରେମିକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସଂପର୍କ ରହିଥିବା ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ମାଲାକନଗିରି ଜିଲ୍ଲା ମାଥିଲି ଅଞ୍ଚଳରେ ଜଣେ ଯୁବତୀ ଓ ସେହି ଅଞ୍ଚଳର ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ରହିଥିଲା। ତେବେ ଗତ ଏପ୍ରିଲ ୨୦ ତାରିଖରେ ସେମିଳିଗୁଡା ବ୍ଲକର ସୁବାଇ ଅଞ୍ଚଳର ଜଣେ ଯୁବକଙ୍କ ସହ ସଂପୃକ୍ତ ଯୁବତୀଙ୍କ ବିବାହ ହୋଇଥିଲା। ମେ ୧୨ତାରିଖରେ ପ୍ରେମିକ ଜଣକ ନବବଧୂଙ୍କୁ ନେଇ କେଉଁଆଡେ ଚାଲି ଯାଇଥିଲେ। ଏହାପରେ ବୋହୂ ନିଖୋଜ ଥିବା ନେଇ ଶାଶୁ ଘର ପକ୍ଷରୁ ନନ୍ଦପୁର ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ପୁରୁଣା ପ୍ରେମିକଙ୍କ ନିକଟରେ ବୋହୂ ଥିବା ନେଇ ଶାଶୁ ଘର ଲୋକେ ସ୍ପଷ୍ଟ ହେବା ପରେ ଏନେଇ ଆଜି ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ପରେ ପୁଲିସ କେଶ୍‌ ନଂ-୪୦/୧୮ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ନନ୍ଦପୁର ଥାନା ଅଧିକାରୀ ଚନ୍ଦ୍ରଶେଖର ଶବରଙ୍କ ନେତୃତ୍ୱରେ ଚଢାଉ କରାଯାଇ ନବ ବିବାହିତା ମହିଳାଙ୍କୁ ଉଦ୍ଧାର କରିବା ସହ ପ୍ରେମିକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର